ବ୍ରିସ୍ବେନ୍: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍ର ପ୍ରଥମ ଦିବସ ବୋଲରଙ୍କ ଆଧିପତ୍ୟରେ ଶେଷ ହୋଇଛି। ପ୍ରଥମ ଦିବସରେ ମୋଟ ୮୧.୩ ଓଭର ଖେଳ ହୋଇଥିଲା ବେଳେ ୨୯୭ ରନ୍ ମଧ୍ୟରେ ଉଭୟ ଦଳର ମୋଟ ୧୫ ୱିକେଟ୍ ଝଡ଼ିଛି। ଟସ୍ ହାରି ପ୍ରଥମେ ବୋଲିଂ ନେଇଥିବା ଘରୋଇ ଅଷ୍ଟ୍ରେଲିଆ ବୋଲରମାନେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିକୁ ୧୫୨ ରନ୍ରେ ଶେଷ କରିଦେବା ପରେ ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ନିଜର ପ୍ରଥମ ପାଳିରେ ୫ ୱିକେଟ୍ ହରାଇ ୧୪୫ (୩୩.୧ ଓଭର) ରନ୍ କରିଛି। ଏଥି ସହିତ ହାତରେ ୫ ୱିକେଟ୍ ଥାଇ ଘରୋଇ ଦଳ ୭ ରନ୍ ପଛରେ ରହିଛି।
ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରୁ ମିଚେଲ ଷ୍ଟାର୍କ (୩/୪୧), ନାଥନ ଲାୟନ୍ (୩/୧୪), ପ୍ୟାଟ୍ କମିନ୍ସ (୨/୩୫) ଓ ସ୍କଟ୍ ବୋଲାଣ୍ଡ୍ (୨/୨୮) ମିଳିତ ଭାବେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି (୪୮.୨ ଓଭର)ର ସମସ୍ତ ୱିକେଟ୍ ବାଣ୍ଟି ନେଇଥିଲେ। କେବଳ ୱିକେଟ୍ରକ୍ଷକ କାଇଲ ଭେରିନେ (୬୪) ଅର୍ଦ୍ଧଶତକ ପୂରଣ କରିଥିଲା ବେଳେ ତେମ୍ବା ବଭୂମା (୩୮), ସାରେଲ ଏର୍ୱି (୧୦) ଏବଂ କାଗିସୋ ରବାଦା (୧୦) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ କାଗିସୋ ରବାଦା (୨/୫୦), ଅନ୍ରିକ୍ ନର୍ଖିୟା (୨/୩୭) ଓ ମାର୍କୋ ଜାନ୍ସେନ୍ (୧/୧୫) ଅଷ୍ଟ୍ରେଲିଆକୁ ଝଟ୍କା ଦେଇଥିଲେ। ହେଲେ ଟ୍ରାଭିସ୍ ହେଡ୍ (୭୮*) ଅପରାଜିତ ଅର୍ଦ୍ଧଶତକ ଜମାଇବା ସାଙ୍ଗକୁ ଷ୍ଟିଭ୍ ସ୍ମିଥ୍ (୩୬)ଙ୍କ ସହ ଚତୁର୍ଥ ୱିକେଟ୍ରେ ୧୧୭ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ।