ନ୍ୟୁଜିଲାଣ୍ଡକୁ ମୂଳପୋଛ କଲା ଅଷ୍ଟ୍ରେଲିଆ: ଫିଞ୍ଚ୍‌ଙ୍କ ଦିନିକିଆ କ୍ୟାରିୟର ଶେଷ

କେନ୍ସ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟିକିଆ ଏକଦିବସୀୟ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୩-୦ରେ ପୋଛି ନେଇଛି। ତା’ ସହ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କୁ ସ୍ମରଣୀୟ ବିଦାୟୀ ସମ୍ବର୍ଦ୍ଧନା ଦେଇଛି। ଫିଞ୍ଚ୍ ଏହି ଶୃଙ୍ଖଳା ପରେ ଏକଦିବସୀୟ କ୍ରିକେଟ୍ ଛଡ଼ିବେ ବୋଲି ଘୋଷଣା କରିସାରିଥିଲେ। ଏଣୁ ନିଜ ଶେଷ ଶୃଙ୍ଖଳାକୁ ଜିତି ୫୦ ଓଭରିଆ କ୍ରିକେଟ୍ କ୍ୟାରିୟରରେ ସୁଖଦ ପୂର୍ଣ୍ଣଛେଦ ଟାଣିଛନ୍ତି ସେ। କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ପୂରା ଶୃଙ୍ଖଳାରେ ୧୬୭ ରନ୍ କରିଥିଲା ବେଳେ ରବିବାରର ତୃତୀୟ ତଥା ଶେଷ ମୁକାବିଲାରେ ୧୦୫ ରନ୍ କରିବା ସହ ୩ କ୍ୟାଚ୍ ନେଇଥିଲେ। ଫଳରେ ତାଙ୍କୁ ଉଭୟ ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
ପ୍ରଥମ ଦୁଇ ଦିନିକିଆ ହାରି ୦-୨ରେ ପଛୁଆ ଥିବା‌ ନ୍ୟୁଜିଲାଣ୍ଡ ଆଜି ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମାତ୍ର ୧୬ ରନ୍‌ରେ ୨ ୱିକେଟ୍ ହରାଇବା ସତ୍ତ୍ବେ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଶତକ ଏବଂ ମାର୍ନସ ଲବୁସେନ (୫୨)ଙ୍କ ଅର୍ଦ୍ଧଶତକ ସହ ଆଲେକ୍ସ କେରିଙ୍କ ୪୨* ରନ୍ ବଳରେ ଅଷ୍ଟ୍ରେଲିଆ ୫ ୱିକେଟ୍ ବିନିମୟରେ ୨୬୭ ରନ୍ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡର ୮ ଜଣ ବ୍ୟାଟର୍‌ ଦୁଇ ଅଙ୍କ ଛୁଇଁଥିଲେ ମଧ୍ୟ କେହି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଫଳରେ ଦଳ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୨ ରନ୍‌ କରି ପାରିଥିଲା। ଶୃଙ୍ଖଳାରେ ମଧ୍ୟ ବିଜୟ ଖାତା ଖୋଲିବାକୁ ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର