ଟେ୍ଵଣ୍ଟି-୨୦ରେ ସର୍ବବୃହତ୍‌ ପଛୁଆ ବ୍ୟାଟିଂ ବିଜୟ

ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର କୀର୍ତ୍ତିମାନ

ଅକଲାଣ୍ଡ: ଟ୍ରାନ୍ସ-ତାସମାନ ତ୍ରି-ରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଶୁକ୍ରବାର ଖେଳା ଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଶ୍ୱ କୀର୍ତ୍ତିମାନ କରିଛି। ଏହି ଦଳ ଆଜି ଟେ୍ଵଣ୍ଟି-୨୦ରେ ପଛୁଆ ବ୍ୟାଟିଂର ସର୍ବବୃହତ୍‌ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାର୍ଟିନ ଗପ୍ଟିଲ (୧୦୫ ରନ୍‌, ୫୪ ବଲ୍‌, ୬ ଚୌକା, ୯ ଛକା)ଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଡାର୍କି ସଟ୍‌ (୭୬ ରନ୍‌, ୪୪ ବଲ୍‌, ୮ ଚୌକା, ୩ ଛକା) ଓ ଡେଭିଡ୍‌ ଓ୍ଵାର୍ନର (୫୯ ରନ୍‌, ୨୪ ବଲ୍‌, ୪ ଚୌକା, ୫ ଛକା)ଙ୍କ ଅର୍ଧଶତକ ସହ ଶେଷ ଆଡ଼କୁ ଆରୋନ ଫିଞ୍ଚ (୩୬ ବଲ୍‌, ୧୪ ବଲ୍‌, ୩ ଚୌକା, ୩ ଛକା)ଙ୍କ ଧମାକାଦାର ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ ଧାର୍ଯ୍ୟ କରିଥିବା ୨୪୪ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୭ ବଲ୍‌ ପୂର୍ବରୁ ହାସଲ କରି ନେଇଥିଲା। ଊନ୍ନବିଂଶ ଓଭରର ପଞ୍ଚମ ବଲ୍‌ରେ କଲିନ୍‌ ଗ୍ରାଣ୍ଢୋମେଙ୍କୁ ଲଙ୍ଗ ଅନ୍‌ ଉପରେ ଛକା ମାରି ଫିଞ୍ଚ୍‌ ଅଷ୍ଟ୍ରେଲିଆକୁ ରୋମାଞ୍ଚଭରା ବିଜୟ ଉପହରେ ଦେବା ସହ ଟେ୍ଵଣ୍ଟି-୨୦-ରେ ନୂଆ ଇତିହାସ ଲେଖା ହୋଇ ଯାଇଥିଲା। ଟେ୍ଵଣ୍ଟି-୨୦ ଇତିହାସର ଏହା ସର୍ବବୃହତ୍‌ ରନ୍‌ ଚେଜ୍‌ ବା ପଛରେ ବ୍ୟାଟିଂ କରି ବିଜୟ ହାସଲ କରିବା ହୋଇଥିଲା। ଅଷ୍ଟ୍ରେଲିଆ ଏହି କ୍ରମରେ ୨୦୧୫ରେ େଓ୍ଵଷ୍ଟଇଣ୍ଡିଜ୍‌ ଜୋହାନେସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିବା ବଡ଼ ବିଜୟକୁ ଟପି ଯାଇଥିଲା। େଓ୍ଵଷ୍ଟଇଣ୍ଡିଜ୍‌ ସେହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଧାର୍ଯ୍ୟ କରିଥିବା ୨୩୬ ରନ୍‌ର ବିଜୟ ଲକ୍ଷ୍ୟକୁ ୬ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆ ବିଜୟ ଶୃଙ୍ଖଳାର ତୃତୀୟ ଦଳ ଇଂଲଣ୍ଡକୁ ବି ଉଲ୍ଲସିତ କରିଥିଲା। ନ୍ୟୁଜିଲାଣ୍ଡ ପରାଜୟ ପରେ ଇଂଲଣ୍ଡ ଫାଇନାଲକୁ ଯିବାର ଆଶା ବଢ଼ି ଯାଇଥିଲା। କାରଣ ଅଷ୍ଟ୍ରେଲିଆ ପୂର୍ବରୁ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଛି। ଶୁକ୍ରବାର ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୪୩ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୧୮.୫ ଓଭରରେ ୫ ଓ୍ଵିକେଟ୍‌ ହରାଇ ୨୪୫ ରନ୍‌ କରି ବିଜୟୀ ହୋଇଥିଲା। ସଟ୍‌ଙ୍କୁ ତାଙ୍କ ଦ୍ରୁତ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଗପ୍ଟିଲ ସର୍ବାଧିକ ରନ୍‌ ସଂଗ୍ରହକାରୀ
ଟ୍ରାନ୍ସ-ତାସ୍‌ମାନ ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ଶୁକ୍ରବାର ମୁକାବିଲାରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲେ ମଧ୍ୟ ଏହି ଦଳର ଶତକ ହାସଲକାରୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାର୍ଟିନ ଗପ୍ଟିଲ ଟେ୍ଵଣ୍ଟି-୨୦ର ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ। ତା’ ସହ ସେ ମଧ୍ୟ ଟେ୍ଵଣ୍ଟି-୨୦ରେ ନ୍ୟୁଜିଲାଣ୍ଡର ଦ୍ରୁତତମ ଶତକ ହାସଲକାରୀ ହେବାର ଗୌରବ ଅର୍ଜନ କରିଥିଲେ। ଗପ୍ଟିଲ ଶୁକ୍ରବାର ୪୯ ବଲ୍‌ରୁ ଶତକ ହାସଲ କରିଥିଲେ। ଯାହା କିଓ୍ଵି ଦଳର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକଲମ୍‌ ଏକଦା ହାସଲ କରିଥିବା ବିସ୍ଫୋରକ ଶତକଠାରୁ ଗୋଟିଏ ବଲ୍‌ କମ୍‌ ଥିଲା। ଦ୍ରୁତତମ ଶତକ ସହ ଟେ୍ଵଣ୍ଟି-୨୦ରେ ସର୍ବାଧିକ ରନ୍‌ କରିବାରେ ମଧ୍ୟ ମ୍ୟାକଲମଙ୍କୁ ଗପ୍ଟିଲ ପଛରେ ପକାଇ ଦେଇଥିଲେ। ମ୍ୟାକଲମ୍‌ ୭୧ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ୨୧୪୦ ରନ୍‌ କରିଥିଲେ। ଗପ୍ଟିଲ ସଂପ୍ରତି ୭୩ ଟେ୍ଵଣ୍ଟି-୨୦ ଖେଳି ୨୧୮୮ ରନ୍‌ରେ ପହଞ୍ଚି ଯାଇଛନ୍ତି। ସେଥିମଧ୍ୟରେ ରହିଛି ଦୁଇଟି ଶତକ ଏବଂ ୧୫ ଅର୍ଧଶତକ। ଭାରତୀୟ ଅଧିନାୟକ ବିରାଟ କୋହଲି ୫୫ ମ୍ୟାଚରୁ ୧୯୫୬ ରନ୍‌ କରି ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। କୋହଲିଙ୍କ ହାରାହାରି ରନ୍‌ କିନ୍ତୁ ଉଭୟ ଗପ୍ଟିଲ ଏବଂ ମ୍ୟାକଲଙ୍କଠାରୁ ଭଲ ଅଛି।

ସମ୍ବନ୍ଧିତ ଖବର