ଅଷ୍ଟ୍ରେଲିଆନ୍‌ ଓପନ୍‌‌ ‌ଟେନିସ: ବିପର୍ଯ୍ୟୟର ଦିନ, ଓସାକା, ସେରେନା, ୱଜ୍‌ନିଆକି, ସିସିପାସ, ଅଗୁଟ ବିଦା

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌‌ ‌ଟେନିସ ପ୍ରତିଯୋଗିତା‌ର ଶୁକ୍ରବାର ବିପର୍ଯ୍ୟୟର ଦିବସ ଥିଲା। ପ୍ରତିଯୋଗିତାର ଏହି ପଞ୍ଚମ ଦିନରେ ମହିଳା ଏକକରେ ୩ ପୂର୍ବ ବିଜୟିନୀ ଜାପାନର ନାଓମି ଓସାକା, ଆମେରିକାର ସେରେନା ୱିଲିୟମ୍ସ ଓ ଡେନ୍‌ମାର୍କର କାରୋଲିନେ ୱଜନିଆକିଙ୍କ ବ୍ୟତୀତ ପୁରୁଷ ଏକକରେ ଗତଥରର ସେମିଫାଇନାଲିଷ୍ଟ୍‌ ଗ୍ରିକ୍‌ର ଷ୍ଟିଫାନସ୍‌ ସିସିପାସ୍‌ ଓ କ୍ବାର୍ଟର ଫାଇନାଲିଷ୍ଟ୍‌ ସ୍ପେନ୍‌ର ରବର୍ଟ ବତିସ୍ତା ଅଗୁଟ ପରାଜୟ ବରଣ କରିଛନ୍ତି। ଫଳରେ ତୃତୀୟ ପର୍ଯ୍ୟାୟରୁ ହିଁ ଏମାନଙ୍କ ଅଭିଯାନ ‌ଶେଷ ହୋଇଯାଇଛି। ଗତଥରର ବିଜୟିନୀ ତଥା ତୃତୀୟ ମାନ୍ୟତାପ୍ରାପ୍ତ ‌ଓସାକାଙ୍କୁ ବିଦାୟର ରାସ୍ତା ଦେଖାଇଥିଲେ ଆମେରିକାର ୧୫ ବର୍ଷୀୟା ଯୁବତୀ କୋକୋ ‌ଗୌଫ୍‌। ‌ସେ ୬-୩, ୬-୪ ସିଧାସଳଖ ସେଟ୍‌ରେ ଓସ‌ାକାଙ୍କୁ ହରାଇ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଭେନସ୍‌ ୱିଲିୟମ୍ସଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ ଗୌଫ୍‌। ସେହିପରି ୭ ଥରର ବିଜୟିନୀ ସେରେନା ସଂଘର୍ଷ କରି ୪-୬, ୭-୬, ୫-୭ ସେଟ୍‌ରେ ଚୀନ୍‌ର ୱାଙ୍ଗ୍‌ କ୍ବିଆଙ୍ଗଠୁ ହାରି ଯାଇଥିଲେ। ପୂର୍ବରୁ ଏହି ପ୍ରତିଯୋଗିତା ପରେ ଅବସର ନେବା ଲାଗି ‌ଘୋଷଣା କରିସାରିଥିବା ‌ୱଜନିଆକି ୫-୭, ୬-୩, ୫-୭ ସେଟ୍‌ରେ ତୁନିସିଆର ଓନ୍ସ ଜାବିଉରଙ୍କଠୁ ହାରି ଯାଇଥିଲେ। ହେଲେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ବିଜୟଧାରା ଜାରି ରଖି ଚତୁର୍ଥ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ଏହି ଅଷ୍ଟ୍ରେଲୀୟ ତାରକା ୬-୩, ୬-୨ ସିଧାସଳଖ ସେଟ୍‌ରେ କାଜାକସ୍ତାନର ଏଲିନା ରିବାକିନାଙ୍କୁ ମାତ୍‌ ଦେଇଥିଲେ।

