ସିଡ୍‌ନି: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଲାଗି ଅଷ୍ଟ୍ରେଲିଆ ଦଳ ମଙ୍ଗଳବାର ଘୋଷିତ ହୋଇଛି। ନିକଟରେ ଦକ୍ଷିଣ ଆଫ୍ରିକାକୁ ୨-୧ରେ ହରାଇଥିବା କଙ୍ଗାରୁ ଦଳକୁ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଫେରିଛନ୍ତି। ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ମିଚେଲ ମାର୍ସଙ୍କୁ ଦଳର ନେତୃତ୍ବ ଭାର ମିଳିଛି। ଗତମାସରେ ଟ୍ବେଣ୍ଟି-୨୦ରୁ ଅବସର ଘୋଷଣା କରିଥିବା ଷ୍ଟାର୍କ ଅଗଷ୍ଟରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବିଶ୍ରାମ ନେଇଥିଲେ। ଶେଷ ଥର ପାଇଁ ସେ ନଭେମ୍ବର ୨୦୨୪ରେ ଆଡିଲେଡ୍‌ଠାରେ ପାକିସ୍ତାନ ବିପକ୍ଷରେ ଏକଦିବସୀୟ କ୍ରିକେଟ୍ ଖେଳିଥିଲେ। ଏବେ କିନ୍ତୁ ୫୦ ଓଭରିଆ ଫର୍ମାଟ୍‌ରେ ନିଜର‌ ଶ୍ରେଷ୍ଠ ଦେବାକୁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି।

Advertisment

ନବାଗତ ମାଥ୍ୟୁ ରେନ୍‌’ଶ, ମ୍ୟାଟ୍ ସର୍ଟ ଓ ମିଚେଲ ଓୱେନଙ୍କୁ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ପ୍ରତୀକ୍ଷିତ ଶୃଙ୍ଖଳା ଲାଗି ସୁଯୋଗ ଦେଇଛି। ଦିନିକିଆ ଶୃଙ୍ଖଳା ଲାଗି କ୍ରିକେଟ୍ ଅଷ୍ଟ୍ରେଲିଆ ୧୫ଜଣ ଖେଳାଳିଙ୍କୁ ବାଛିଥିଲା ବେଳେ ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ଲାଗି ମାର୍ସଙ୍କ ନେତୃତ୍ବରେ ୧୪ଜଣିଆ ଦଳ ଘୋଷଣା କରିଛି । ଜୋସ୍ ଇଂଲିସ୍ ଓ ନାଥନ ଏଲିଅସ୍ ଟ୍ବେଣ୍ଟି-୨୦ ଦଳକୁ ଫେରିଥିଲା ବେଳେ ଆହତ ଅଲ୍‌ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ପୂରା ଫିଟ୍ ନଥିବାରୁ ତାଙ୍କୁ ବିଚାରକୁ ନିଆଯାଇ ନାହିଁ। ବିଶ୍ବ କ୍ରିକେଟ୍‌ର ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ପ୍ରଥମ ଦିନିକିଆ ପର୍ଥରେ ଚଳିତ ଅକ୍ଟୋବର ୧୯ ଏବଂ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍ ୨୩ ଓ ୨୫ରେ ଯଥାକ୍ରମେ ଆଡିଲେଡ୍ ଓ ସିଡ୍‌ନିରେ ଆୟୋଜିତ ହେବ। ସେହିଭଳି ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ଅକ୍ଟୋବର ୨୯ରେ କାନ୍‌ବେରା ଓ ୩୧ରେ ମେଲବର୍ଣ୍ଣରେ ଖେଳାଯିବ। 

ଦିନିକିଆ ଦଳ: ମିଚେଲ ମାର୍ସ (ଅଧିନାୟକ), ଜାଭିୟର ବାର୍ଟଲେଟ୍, ଆଲେକ୍ସ କ୍ୟାରି, କୁପର କନ୍‌ଲି, ବେନ୍ ଦ୍ବାରସୁଇସ୍, ନାଥନ ଏଲିସ୍, କ୍ୟାମେରନ୍ ଗ୍ରିନ୍, ଜୋସ୍ ହାଜେଲ୍‌ଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ମିଚେଲ ଓୱେନ୍, ମାଥ୍ୟୁ ରେନ୍‌’ଶ, ମାଥ୍ୟୁ ସର୍ଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା। 

ଟ୍ବେଣ୍ଟି-୨୦ ଦଳ (ପ୍ରଥମ ଦୁଇ ମ୍ୟାଚ୍‌): ମିଚେଲ ମାର୍ସ (ଅଧିନାୟକ), ସିନ୍ ଆବୋଟ୍, ଜାଭିୟର୍ ବାର୍ଟଲେଟ୍, ଟିମ୍ ଡେଭିଡ୍, ବେନ୍ ଦ୍ବାରସୁଇସ୍, ନାଥନ ଏଲିଅସ୍, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ, ମାଥ୍ୟୁ କୁନେମ୍ୟାନ୍, ମିଚେଲ ଓୱେନ୍, ମାଥ୍ୟୁ ସର୍ଟ, ମାର୍କସ ଷ୍ଟୋଇନିସ୍, ଆଡାମ ଜାମ୍ପା।