ରାୱଲପିଣ୍ଡି: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ଚଳିତ ଚାମ୍ପିଅନ୍ସ ଟ୍ରଫିର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲା ଲଗାଣ ବର୍ଷା ପାଇଁ ବାତିଲ ହୋଇଯାଇଛି। ଫଳରେ ଉଭୟ ଦେଶର କ୍ରିକେଟ୍ପ୍ରେମୀ ନିରାଶ ହୋଇଛନ୍ତି। କାରଣ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ୨୦୨୩ ଏକଦିବସୀୟ ବିଶ୍ବକପ୍ ସେମିଫାଇନାଲ୍ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥା’ନ୍ତେ। ଏଥିରେ ଦକ୍ଷିଣ ଆଫ୍ରିକା ପାଇଁ ସେହି ପରାଜୟର ପ୍ରତିଶୋଧ ନେବା ସୁଯୋଗ ରହିଥିଲା। ତେବେ ବର୍ଷା ଏହାକୁ ଧୋଇ ନେଇଛି। ଗ୍ରୁପ୍-ବି’ ମଧ୍ୟ ରୋଚକ ସ୍ଥିତିରେ ପହଞ୍ଚି ଯାଇଛି। ଗ୍ରୁପ୍-ଏ’ରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ଯିବା ସ୍ପଷ୍ଟ ହୋଇଯାଇଥିଲା ବେଳେ ଗ୍ରୁପ୍-ବି’ରେ ସବୁ ଦଳ ପାଇଁ ସୁଯୋଗ ରହିଛି।
ଆଜି ଅପରାହ୍ଣରେ ପାକିସ୍ତାନର ରାୱଲପିଣ୍ଡିରେ ବର୍ଷା ଆରମ୍ଭ ହୋଇ ୩ ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ନଛାଡ଼ିବାରୁ ସ୍ଥାନୀୟ ସମୟ ୫ଟା ୧୦ରେ ଏହି ମ୍ୟାଚ୍କୁ ବାତିଲ କରି ଦିଆଯାଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ ବାଣ୍ଟିଥିଲେ। ଆଜିର ବାତିଲ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ଆଫ୍ଗାନିସ୍ତାନ ଓ ଇଂଲଣ୍ଡ ବିପକ୍ଷ ନିଜନିଜ ଶେଷ ଲିଗ୍ ମ୍ୟାଚ୍କୁ ଜିତିଲେ ସେମିଫାଇନାଲ୍ରେ ପହଞ୍ଚିଯିବେ। ଏହି କାରଣରୁ ମଧ୍ୟ ବୁଧବାରର ଇଂଲଣ୍ଡ-ଆଫଗାନିସ୍ତାନ ମ୍ୟାଚ୍ ନକ୍ଆଉଟ୍ ସଦୃଶ ହୋଇଛି। କାରଣ ଏହି ମ୍ୟାଚ୍ର ପରାଜିତ ଦଳ ବିଦାୟ ନେବା ସହ ବିଜୟୀ ଦଳର ଆଶା ଉଜ୍ଜୀବିତ ରହିବ। ତେବେ ବିଜେତା ଦଳକୁ ସେମିଫାଇନାଲ୍ ଯିବା ଲାଗି ତାର ଶେଷ ଲିଗ୍ ମ୍ୟାଚ୍କୁ ଜିତିବାକୁ ହେବ।
