ଅଷ୍ଟ୍ରେଲିଆ ଶୃଙ୍ଖଳା ଲାଗି ଶୁକ୍ରବାର ଦଳ ଘୋଷଣା

ନୂଆଦିଲ୍ଲୀ,: ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯିବ। ଏହି ଶୃଙ୍ଖଳାରେ କାମଚଳା ଅଧିନାୟକ ରୋହିତ ଶର୍ମା ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ସହ ଅନ୍ୟ କେତେକ ବରିଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ ଦଳ ଏହି ଶୃଙ୍ଖଳାରେ ଦୁଇଟି ଟ୍ବେଣ୍ଟି-୨୦ ଏବଂ ପାଞ୍ଚଟି ଦିନିକିଆ ଖେଳିବ। ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ବକପ୍ ପୂର୍ବରୁ ଭାରତର ଏହା ଶେଷ ଅନ୍ତର୍ଜାତୀୟ ଶୃଙ୍ଖଳା ହେବ। ବିଶ୍ବକପ୍ ପୂର୍ବରୁ ଭାରତୀୟ ଖେଳାଳି ଅବଶ୍ୟ ଆଇପିଏଲ୍‌ରେ ଦେଢ଼ ମାସ ଧରି ଅଭ୍ୟାସ କରିବାର ସୁଯୋଗ ପାଇବେ। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇ ଦିନିକିଆ ସହ ସଂପୂର୍ଣ୍ଣ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ନଥିବା ନିୟମିତ ଅଧିନାୟକ ବିରାଟ କୋହଲି ଆସନ୍ତା ଅଷ୍ଟ୍ରେଲିଆ ଶୃଙ୍ଖଳା‌ରେ ଫେରିବେ। ସେହିଭଳି ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ସୁଯୋଗ ମିଳିବ। ବିଶ୍ବକପ୍ ଦଳ ଘୋଷଣା ବେଳେ ଖେଳାଳିଙ୍କ ଆଇପିଏଲ୍ ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ପ୍ରଶିକ୍ଷକ ରିବ ଶାସ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର