ପୁଲ ‘ବି’ରେ ଅଷ୍ଟ୍ରେଲିଆ ଶକ୍ତିଶାଳୀ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଆଉ ମାତ୍ର ୨ ଦିନ ପରେ ଉଦ୍‌ଘାଟିତ ହେବ। ବୁଧବାରଠାରୁ ୧୫,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ କଳିଙ୍ଗ ହକି କଂପ୍ଲେକ୍ସରେ ଷ୍ଟିକ୍ ଚାଳନା ଆରମ୍ଭ ହେବା ପୂର୍ବରୁ ୧୨ ଦଳ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି। ଅଂଶଗ୍ରହଣକାରୀ ୧୬ ଦେଶକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି। କେବଳ ପୁଲ୍ ବିଜେତା ସିଧାସଳଖ ‌କ୍ବାର୍ଟରଫାଇନାଲ୍‌ ଖେଳିବା ବ୍ୟବସ୍ଥା ଥିବାବେଳେ ଚତୁର୍ଥ ତଥା ଶେଷ ସ୍ଥାନ ପାଇବା ଦେଶ ଏହି ପର୍ଯ୍ୟାୟରୁ ସ୍ବଦେଶ ଫେରିବ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲକାରୀ ଦଳଗୁଡ଼ିକୁ ନେଇ ଅତିରିକ୍ତ କ୍ରସ ଓଭର ତଥା ପ୍ଲେ ଅଫ୍‌ ଖେଳାଯିବ। ଯେଉଁଥିରୁ ଅବଶିଷ୍ଟ ୪ କ୍ବାର୍ଟର ଫାଇନାଲିଷ୍ଟ ବାହାରିବେ। ଫଳରେ ଅଧିକାଂଶ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଦ୍ବାର ଉନ୍ମୁକ୍ତ ରହିବ। ପ୍ରତିଟି ମ୍ୟାଚ୍ ରୋମାଞ୍ଚକ ରହିବାର ପ୍ରତିଶ୍ରୁତି ‌ରଖିବ। ପୁଲ ‘ବି’ ସମ୍ଭାବନା ଓ ସାମର୍ଥ୍ୟ ସମ୍ପର୍କରେ ଏଠାରେ ବିହଙ୍ଗାବଲୋକନ କରାଯାଉଛି।

ଶନିବାର ଭୁବନେଶ୍ବର ପହଞ୍ଚିଥିବା ଅଷ୍ଟ୍ରେଲିଆ ହିଁ ପୁଲ ‘ବି’ର ସବୁଠୁ ଶକ୍ତିଶାଳୀ ଦଳ ଏବଂ ସିଧାସଳଖ କ୍ବାର୍ଟର ଫାଇନାଲ୍ ଖେଳିବାର ଦୃଢ଼ ଦାବିଦାର। ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ସାମୟିକ ଭାବେ ବିଶ୍ବ ମାନ୍ୟତା (ଏଫଆଇଏଚ୍‌)ର ଶୀର୍ଷକୁ ଉଠିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏହାକୁ ପୁନଃ ଦଖଲ କରିନେଇଛି। ଲଗାତାର ୩ ସଂସ୍କରଣରେ ବିଜେତା ହୋଇ ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି ଏହି କୁକାବୁରା ଖେଳାଳି। ୨୦୧୦ରେ ନୂଆଦିଲ୍ଳୀରେ ଏବଂ ୨୦୧୪ରେ ନେଦରଲାଣ୍ଡର ଦି ‌ହେଗ୍‌ରେ ଖେଳାଯାଇଥିବା ବିଗତ ଦୁଇ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା। ଏହା ପୂର୍ବରୁ ୧୯୮୬ରେ ଥରେ ବିଜେତା ହୋଇଥିବାରୁ ଅଷ୍ଟ୍ରେଲିଆ ଚତୁର୍ଥ ମୁକୁଟ ଲକ୍ଷ୍ୟରେ ମଧ୍ୟ ରହିବ। ଭାରତ ବିଶେଷ କରି ଭୁବନେଶ୍ବର ସହିତ ଅଷ୍ଟ୍ରେଲିଆର ମଧୁର ସମ୍ପର୍କ ରହିଛି। ୨୦୧୦ ନୂଆଦିଲ୍ଲୀ ବିଶ୍ବକପ୍ ସହିତ ଭୁବନେଶ୍ବରରେ ଏହି କଙ୍ଗାରୁ ଦଳ ୨୦୧୪ ଏଫ୍‌ଆଇଏଚ୍ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୧୭ରେ ବିଶ୍ବ ହକି ଲିଗ୍ ଫାଇନାଲ୍ସରେ ବି ବିଜେତା ହୋଇଥିଲା। ଜ୍ୟାକ୍ ହ୍ବେଟନ୍, ଟ୍ରେଣ୍ଟ ମିଟନ୍, ଜେ‌ରେମି ହେୱାର୍ଡ ଏବଂ ବ୍ଲାକ ଗୋଭର୍ସ ପ୍ରମୁଖ ଦଳ ପାଇଁ ନିୟମିତ ଭାବେ ଗୋଲ୍‌ ଦେଇ ଆସିଛନ୍ତି। ୧୯୮୬ ବିଜେତା କଲିନ୍ ବାକ୍‌ଙ୍କ ପ୍ରଶିକ୍ଷିତ ଏହି ଦଳ ଭୁବନେଶ୍ବରରୁ ଆଉ ଏକ ମୁକୁଟ ହା‌ତେଇବା ଆଶାରେ ରହିବ।