ପୁରୁଷ ଏକକରେ ଷଷ୍ଠ ମାନ୍ୟତାପ୍ରାପ୍ତ ସିସିପାସ ୫-୭, ୪-୬, ୬-୭ ସେଟ୍‌ରେ ୩୨ ମାନ୍ୟତାପ୍ରାପ୍ତ କାନାଡ଼ାର ମିଲୋସ ରାଓନିକ୍‌ଙ୍କଠୁ ଏବଂ ନବମ ମାନ୍ୟତାପ୍ରାପ୍ତ ଅଗୁଟ ୭-୬, ୪-୬, ୦-୬, ୭-୫, ୭-୬ (୧୦-୮)‌ ସେଟ୍‌ରେ କ୍ରୋଏସିଆର ମାରିନ ସିଲିକ୍‌ଙ୍କଠୁ ହାରିଯାଇଥିଲେ। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ଓ ତୃତୀୟ ମାନ୍ୟତାପ୍ରାପ୍ତ ରୋ‌ଜର ଫେଡେରର୍‌ ନିଜ ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସର୍ବିଆ ତାରକା ତଥା ୧୬ ଗ୍ରାଣ୍ଡ୍‌ ସ୍ଲାମ୍‌ ଏକକ ବିଜେତା ଜୋକୋଭିକ ୬-୩, ୬-୨, ୬-୨ ସିଧସଳଖ ସେଟ୍‌ରେ ଜାପାନ୍‌ର ୟୋଶିହିତୋ ନିଶିଓକାଙ୍କୁ ଏବଂ ‌ସ୍ବିଜରଲାଣ୍ଡ ତାରକା ତଥା ୨୦ ଗ୍ରାଣ୍ଡ୍‌ ସ୍ଲାମ୍‌ ଏକକ ବିଜେତା ଫେଡେରର୍‌ ୪-୬, ୭-୬, ୬-୪, ୪-୬, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ଜନ୍‌ ମିଲାନଙ୍କୁ ପରାସ୍ତ କରିଥିଲେ।

କାନ୍ଦିଲେ ୱଜ୍‌ନିଆକି
ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ତୃତୀୟ ପର୍ଯ୍ୟାୟ ପରାଜୟ ପରେ ପରେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି କାରୋଲିନେ ୱଜ୍‌ନିଆକି ଶୁକ୍ରବାର ଅବସର ନେବା ଲାଗି ଘୋଷଣା କରିଥିଲେ। ଏହି ଘୋଷଣା ବେଳେ ୱଜ୍‌ନିଆକିଙ୍କ ଚକ୍ଷୁ ଲୋତକରେ ଭରିଯାଇଥିଲା। ଏହି ୨୯ ବର୍ଷୀୟା ଡେନ୍‌ମାର୍କ ଖେଳାଳି ନିଜର ୧୬ ବର୍ଷର ଅନ୍ତର୍ଜାତୀୟ ଟେନିସ ଜୀବନରେ ‌ଗୋଟିଏ ଗ୍ରାଣ୍ଡ୍‌ ସ୍ଲାମ୍‌ (ଅଷ୍ଟ୍ରେଲିଆନ୍‌ ଓପନ୍‌, ୨୦୧୮) ଜିତିବାକୁ ସକ୍ଷମ ହୋଇଥିଲେ। ୨୦୧୦-୧୧ ଋତୁରେ ସେ କିଛି ଦିନ ବିଶ୍ବମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ସେ ମଧ୍ୟ ୨୦୧୭ ଟୁର୍‌ ଫାଇନାଲ୍ସ ଜିତିବା ସହ ଦୁଇ ଥର ୟୁଏସ୍‌ ଓପନ୍‌ (୨୦୦୯, ୨୦୧୪)ଉପବିଜୟିନୀ ହେବାର ଗୌରବ ପାଇଥିଲେ। ମୁଁ ଭାବିଲି, ଅବସର ନେବାର ଏହା ମୋର ପ୍ରକୃଷ୍ଟ ସମୟ। ମୋତେ ସବୁବେଳେ ସମର୍ଥନ ଦେଇ ଆସିଥିବାରୁ ପ୍ରଶଂସକଙ୍କୁ ଧନ୍ୟବାଦ। ଏଥିସହ ମୋ ପରିବାର ସବୁବେଳେ ସହଯୋଗ କରିଆସିଛି। ବିଶେଷ କରି ମୋ ବାପା, ଯିଏକି ମୋତେ ପ୍ରଶିକ୍ଷଣ ଦେଇଥିଲେ ତାଙ୍କ ପାଇଁ ଏହି ସ୍ଥାନରେ ମୁଁ ପହଞ୍ଚି ପାରିଛି। ମୁଁ ସବୁବେଳେ କାନ୍ଦି ନଥାଏ, ଏମିତି କିଛି ସ୍ବତନ୍ତ୍ର ମୂହୁର୍ତ୍ତ ଏଭଳି ଆଖିରୁ ଲୁହ ଆପେ ଆପେ ବୋହିଯାଏ ବୋଲି କହିଛନ୍ତି ୱଜନିଆକି। ଘୋଷଣା ପରେ ୱଜ୍‌ନିଆକିଙ୍କୁ ତାଙ୍କ ପ୍ରଶିକ୍ଷକ ତଥା ପିତା ପାଏଟ୍ରୋ ୱଜ୍‌ନିଆକି ଝିଅକୁ ତୋଳି ଧରିଥିଲେ।

ସମ୍ବନ୍ଧିତ ଖବର