ମେଲ୍‌ବର୍ଣ୍ଣ: ଚଳିତ ବର୍ଷ ଜୁନ୍‌ ୭ ତାରିଖରୁ ଦି ଓଭାଲରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ (ଡବ୍ଲୁଟିସି) ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଆସେସ୍‌ ଟେଷ୍ଟ୍‌ (ଏଜ୍‌ବାଷ୍ଟନ ଓ ଲର୍ଡ୍‌ସ) ପାଇଁ ଅଷ୍ଟ୍ରେଲିଆ ତା’ର ୧୭ ଜଣିଆ ଦଳ ଘୋଷଣା କରିଛି। ଡେଭିଡ୍‌ ୱାର୍ଣ୍ଣର ଏବେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କ ଉପରେ ଚୟନକର୍ତ୍ତାମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏପରିକି ୱାର୍ଣ୍ଣରଙ୍କ ସ୍ଥାନ ଭରଣା କରିବା ପାଇଁ ଚୟନ କମିଟି ଅନ୍ୟତମ ଦୁଇ ଓପ୍‌ନର ମାର୍କସ ହାରିସ ଏବଂ ମ୍ୟାଟ୍‌ ରେନ୍‌ସଙ୍କୁ ମଧ୍ୟ ଦଳରେ ସାମିଲ କରିଛି। ପୂର୍ବରୁ ହାରିସ୍‌ ଓପ୍‌ନର ଭାବେ ଦଳର ରହିଥିଲେ ମଧ୍ୟ ୱାର୍ଣ୍ଣରଙ୍କ ସହ ଉସ୍‌ମାନ ଖୱାଜା ପାଳି ଆରମ୍ଭ କରିବାରୁ ସେ ୨୦୨୨-୨୩ ପୂରା ଋତୁରୁ ବଞ୍ଚିତ ହୋଇଥିଲେ।

Advertisment

ସେହିପରି ଆବଶ୍ୟକତାସ୍ଥଳେ ଅଲ୍‌ରାଉଣ୍ଡର କାମେରନ୍ ଗ୍ରିନ୍‌ଙ୍କ ସ୍ଥାନ ଭରଣା କରିବା ପାଇଁ ୨୦୧୯ ଆସେସ୍‌ ପରଠୁ ଖେଳିନଥିବା ମିଚେଲ ମାର୍ଶ ପ୍ରଥମ ଥର ପାଇଁ ଟେ‌ଷ୍ଟ୍‌ ଦଳକୁ ଫେରିଛନ୍ତି। ତେବେ ଗତ ଫେବ୍ରୁଆରି-ମାର୍ଚ୍ଚରେ ଭାରତ ଗସ୍ତରେ ଟେଷ୍ଟ୍‌ ଶୃଙ୍ଖଳା ଖେଳିଥିବା ବ୍ୟାଟର ପିଟର ହ୍ୟାଣ୍ଡ୍‌ସ୍କମ୍ବ୍‌, ଅଲ୍‌ରାଉଣ୍ଡର ଅଷ୍ଟନ ଅଗର ଏବଂ ଦୁଇ ସ୍ପିନର ମିଚେଲ ସ୍ବିନ୍‌ସନ ଓ ମ୍ୟାଟ୍‌ କୁହ୍ନେମାନ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ଇଂଲଣ୍ଡର ପରିବେଶ ଭିନ୍ନ ଥିବାରୁ ଆମେ ବହୁ ଭାବିଚିନ୍ତି ଡବ୍ଲୁଟିସି ଫାଇନାଲ୍‌ ଏବଂ ଆସେସ୍‌ ପାଇଁ ଦଳ ଘୋଷଣା କରିଛୁ ବୋଲି କହିଛନ୍ତି ମୁଖ୍ୟ ଚୟନକର୍ତା ଜର୍ଜ ବେଲି। ତେବେ ଇଂଲଣ୍ଡ ପରିବେଶକୁ ଦୃଷ୍ଟିରେ ରଖି ଅଫ୍‌ ସ୍ପିନର ଟଡ୍‌ ମର୍ଫିଙ୍କୁ ଦଳରେ ସୁରକ୍ଷିତ ରଖିଛୁ ବୋଲି ସେ କହିଛନ୍ତି। ଡବ୍ଲୁଟିସି ଫାଇନାଲ୍‌ ଏବଂ ପ୍ରଥମ ଦୁଇ ଆସେସ୍‌ ଟେଷ୍ଟ୍‌ ପରେ ଖେଳାଳିଙ୍କ ପ୍ରଦର୍ଶନକୁ ପରଖି ପରବର୍ତୀ ୩ ଟେଷ୍ଟ୍‌ ପାଇଁ ନୂଆ ଦଳ ଘୋଷଣା କରାଯିବ। ଏହାଫଳରେ ୱାର୍ଣ୍ଣରଙ୍କ ଉପରେ ଖଣ୍ଡା ଝୁଲିବାର ଆଶଙ୍କା ରହିଛି। ବୁଧବାର ଘୋଷିତ ୧୭ ଜଣିଆ ଦଳ ଡବ୍ଲୁଟିସି ଫାଇନାଲ୍‌ ପାଇଁ ୧୫ ଜଣିଆରେ ସୀମିତ ରହିବ ବୋଲି ବେଲି କହିଛନ୍ତି।

ଦଳ: ପ୍ୟାଟ୍‌ କମିନ୍ସ (ଅଧିନାୟକ), ସ୍କଟ୍‌ ବୋଲାଣ୍ଡ, ଆଲେକ୍ସ କାରେ, କାମେରନ ଗ୍ରିନ୍‌, ମାର୍କସ ହାରିସ, ଜୋସ୍‌ ହାଜ୍‌ଲେଉଡ୍‌, ଟ୍ରାଭିସ୍‌ ହେଡ୍‌, ଜୋସ୍‌ ଇଙ୍ଗ୍‌ଲିସ, ଉସ୍‌ମାନ ଖୱାଜା, ମାର୍ନସ ଲବୁସାନ୍‌, ନାଥନ ଲାୟନ, ମିଚେଲ ମାର୍ଶ, ଟଡ୍‌ ମର୍ଫି, ମାଥ୍ୟୁ ରେନ୍‌ସ, ଷ୍ଟିଭ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଡେଭିଡ୍‌ ୱର୍ଣ୍ଣର।