ଆଗୁଆ ବିଦାୟ ପରେ ପାକିସ୍ତାନର ବଡ଼ କ୍ଷତି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ଭିତରେ ଆୟୋଜକ ପାକିସ୍ତାନ କ୍ରିକେଟ୍ ଦଳ ବିଦାୟ ନେବା ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ପାଇଁ ବଡ଼ ଝଟ୍କା ହୋଇଛି। ଏଥିଲାଗି ପିସିବି ବହୁ କୋଟି ଟଙ୍କାର କ୍ଷତି ସହିବାର ଆଶଙ୍କା ବି ବଢ଼ି ଯାଇଛି। ସେହିଭଳି ପାକିସ୍ତାନ କ୍ରିକେଟ୍ ଦଳର ବ୍ରାଣ୍ଡଭାଲ୍ୟୁ ମଧ୍ୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ଲଜ୍ଜାଜନକ ପରାଜୟ ଏବଂ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେବା ପରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଥିନେଇ ପିସିବି ଆର୍ଥିକ କମିଟିର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଆୟୋଜକଭାବେ ଆମେ ଆଇସିସିଠାରୁ ପୂର୍ବ ନିର୍ଦ୍ଧାରିତ ରାଶି ପାଇବୁ। ତେବେ ପାକିସ୍ତାନର ସଅଳ ବିଦାୟ ପାଇଁ ଟିକେଟ ବିକ୍ରିରୁ ମିଳିବାକୁ ଥିବା ରାଜସ୍ବ ପୂର୍ବାପେକ୍ଷା ନିଶ୍ଚିତ କମିବ। ପ୍ରଶଂସକ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରୁ ମୁହଁ ଫେରାଇ ନେଇ ପାରନ୍ତି। ଷ୍ଟାଡିୟମ୍ରେ ସିଟ୍ ଖାଲି ପଡ଼ିଲେ, ପ୍ରସାରଣକାରୀ ସଂସ୍ଥା ବି ରାଜସ୍ବ ହରାଇ ପାରନ୍ତି। ଯାହାର ଦୀର୍ଘ ମିଆଦି ପ୍ରଭାବ ପିସିବିର ମୋଟ ରାଜସ୍ବ ଉପରେ ପଡ଼ିବ। ଏଣୁ ଆମେ ଏବେ ଚାରିଆଡ଼ୁ ହରଡ଼ଘଣାରେ ପଡ଼ିଛୁ।
ସୂଚନାଯୋଗ୍ୟ ଯେ ପାକିସ୍ତାନକୁ କୌଣସି ଆଇସିସି ପ୍ରତିଯୋଗିତା ୨୯ବର୍ଷ ପରେ ଫେରିଥିଲେ ମଧ୍ୟ ଅନେକ ମ୍ୟାଚ୍ ଦେଖିବାକୁ ଯେତିକି ଦର୍ଶକ ଷ୍ଟାଡିୟମ୍ ଆସିବା କଥା, ସେତିକି ଆସୁ ନଥିଲେ। ପୁଣି ପାକିସ୍ତାନ କ୍ରିକେଟ୍ ଦଳର ଲଜ୍ଜାଜନକ ବିଦାୟ ପାଇଁ ଷ୍ଟାଡିୟମ୍ରେ ଦର୍ଶକ ସଂଖ୍ୟା ଯଥେଷ୍ଟ କମିଯିବା ଏକ ପ୍ରକାର ନିଶ୍ଚିତ। ଯାହା କେବଳ ପିସିବି ନୁହେଁ, ଆଇସିସିର ମୁଣ୍ଡ ବ୍ୟଥାକୁ ମଧ୍ୟ ବଢ଼ାଇ ଦେଇଛି।
ପାକିସ୍ତାନରେ ଚର୍ଚ୍ଚିତ ପାଣ୍ଡ୍ୟାଙ୍କ ୧୫ କୋଟିର ହାତଘଡ଼ି
