ସିଡ୍ନି: ଦ୍ବିତୀୟ ଦିନରେ ୧୫ ୱିକେଟ୍ ପତନ ସହ ବଢ଼ିଥିବା ଉତ୍କଣ୍ଠା ଭାରତକୁ ଫାଇଦା ଦେଇପାରିଲା ନାହିଁ। ଦୁଇ ହାତରେ ଦିନିକିଆ ବିଶ୍ବକପ୍ ଓ ବିଶ୍ବ ଟେଷ୍ଟ୍ ମୁକୁଟ ରଖିଥିବା ଅଷ୍ଟ୍ରେଲିଆ ଦୀର୍ଘ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫିକୁ ହାତେଇ ପାରିଛି। ସିଡ୍ନିରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ରେ ଅଧିନାୟକ ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ୬ ୱିକେଟ୍ରେ ବାଜି ମାରି ନେବାରୁ ଏହା ସମ୍ଭବ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ହ୍ୟାଟ୍ରିକ୍ ଟେଷ୍ଟ୍ ଶୃଙ୍ଖଳା ବିଜୟ ନ ପାଇବା ଫଳରେ ଭାରତ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆକୁ ସମର୍ପିଦେବାକୁ ବାଧ୍ୟ ହୋଇଛି।। ଭାରତୀୟ ବ୍ୟାଟର୍ଙ୍କ ବିଫଳତା ଏବଂ ଦୁଇ ଅଧିନାୟକ ରୋହିତ ଶର୍ମା, ଯଶପ୍ରୀତ୍ ବୁମ୍ରା ବାହାରେ ବସିବା କାରଣରୁ ଭାରତକୁ ମଧ୍ୟ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ଲଢ଼ିବାର ସୁଯୋଗ ମିଳି ନଥିଲା। ଓପନର୍ଙ୍କ ବିଫଳତା, କୋହଲିଙ୍କ ଅଫଷ୍ଟମ୍ପ୍ ଦୁର୍ବଳତା ସହିତ ଭାରତୀୟ ବୋଲର୍ଙ୍କ ଦୁର୍ବଳ ଚତୁର୍ଥ ପାଳି ବୋଲିଂ କାରଣରୁ ଏବେ ଭାରତୀୟ କ୍ରିକେଟ୍ର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ରବିବାର ଭାରତ ୧୪୧/୬ରୁ ଖେଳିବା ପରେ କିଛି ଲଢ଼ୁଆ ଖେଳ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା। ପୂର୍ବ ସଂଧ୍ୟାରୁ ଅପରାଜିତ ଥିବା ଭାରତର ଶେଷ ସ୍ବୀକୃତିପ୍ରାପ୍ତ ବ୍ୟାଟିଂ ଯୋଡ଼ି ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ସେଭଳି କିଛି କରିପାରି ନଥିଲେ। ଫଳରେ ଭାରତ ରବିବାର ସକାଳେ ୭.୫ ଓଭର ଖେଳି ମାତ୍ର ୧୬ ରନ୍ ଯୋଡ଼ି ଶେଷ ୪ ୱିକେଟ୍ ହରାଇ ଦେଇଥିଲା। ସ୍କଟ୍ ବୋଲାଣ୍ଡ୍ ଓ ପ୍ୟାଟ୍ କମିନ୍ସ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ବୋଲାଣ୍ଡ୍ କିନ୍ତୁ ମ୍ୟାଚ୍ରେ ୧୦ ୱିକେଟ୍ (୪/୩୧ ଓ ୬/୪୫) ଅକ୍ତିଆର କରି ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅଗ୍ରଣୀ ବୋଲର ବୁମ୍ରା (୩୨ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଭାରତର ଦ୍ବିତୀୟ ପାଳି ୧୫୭ ରନ୍ରେ ଶେଷ ହୋଇଯିବା ପରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୬୨ ରନ୍ ଲକ୍ଷ୍ୟ ରହିଥିଲା। ପ୍ରଥମ ପାଳି ଭଳି ପ୍ରସିଦ୍ଧ କୃଷ୍ଣ ଘାତକ ବୋଲିଂ କରି ମଧ୍ୟାହ୍ନ ଭୋଜନ ପୂର୍ବରୁ ୩ ୱିକେଟ୍ ଦଖଲ କରିନେବାରୁ ଅଷ୍ଟ୍ରେଲିଆ ୫୯/୩ରେ ସଂଘର୍ଷ କରିଥିଲା। ସାମ୍ କନଷ୍ଟାସ୍ (୨୨), ମାର୍ନସ ଲବୁସେନ୍ (୬), ଷ୍ଟିଭେନ୍ ସ୍ମିଥ୍ (୪)ଙ୍କୁ ପ୍ୟାଭିଲିଅନ୍ ପଠାଇ ସେ ଭାରତ ପାଇଁ ଆଶା ସଂଚାର କରିଥିଲେ। ଉସ୍ମାନ ଖୱାଜା (୪୧)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ। କିନ୍ତୁ ଟ୍ରାଭିସ୍ ହେଡ୍ (୩୪*) ଓ ବିଉ ୱେବଷ୍ଟର୍ (୩୯*) ଅତୁଟ ପଞ୍ଚମ ୱିକେଟ୍ ପାଇଁ ୫୮* ରନ୍ ଯୋଡ଼ି ବିଜୟକୁ ସହଜ କରି ଦେଇଥିଲେ। ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତର ପେସ୍ ବୋଲିଂ ବିକଳ୍ପ ସୀମିତ ହୋଇଯିବାରୁ ଶେଷ ସୁଯୋଗଟି ବି ହାତଛଡ଼ା ହୋଇଯାଇଥିଲା। ଫଳରେ ଭାରତ ଶେଷ ୮ ଟେଷ୍ଟ୍ରୁ ୬ଟି ହାରିବା ସହ ନବନିଯୁକ୍ତ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମୁଣ୍ଡରେ ଖଣ୍ଡା ଝୁଲାଇଛି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୮୫ (ଋଷଭ ପନ୍ତ୍-୪୦, ରବୀନ୍ଦ୍ର ଜାଡ଼େଜା-୨୬, ଯଶପ୍ରୀତ୍ ବୁମ୍ରା-୨୨, ସ୍କଟ୍ ବୋଲାଣ୍ଡ-୪/୩୧, ମିଚେଲ୍ ଷ୍ଟାର୍କ-୩/୪୯, ପ୍ୟାଟ୍ କମିନ୍ସ-୨/୩୭, ନାଥନ୍ ଲାୟନ୍-୧/୧୯)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୮୧ (ବିଉ ୱେବ୍ଷ୍ଟର୍-୫୭, ପ୍ରସିଦ୍ଧ କୃଷ୍ଣ-୩/୪୨, ମହମ୍ମଦ ସିରାଜ-୩/୫୧, ନୀତୀଶ କୁମାର ରେଡ୍ଡୀ-୨/୩୨, ଯଶପ୍ରୀତ୍ ବୁମ୍ରା-୨/୩୩)। ଭାରତ ଦ୍ବିତୀୟ ପାଳି: ୩୯.୫ ଓଭରରେ ୧୫୭ (ଋଷଭ ପନ୍ତ୍-୬୧, ଯଶସ୍ବୀ ଜୟସ୍ବାଲ-୨୨, ରବୀନ୍ଦ୍ର ଜାଡ଼େଜା-୧୩, ୱାସିଂଟନ୍ ସୁନ୍ଦର-୧୨, ସ୍କଟ୍ ବୋଲାଣ୍ଡ୍-୬/୪୫, ପ୍ୟାଟ୍ କମିନ୍ସ-୩/୪୪, ବିଉ ୱେବ୍ଷ୍ଟର୍-୧/୨୪)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୨୭ ଓଭରରେ ୧୬୨/୪ (ଉସ୍ମାନ ଖୱାଜା-୪୧, ସାମ୍ କନ୍ଷ୍ଟାସ୍-୨୨, ଟ୍ରାଭିସ୍ ହେଡ୍-୩୪*, ବିଉ ୱେବ୍ଷ୍ଟର୍-୩୯*, ପ୍ରସିଦ୍ଧ କୃଷ୍ଣ-୩/୬୫, ମହମ୍ମଦ ସିରାଜ-୧/୬୯)।
ସବୁଠୁ କମ୍ ବଲ୍, ସିଡ୍ନିରେ ତୃତୀୟ ସଂକ୍ଷିପ୍ତ
ଭାରତ ଓ ଅଷ୍ଟ୍ରେଲିଆ ସିଡନିରେ ମୋଟ ୧୧୪୧ ବଲ୍ ଖେଳି ଫଳାଫଳ ପାଇଛନ୍ତି। ସିଡ୍ନି ପଡ଼ିଆରେ ଏହା ୧୮୮୮ ମସିହା ପରେ ତୃତୀୟ ସଂକ୍ଷିପ୍ତ ଫଳାଫଳ ଭିତ୍ତିକ ଟେଷ୍ଟ୍। ଭାରତ ବ୍ୟାଟିଂରେ ମୋଟ ୬୭୩ ବଲ୍ ତିଷ୍ଠି ପାରିଥିଲା। ଭାରତ ପାଇଁ ଏହା ସିଡ୍ନିରେ ସବୁଠୁ ସ୍ବଳ୍ପ। ୧୯୮୧ ମସିହାର ଭାରତ ଏଠାରେ ୬୯୨ ବଲ୍ ଖେଳିଥିଲା। ଓଭର ପିଛା ୬ ରନ୍ ହାରରେ ଅଷ୍ଟ୍ରେଲିଆ ପଶ୍ଚାତ୍ଧାବନ କରି ଜିତିଛି। ଯାହାକି ଅଷ୍ଟ୍ରେଲିଆ ମାଟିରେ ୧୫୦+ ରନ୍ ପଶ୍ଚାତ୍ଧାବନରେ ଦ୍ରୁତତମ। ବୋଲାଣ୍ଡ୍ ଟେଷ୍ଟ୍ କ୍ରିକେଟ୍ରେ ଭାରତ ବିପକ୍ଷରେ ୧୬.୦୦ ହାରରେ ବୋଲିଂ କରିଛନ୍ତି। ଚଳିତ ଶତାବ୍ଦୀରେ ଅନ୍ୟୂନ ୧୫ ୱିକେଟ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ବୋାଲାଣ୍ଡ୍ ଭାରତ ବିପକ୍ଷରେ ଶ୍ରେଷ୍ଠ। ୨୦୦୩ ମସିହା ପରେ ସିଡ୍ନିରେ ମଧ୍ୟ ବୋଲାଣ୍ଡ୍ ତୃତୀୟ ବୋଲର ଭାବେ ମ୍ୟାଚ୍ରେ ୧୦ ୱିକେଟ୍ ଅକ୍ତିଆର କରିଛନ୍ତି। ଷ୍ଟିଭେନ୍ ସ୍ମିଥ୍ ୯୯୯୯ ଟେଷ୍ଟ୍ ରନ୍ରେ ଅଟକିଯାଇଛନ୍ତି। ପ୍ରସିଦ୍ଧ କୃଷ୍ଣ ତାଙ୍କୁ ଆଉଟ୍ କରିବାରୁ ସେ ବିଶ୍ବ କ୍ରିକେଟ୍ରେ ମାତ୍ର ଗୋଟିଏ ରନ୍ ପାଇଁ ୧୦,୦୦୦ ରନ୍ ପୂର୍ଣ୍ଣ କରିପାରିନାହାନ୍ତି। ଜୟବର୍ଦ୍ଧନେ ୨୦୧୧ରେ ସେଞ୍ଚୁରିଅନ୍ରେ ୯୯୯୯ ରନ୍ରେ ଥାଇ ଆଉଟ୍ ହୋଇଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଏଥରର ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଭାରତ ୭ ଥର ୨୦୦ ଅତିକ୍ରମ କରିପାରିନାହିଁ। ଏକବିଂଶ ଶତାବ୍ଦୀରେ ଏହା ଅଷ୍ଟ୍ରେଲିଆ ବିପକ୍ଷରେ ଯୁଗ୍ମ ସର୍ବାଧିକ। ୱେଷ୍ଟଇଣ୍ଡିଜ୍ ୨୦୦୦-୦୧ରେ ଏଭଳି ଅଲୋଡ଼ା ରେକର୍ଡ କରିଥିଲା।