ପୁଲ୍‌ ‘ବି’ର ଅନ୍ୟ ୩ ଦଳ ହେ‌ଲେ ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ଚୀନ୍‌। ବିଶ୍ବ ମାନ୍ୟତାରେ ଯଥାକ୍ରମେ ୭, ୧୦ ଏବଂ ସପ୍ତଦଶ ସ୍ଥାନରେ ଅଛନ୍ତି। ସେହି ଦୃଷ୍ଟିରୁ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଅନାୟାସରେ ସିଧାସଳଖ କ୍ବାର୍ଟର ଫାଇନାଲ୍ ଯିବା ସମ୍ଭାବନା ଅଧିକ ରହିଛି। ଇଂଲଣ୍ଡ ମୁଖ୍ୟ ପ୍ରଶିକ୍ଷକ ଡାନି‌ କେରି କିନ୍ତୁ କିଛି କରିସ୍ମା କରି ଅଷ୍ଟ୍ରେଲିଆକୁ ରୋକିବା ଲକ୍ଷ୍ୟରେ ରହିବେ। ୨୦୧୬ ରିଓ ଅଲିମ୍ପିକ୍ସର ମହିଳା ଫାଇନାଲରେ କେରିଙ୍କ ଗ୍ରେଟ୍ ବ୍ରିଟେନ୍ ଦଳ ଶୀର୍ଷ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡକୁ ହରାଇ ବିଜେତା ହୋଇଥିଲା। ଇଂଲଣ୍ଡ ପାଇଁ ୪୦୦ରୁ ଊର୍ଧ୍ବ ମ୍ୟାଚ୍ ଖେଳିଥିବା ବ୍ୟାରି ମିଡଲଟର୍ନର ଦଳର ସବୁଠୁ ପ୍ରଭାବୀ ଖେଳାଳି। ଷ୍ଟ୍ରାଇକର ସାମ୍ ୱାର୍ଡ ମଧ୍ୟ ଦଳକୁ ଅଗ୍ରଭାଗରେ ଭଲ ସୁଯୋଗ ଦେବେ। ଆୟର୍ଲାଣ୍ଡ ଦଳ ୧୯୯୦ ମସିହା ପରେ ପ୍ରଥମ ଥର ବିଶ୍ବକପ୍‌କୁ ଫେରିଛି। କିନ୍ତୁ ଏହି ସବୁଜ ଜର୍ସିର ଦଳ ସାମ୍ପ୍ରତିକ ସମୟରେ ଚମତ୍କାର ଖେଳୁଥିବାରୁ ଏହାକୁ ହେୟମନେ କରୁଥିବା ଦଳ ଅଡୁଆରେ ପଡ଼ିପାରେ। ୨୦୧୫ ମସିହାରେ ୟୁରୋପୀୟ କାଂସ୍ୟ ବିଜେତା ଏହି ଦଳର ସବୁଠୁ ବଡ଼ ସମ୍ପତ୍ତି ହେଉଛନ୍ତି ବିଶ୍ବସ୍ତରୀୟ ଗୋଲରକ୍ଷକ ଡେଭିଡ୍ ହାର୍ଟ। ମଧ୍ୟକ୍ରମରେ ସେନ୍ ଓ’ଡ଼ୋନୋଘ ଦଳର ଦାୟିତ୍ବ ତୁଲାଇବେ। ଚୀନ୍‌ ପାଇଁ କିନ୍ତୁ ଏହା ପ୍ରଥମ ବିଶ୍ବକପ୍ ହେବ। ପଦାର୍ପଣ କରିବାକୁ ଯାଉଥିବାରୁ ଏହି ଏସୀୟ ଦଳ ନିଶ୍ଚିତ କେବଳ ଅଭିଜ୍ଞତା ସାଉଁଟି ଫେରିବା ସାର ହେବ। କେବଳ ଏହାର ପେନାଲଟି କର୍ନର ବିଶେଷଜ୍ଞ ଡୁ ଟାକାଲେ ଯଦି ସଫଳ ହେବେ ତେବେ ବିପର୍ଯ୍ୟୟ ସୃଷ୍ଟି କରିବା କିଛି ଅସମ୍ଭବ ହେବ ନାହିଁ।

ସମ୍ବନ୍ଧିତ ଖବର