ଚିର ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନରେ ଏବେ ବିରାଟ କୋହଲିଙ୍କ ସହ ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ଦାମୀ ହାତଘଡ଼ି ଚର୍ଚ୍ଚାର ବିଷୟ ହୋଇଛି। ରବିବାରର ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ପାଣ୍ଡ୍ୟା ପିନ୍ଧିଥିବା ୧୫ କୋଟି ମୂଲ୍ୟର ହାତଘଡ଼ିକୁ ନେଇ ଏବେ ସେଠାରେ ଟେଲିଭିଜନ୍ କାର୍ଯ୍ୟକ୍ରମମାନ କରାଯାଉଛି। ପାଣ୍ଡ୍ୟାଙ୍କ ଦାମୀ ହାତଘଡ଼ି ହିଁ ବାବର ଆଜମ ନିଜ ୱିକେଟ୍ ଫିଙ୍ଗି ଦେବାର ପ୍ରମୁ୍ଖ କାରଣ ବୋଲି କହୁଛନ୍ତି ସେଠାକାର କ୍ରିକେଟ୍ ବିଶେଷଜ୍ଞ। ଅବଶ୍ୟ ଏଭଳି ମନ୍ତବ୍ୟ ସେମାନେ ବାବରଙ୍କୁ ଚିଡ଼ାଇବାକୁ ଦେଉଛନ୍ତି। ପାକିସ୍ତାନର ଜଣେ ଲୋକପ୍ରିୟ ମହିଳା ସାମ୍ବାଦିକା ନିଜ କ୍ରିକେଟ୍ ଦଳକୁ ତାଚ୍ଛଲ୍ୟ କରିବାକୁ ଯାଇ କହିଛନ୍ତି, ସତ କହିବାକୁ ଗଲେ ବାବର ବଲ୍ ଦେଖିବା ପରିବର୍ତ୍ତେ ପାଣ୍ଡ୍ୟାଙ୍କ ଘଣ୍ଟାକୁ ଅନାଇଥିଲେ। ଏହି ଘଣ୍ଟାର ଚମକ ଓ ସୁନ୍ଦରତା ଏତେ ଥିଲା ଯେ ତାକୁ ଦେଖି ବାବର କିଛି ବୁଝି ପାରି ନଥିଲେ। ଏଣୁ ୱିକେଟ୍ ରକ୍ଷକ କେଏଲ୍ ରାହୁଲଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରି ଯାଇଥିଲେ। ପାକିସ୍ତାନରେ ପାଣ୍ଡ୍ୟାଙ୍କ ହାତଘଡ଼ିକୁ ନେଇ ଚର୍ଚ୍ଚା ହେବା ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ବି ଏହି ଘଡ଼ିକୁ ନେଇ ଉତ୍ସୁକତା ବଢ଼ି ଯାଇଛି। ସଂପୃକ୍ତ ଘଡ଼ି ବିଷୟରେ ତଥ୍ୟ ଜାଣିବାକୁ ଲକ୍ଷଲକ୍ଷ ଭାରତୀୟ ମଙ୍ଗଳବାର ଗୁଗୁଲ୍ ସର୍ଚ୍ଚ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପାଣ୍ଡ୍ୟା ପିନ୍ଧୁଥିବା ଘଣ୍ଟାଟି ହେଉଛି ସ୍ବିଜରଲାଣ୍ଡର ପ୍ରତିଷ୍ଠିତ ବିଳାସପୂର୍ଣ୍ଣ ଘଡ଼ି ନିର୍ମାତା ରିଚାର୍ଡ ମିଲ୍ କଂପାନିର ଆରଏମ୍ ୨୭-୦୨ ମଡେଲ। ବିଶ୍ବର ବଛାବଛା କ୍ରୀଡ଼ା ତାରକାଙ୍କ ପାଖରେ ଏହି ଘଣ୍ଟା ଅଛି। କଂପାନି ଏହି ମଡେଲର କେବଳ ୫୦ଟି ଘଣ୍ଟା ନିର୍ମାଣ କରିଥିଲା। ଏଣୁ ଏହାକୁ ଆଭିଜାତ୍ୟର ପ୍ରତୀକ ଭାବେ ଦେଖାଯାଇଥାଏ। ପାଣ୍ଡ୍ୟାଙ୍କ ସହ ଏହି ଦାମୀ ଘଣ୍ଟା ସ୍ପେନ୍ର ମହାନ ଟେନିସ୍ ତାରକା ରାଫେଲ ନାଦାଲ, ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପାଖରେ ମଧ୍ୟ ଅଛି।