କୋହଲି, ରୋହିତ ନିଜ ନିଷ୍ପତ୍ତି ନିଜେ ନେବେ: ଗମ୍ଭୀର
ବର୍ଡର-ଗାଭାସ୍କର୍ ଟ୍ରଫିରେ ସଂଘର୍ଷ କରିଥିବା ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସମର୍ଥନ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର। ଉଭୟଙ୍କ ନିକଟରେ ଏବେ ବି ରନ୍ କରିବାର ଭୋକ ବାକି ଅଛି। ଭାରତୀୟ କ୍ରିକେଟ୍ର ହିତ ଦୃଷ୍ଟିରେ ସେମାନେ ନିଜ ଭବିଷ୍ୟତ ନିଷ୍ପତ୍ତି ନିଜେ ନେବେ ବୋଲି ସିଡ୍ନି ଟେଷ୍ଟ୍ ପରାଜୟ ପରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ସେ। ଗମ୍ଭୀର କହିଛନ୍ତି, ସତ କଥା ହେଲା ସବୁଖେଳାଳି ଦଳରେ ନିଜନିଜ ଭୂମିକା ଭଲ ଭାବରେ ଜାଣିଛନ୍ତି। ସେହିଭଳି ଡ୍ରେସିଂ ରୁମ୍ ପରିବେଶକୁ ଗୁରୁତ୍ବ ଦେଇଛନ୍ତି ସେ। ଡ୍ରେସିଂ ରୁମ୍ର ପରିବେଶ ଅନେକାଂଶରେ ଦଳର ପ୍ରଦର୍ଶନକୁ ପ୍ରଭାବିତ କରେ। ଆମ ଡ୍ରେସିଂ ରୁମ୍ରେ ଏବେ ସବୁକିଛି ଠିକ୍ ଅଛି। ଖୁବ୍ଶୀଘ୍ର ଏହି ସଂଘର୍ଷମୟ ସମୟ ଦୂର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ସେ।
ଟ୍ରଫି ଉତ୍ସବରୁ ବାଦ୍ ପଡ଼ି ଗାଭାସ୍କର କ୍ଷୁବ୍ଧ
ବର୍ଡର-ଗାଭାସ୍କର ଟ୍ରଫି ପ୍ରଦାନ ଉତ୍ସବରୁ ବାଦ୍ ପଡ଼ିବା ପରେ ଭାରତୀୟ କିବଂଦନ୍ତି ସୁନୀଲ ଗାଭାସ୍କର କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଟ୍ରଫି ଭାରତ-ଅଷ୍ଟ୍ରେଲିଆ ନାଁରେ ଖେଳାଯାଉ ନଥିଲା, ବର୍ଡର-ଗାଭାସ୍କର ଟ୍ରଫି ନାଁରେ ଆୟୋଜିତ ହେଉଥିଲା। ମୁଁ ଷ୍ଟାଡିୟମ୍ରେ ଥାଇ ମଧ୍ୟ ମୋତେ ପୁରସ୍କାର ବିତରଣୀ ଉତ୍ସବକୁ ଡକା ଗଲା ନାହିଁ। ବର୍ଡରଙ୍କ ସହ ଅଷ୍ଟ୍ରେଲିଆ ଦଳକୁ ଟ୍ରଫି ହସ୍ତାନ୍ତର କରିଥିଲେ ମୁଁ ବହୁତ ଖୁସି ହୋଇଥା’ନ୍ତି ବୋଲି ଗାଭାସ୍କର କହିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛି। କହିଛି, ଭାରତ ଟ୍ରଫି ଜିତିଥିଲେ ଗାଭାସ୍କର ଏହାକୁ ପ୍ରଦାନ କରିଥା’ନ୍ତେ। ଅଷ୍ଟ୍ରେଲିଆ ଜିତିଥିବାରୁ ବର୍ଡରଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଥିଲା। ଏକଥା ପୂର୍ବରୁ ଗାଭାସ୍କରଙ୍କୁ ଜଣାଇ ଦିଆଯାଇଥିଲା।
