ଅଷ୍ଟ୍ରେଲିଆ ଖେଳାଳି ମୋଇନଙ୍କୁ ‘ଓସାମା’ ଡାକିଥିଲେ

ମୁମ୍ବାଇ: ଅଷ୍ଟ୍ରେଲିଆ ଖେଳାଳିଙ୍କ ବିରୋଧରେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୧୫ ଆସେସ୍‌ ବେଳେ କଙ୍ଗାରୁ ଦଳର ଜଣେ ଖେଳାଳି ତାଙ୍କୁ ଓସାମା ବିନ୍‌ ଲାଡେନ୍‌ ଭାବେ ସମ୍ବୋଧନ କରିିଥିଲେ ବୋଲି ମୋଇନ ତାଙ୍କ ପ୍ରକାଶ ପାଇବାକୁ ଥିବା ଆତ୍ମଜୀବନୀରେ ଲେଖିଥିବା ଜଣାପଡ଼ିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଜୀବନର ପ୍ରଥମ ମ୍ୟାଚ୍‌ରେ ହିଁ ସେ ଏଭଳି କଥା ଶୁଣିବାକୁ ବାଧ୍ୟ ହୋଇଥିଲେ ବୋଲି ମୋଇନ ଦାବି କରିଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ମୋଇନ ୭୭ ରନ୍‌ କରିବା ସହ ୫ ଓ୍ଵିକେଟ୍‌ ନେଇଥିଲେ। ଫଳରେ ଇଂଲଣ୍ଡ ୧୬୯ ରନ୍‌ରେ ବିଜୟୀ ହୋଇଥିଲା। ମୋଇନ କହିଛନ୍ତି, ପ୍ରଥମ ଆସେସ୍‌ ଟେଷ୍ଟ୍‌ରେ ମୋ ପ୍ରଦର୍ଶନ ବହୁତ ଭଲ ଥିଲା। ହେଲେ ଗୋଟିଏ ଘଟଣା ମୋର ଧ୍ୟାନଭଗ୍ନ କରିଥିଲା। ପଡ଼ିଆ ଭିତରେ ଜଣେ ଅଷ୍ଟ୍ରେଲୀୟ ଖେଳାଳି ମୋ ପାଖକୁ ଆସି ‘ଓସାମା ତାକୁ ନିଅ’ ବୋଲି କହିଥିଲେ। ମୁଁ ଯାହା ଶୁଣିଥିଲି, ତାକୁ ବିଶ୍ୱାସ କରି ପାରିନଥିଲି। ମୋ ମୁହଁ ନାଲି ପଡ଼ି ଯାଇଥିଲା। କ୍ରିକେଟ୍‌ ପଡ଼ିଆରେ ମୁଁ କେବେବି ଏତେ ରାଗି ନଥିଲି। ଏହି ବିଷୟରେ ମୁଁ ଦୁଇ ଜଣଙ୍କୁ କହିଥିଲି। ଟ୍ରାଭିସ୍‌ ବେଲିସ୍‌ (ଇଂଲଣ୍ଡ ପ୍ରଶିକ୍ଷକ) ମଧ୍ୟ ଡାରେନ ଲି’ ମ୍ୟାନଙ୍କ ସହ ଏଥିନେଇ ଆଲୋଚନା କରିଥିଲେ। ଲି’ମ୍ୟାନ୍‌ ସଂପୃକ୍ତ ଖେଳାଳିଙ୍କୁ ଏହି ବିଷୟରେ ପଚାରିବା ପରେ ସେ ସଂପୂର୍ଣ୍ଣ ଫାଙ୍କି ଦେଇଥିଲେ। ଏହା ଶୁଣି ମୁଁ ଖୁସି ହୋଇଥିଲି। ହେଲେ ମୋ ରାଗ ଶାନ୍ତ ହୋଇନଥିଲା। ଶୃଙ୍ଖଳା ଶେଷ ହେବା ପରେ ମୁଁ ଏହି ବିଷୟ ପୁଣି ଥରେ ଉଠାଇଥିଲି। ହେଲେ ସେହି ଖେଳାଳି ଜଣଙ୍କ ପୁଣି ଥରେ ଏଭଳି କିଛି କହି ନଥିବା କହିିଥିଲେ। ମୋଇନଙ୍କ ଅଭିଯୋଗକୁ କିନ୍ତୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଗୁରୁତର ସହ ନେଇଛି। ସଂପୃକ୍ତ ଖେଳାଳିଙ୍କ ନାମ ପ୍ରକାଶ କରିବା ସହ ଅଧିକ ସ୍ପଷ୍ଟୀକରଣ ଦେବାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତାଙ୍କୁ ଆହ୍ଵାନ କରିଛି। ଅଭିଯୋଗ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସଂକେତ ଦେଇଛି।

ସମ୍ବନ୍ଧିତ ଖବର