ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ରୋହିତ-ଧାୱନଙ୍କୁ ବିଶ୍ରାମ

ୱେଲିଂଟନ୍: ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କୁ ବିଶ୍ରାମ ଦିଆଯିବ। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହି ସୂଚନା ଦେଇଛନ୍ତି। ନିୟମିତ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ଗସ୍ତ ଅଧାରୁ ବିଶ୍ରାମ ନେଇଥିଲା ବେଳେ ରୋହିତ ଓ ଧାୱନଙ୍କୁ ଘରୋଇ ଶୃଙ୍ଖଳାରେ ଛୁଟି ମିଳିବ। ବିଶ୍ବକପ୍ ଆଗକୁ ଥିବାରୁ ଦଳୀୟ ଅଧିକାରୀମାନେ ଏଭଳି ନିଷ୍ପତ୍ତି ନେଇଥିବା ଶାସ୍ତ୍ରୀ କହିଛନ୍ତି। ଉଭୟ ରୋହିତ ଏବଂ ଧା‌ୱନ ବିନା ବିଶ୍ରାମରେ ସୀମିତ ଓଭର କ୍ରିକେଟ୍ ଖେଳୁଛନ୍ତି। ଟେଷ୍ଟ୍‌ ଦଳରୁ ବାଦ୍ ପଡ଼ିବା ପରେ ଅବଶ୍ୟ ଧାୱନ କିଛି ଦିନ ନିଜ ପରିବାର ସହ ସମୟ କଟାଇଥିଲେ। ରୋହିତ କିନ୍ତୁ ଟେଷ୍ଟ୍‌ ଦଳକୁ ଫେରିବା ପରେ ବିଶ୍ରାମ ନେଇ ନାହାନ୍ତି। ଉଭୟ ଇଂଲଣ୍ଡରେ ହେବାକୁ ଥିବା ୫୦ ଓଭରିଆ ବିଶ୍ବକପ୍‌ରେ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ। ଏଣୁ ଏବେ ସେମାନଙ୍କୁ ବିଶ୍ରାମ ଦରକାର ବୋଲି ଦଳ ହୃଦୟଙ୍ଗମ କରିଛି। ଲୋକେଶ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେ ବାଦ୍ ପଡ଼ିବା ପରେ ଅବଶ୍ୟ ଭାରତ ପାଖରେ ସଂରକ୍ଷିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ନାହାନ୍ତି। ରୋହିତ-ଧାୱନଙ୍କୁ ବିଶ୍ରାମ ମିଳିଲେ କିଛି ଯୁବ ଖେଳାଳିଙ୍କୁ ଏହି ସ୍ଥାନରେ ନିଆଯାଇପାରେ। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଚଳିତ ମାସରେ ଭାରତ ଆସି ଦୁଇଟି ଟ୍ବେଣ୍ଟି-୨୦ ଏବଂ ପାଞ୍ଚଟି ଦିନିକିଆ ମ୍ୟାଚ୍‌ ଖେଳିବ। ଟ୍ବେଣ୍ଟି-୨୦ ଆସନ୍ତା ୨୪ ଓ ୨୭ରେ ବିଶାଖାପାଟଣା‌ ଓ ବେଙ୍ଗାଲୁରୁରେ ଖେଳାଯିବ। ମାର୍ଚ ୨ରୁ ଆରମ୍ଭ ହେଉଥିବା ଦିନିକିଆ ଶୃଙ୍ଖଳା ହାଇଦ୍ରାବାଦ (ମାର୍ଚ ୨), ନାଗପୁର (ମାର୍ଚ ୫), ରାଞ୍ଚି (ମାର୍ଚ ୮), ମୋହାଲି (ମାର୍ଚ ୧୦) ଓ ଦିଲ୍ଲୀ (ମାର୍ଚ ୧୩)ରେ ଖେଳାଯିବ।

ସମ୍ବନ୍ଧିତ ଖବର