କୋହଲିଙ୍କ ଆଭରେଜ୍ ନବାଗତଙ୍କ ଭଳି
ଭାରତୀୟ କ୍ରିକେଟ୍ ଦଳ ବର୍ଡର-ଗାଭାସ୍କର୍ ଶୃଙ୍ଖଳା ହାରିବା ପରେ ଦଳର ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ପ୍ରଦର୍ଶନ ବିତର୍କ ଭିତରକୁ ଆସିଛି। ତାଙ୍କୁ ଦଳରୁ ବାଦ୍ ଦେବାକୁ କେତେକ ପୂର୍ବତନ କ୍ରିକେଟର୍ ଖୋଲାଖୋଲି ଭାବେ ଦାବି କରିଛନ୍ତି। କାରଣ ପର୍ଥରେ ଖେଳା ଯାଇଥିବା ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ର ଦ୍ବିତୀୟ ପାଳିରେ ଶତକ ଅର୍ଜନ ଛଡ଼ା ପୂରା ଶୃଙ୍ଖଳାରେ କୋହଲି ନିରାଶ କରିଛନ୍ତି। ଦଳର ଆବଶ୍ୟକତା ସମୟରେ ନିଜ ୱିକେଟ୍ ଫିଙ୍ଗି ଦେଇଛନ୍ତି। ୯ ପାଳି ଖେଳି ୨୩.୭୫ ହାରରେ ମାତ୍ର ୧୯୦ ରନ୍ କରିଛନ୍ତି। ଖାଲି ସେତିକି ନୁହେଁ ଗତ ୫ବର୍ଷ ମଧ୍ୟରେ କୋହଲିଙ୍କ ଟେଷ୍ଟ୍ ପ୍ରଦର୍ଶନ ମଧ୍ୟ ଏବେ କ୍ରିକେଟ୍ ପଣ୍ଡିତଙ୍କ ନଜରକୁ ଆସିଛି। ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ୍ ତାଙ୍କୁ ଏଥିଲାଗି ତୀବ୍ର ସମାଲୋଚନା କରିଛନ୍ତି। ଦୁର୍ବଳତା ଦୂର ନକଲେ ଅନ୍ୟମାନଙ୍କ ପାଇଁ ବାଟ ଛାଡ଼ିବାକୁ କୋହଲିଙ୍କୁ ଖୋଲା ଆହ୍ବାନ ଦେଇଛନ୍ତି ପଠାନ। ସେହିଭଳି କୋହଲି କେବେ ଘରୋଇ କ୍ରିକେଟ୍ ଖେଳିଥିଲେ, ତାଙ୍କର ସେକଥା ମନେ ଅଛି କି? ବୋଲି କହି କଟାକ୍ଷ କରିଛନ୍ତି। ସୂଚନାଯୋଗ୍ୟ ଯେ କୋହଲି ୨୦୧୨ ମସିହା ପରଠାରୁ ଆଉ ଘରୋଇ କ୍ରିକେଟ୍ ଖେଳି ନାହାନ୍ତି। ୨୦୨୦ ମସିହା ପରଠାରୁ ୩୯ ଟେଷ୍ଟ୍ ଖେଳି ୩୦.୭୨ ହାରରେ ମାତ୍ର ୨୦୨୮ ରନ୍ କରିଛନ୍ତି। ଏହି କଥାକୁ ଉଜାଗର କରି ପଠାନ କହିଛନ୍ତି ଯେ କୋହଲି ବହୁତ ରନ୍ କରିଛନ୍ତି। ହେଲେ ୨୦୨୪ରେ ତାଙ୍କ ପ୍ରଥମ ପାଳି ଆଭରେଜ୍ ହେଉଛି ମାତ୍ର ୧୫। ଗତ ପାଞ୍ଚବର୍ଷ ଭିତରେ ତାଙ୍କ ଆଭରେଜ୍ ହେଉଛି ୩୦ ପାଖାପାଖି। ଭାରତୀୟ ଦଳ ଏଭଳି ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳରେ ନେବା ଉଚିତ ବୋଲି ପ୍ରଶ୍ନ କରିଛନ୍ତି ପଠାନ।