ବର୍ମିଂହାମ୍‌ : ପ୍ରଥମ ଦିନରୁ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିବା ଇଂଲଣ୍ଡକୁ କଡ଼ା ଜବାବ ଦେଇଛି ଅଷ୍ଟ୍ରେଲିଆ। ଆସେସ୍‌ ଟ୍ରଫି ପ୍ରଥମ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଉସ୍ମାନ ଖୱାଜାଙ୍କ ଶତକ ଓ ଅନ୍ୟମାନଙ୍କ ମିଳିତ ଅବଦାନ ବଳରେ ଅଷ୍ଟ୍ରେଲିଆ ୩୧୧/୫ ସ୍କୋର କରି ଦୃଢ ସ୍ଥିତିରେ ରହିଛି। ଏବେବି ଇଂଲଣ୍ଡର ପ୍ରଥମ ପାଳି ୩୯୩ ରନ୍‌ଠୁ ଅଷ୍ଟ୍ରେଲିଆ ୮୨ ରନ୍‌ ପଛରେ ରହିଛି।

Advertisment

ପ୍ରଥମ ଦିନର ଅସମାପ୍ତ ସ୍କୋର ୧୪/୦ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ବିପର୍ଯ୍ୟୟର ସାମ୍ନା କରିଥିଲା। ଡେଭିଡ ୱାର୍ଣ୍ଣର (୯) ଓ ମାର୍ନସ ଲବୁସାନ୍ (୦)ଙ୍କୁ ଲଗାତାର ବଲ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ ଆଉଟ୍‌ କରି ଘରୋଇ ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୧୬ ରନ୍‌ କରି ବେନ୍‌ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ଖୱାଜା ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଟ୍ରାଭିସ୍‌ ହେଡ୍‌ (୫୦)ଙ୍କ ସହ ମିଶି ଚତୁର୍ଥ ୱିକେଟ୍‌ରେ ୮୧ ରନ୍‌ ଓ କାମେରନ୍‌ ଗ୍ରିନ୍‌ଙ୍କ ସହ ପଞ୍ଚମ ୱିକେଟ୍‌ରେ ୭୨ରନ୍‌ ଏବଂ ଆଲେକ୍ସ କ୍ୟାରି (୫୨*)ଙ୍କ ସହ ଷଷ୍ଠ ୱିକେଟ୍‌ରେ ୯୧* ରନ୍‌ ଯୋଡ଼ି ଦଳକୁ ଦୃଢ ସ୍ଥିତିରେ ରଖିଥିଲେ। ଅଷ୍ଟ୍ରେଲିଆ ବ୍ୟାଟର ଏକାଧିକ କ୍ୟାଚ୍‌ ସୁଯୋଗ ଦେଇଥିଲେ ମଧ୍ୟ ଘରୋଇ କ୍ଷେତ୍ରରକ୍ଷକମାନେ ତାହାକୁ ହାତଛଡ଼ା କରିବାରୁ ଦ୍ବିତୀୟ ଦିନକୁ ଅଷ୍ଟ୍ରେଲିଆ କବ୍‌ଜା କରିଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି ୭୮ ଓଭରରେ ୩୯୩/୮ ଘୋଷିତ (ଜୋ ରୁଟ୍‌ ୧୧୮*, ଜନି ବେୟାରଷ୍ଟୋ ୭୮, ଜାକ୍‌ କ୍ରଲି ୬୧, ନାଥନ୍‌ ଲାୟନ ୪/୧୪୯, ଜୋସ ହାଜଲଉଡ୍‌ ୨/୬୧)। ଅଷ୍ଟ୍ରେଲିଆ ପ୍ରଥମ ପାଳି ୯୪ ଓଭରରେ ୩୧୧/୫ (ଉସ୍ମାନ ଖୱାଜା ୧୨୬*, ଆଲେକ୍ସ କ୍ୟାରି ୫୨*, ଟ୍ରାଭିସ୍‌ ହେଡ୍‌ ୫୦, ଷ୍ଟୁଆର୍ଟ ବ୍ରଡ୍‌ ୨/୪୯, ମୋଇନ୍‌ ଅଲ୍ଲୀ ୨/୧୨୪)।