ଦିନିକିଆରେ ନିଜ ଘରେ ଭାରତର ଦ୍ୱିତୀୟ ୧୦ ୱିକେଟ୍‌ ପରାଜୟ

୨: ଭାରତ ଦିନିକିଆରେ ନିଜ ଘରେ ଦ୍ବିତୀୟ ଥର ଲାଗି ୧୦ ୱିକେଟ୍‌ର ପରାଜୟ ବରଣ କଲା। ଶେଷ ଥର ଇଡେନ୍‌ ଗାର୍ଡେନ୍ସ (୨୦୦୫)ରେ ଦକ୍ଷିଣ ଆଫ୍ରିକାଠୁ ୧୦ ୱିକେଟ୍‌ରେ ହାରିଥିଲା। ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ପ୍ରଥମ ହୋଇଥିଲା ବେଳେ ଭାରତ ମୋଟ ୫ ଥର ୧୦ ୱିକେଟ୍‌ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଏହା ପଞ୍ଚମ ୧୦ ୱିକେଟ୍‌ ବିଜୟ ଥିଲା। ଶେଷ ଥର ଲାଗି ଅଷ୍ଟ୍ରେଲିଆ ୨୦୦୭ ବିଶ୍ବକପ୍‌ରେ ବାଂଲାଦେଶକୁ ହରାଇଥିଲା।

୧: ଦିନିକିଆରେ ବିନା କ୍ଷତିରେ ୨୫୬ ରନ୍‌ର ଲକ୍ଷ୍ୟକୁ ପଶ୍ଚାତ୍‌ଧାବନ କରି ସଫଳତା ପାଇବା ଅଷ୍ଟ୍ରେଲିଆ ପାଇଁ ପ୍ରଥମ। ଦକ୍ଷିଣ ଆଫ୍ରିକା ନାମରେ ବିନା କ୍ଷତିରେ ସର୍ବାଧିକ ରନ୍‌ ବିଜୟର କୀର୍ତ୍ତିମାନ ରହିଛି। ୨୦୧୭ରେ ବାଂଲାଦେଶ ବିପକ୍ଷରେ ୨୭୯ ରନ୍‌ର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ୍‌ ନ ହରାଇ ଦକ୍ଷିଣ ଆଫ୍ରିକା ହାସଲ କରିଥିଲା।

୨୫୮: ଡେଭିଡ ୱାର୍ନର ଓ ଅରୋନ ଫିଞ୍ଚ କରିଥିବା ୨୫୮ ରନ୍‌ର ଭାଗୀଦାରି ଭାରତ ବିପକ୍ଷରେ ‌ଯେ କୌଣସି ୱିକେଟ୍‌ ପାଇଁ ସର୍ବାଧିକ। ପୂର୍ବରୁ ଏହି କୀର୍ତ୍ତିମାନ ୨୦୧୬ରେ ଜର୍ଜ ବେଲି ଓ ଷ୍ଟିଭେନ୍‌ ସ୍ମିଥ୍‌ (୨୪୨ ରନ୍‌)ଙ୍କ ନାମରେ ଥିଲା। ମୋଟ ଉପରେ ୱାର୍ନର ଓ ପିଞ୍ଚ୍‌ଙ୍କ ଏହି ଭାଗୀଦାରି ଯେ କୌଣସି ୱିକେଟ୍‌ ଲାଗି ପଶ୍ଚାତ୍‌ଧାବନରେ ତୃତୀୟ। ଅଷ୍ଟ୍ରେଲିଆ ପାଇଁ ମଧ୍ୟ ତୃତୀୟ ଏବଂ ସବୁଥିରେ ୱାର୍ନରଙ୍କ ସାମିଲ ରହିଛି।

୦: ପିଞ୍ଚ୍‌ ଓ ୱାର୍ନରଙ୍କ ୨୫୮ ରନ୍‌ର ଭାଗୀଦାରି ପୂର୍ବରୁ କୌଣସି ପ୍ରାରମ୍ଭିକ ଯୋଡ଼ି ଭାରତରେ ଏତେବଡ଼ ସ୍କୋର କରିନଥିଲେ। ପୂର୍ବରୁ ୨୦୦୦ରେ ପୁନେରେ ଗ୍ୟାରି କର୍ଷ୍ଟେନ୍‌ ଓ ହରସେଲ୍‌ସ ଗିବ୍ସ କରିଥିବା ୨୩୫ ରନ୍‌ ସର୍ବୋଚ୍ଚ ଥିଲା।

୧୦୬: ଦିନିକିଆରେ ଭାରତ ବିପକ୍ଷରେ ପିଞ୍ଚ୍‌ ଓ ୱାର୍ନରଙ୍କ ହାରାହାରି ଭାଗୀଦାରି ୧୦୬ ରହିଛି। ଉଭୟ ଭାରତ ବିପକ୍ଷରେ ୧୦ ଥର ପ୍ରାରମ୍ଭିକ ଯୋଡ଼ିରେ ଖେଳି ୩ ଶତକ ଓ ୪ ଅର୍ଧଶତକୀୟ ଭାଗୀଦାରି ପାଳି ସହ ୯୫୪ ରନ୍‌ କରିଛନ୍ତି। ଗୋଟିଏ ଦଳ ବିପକ୍ଷରେ ଅତିକମ୍‌ରେ ୧୦ ମ୍ୟାଚ୍‌ ମଧ୍ୟରେ ଉଭୟଙ୍କ ହାରାହାରି ଭାଗୀଦାରି ଯେ କୌଣସି ଯୋଡ଼ି ପାଇଁ ସର୍ବୋଚ୍ଚ।

୩: କମ୍‌ ପାଳିରେ ଦିନିକିଆରେ ୫୦୦୦ ରନ୍‌ ପୂରଣ କରିବାରେ ୩ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ୱାର୍ନର ରହିଛନ୍ତି। ଭାରତ ବିପକ୍ଷରେ ୧୨୮* ରନ୍‌ କରି ୱାର୍ନର ୧୧୫ତମ ପାଳିରେ ୫୦୦୦ ରନ୍‌ ପୂର୍ଣ୍ଣ କରିଥିଲେ। ଏକ୍ଷେତ୍ରରେ ହାସିମ ଆମ୍‌ଲା (୧୦୧ ପାଳି) ଦ୍ରୁତତମ ରହିଥିଲା ବେଳେ ଅଷ୍ଟ୍ରେଲିଆର ଡିନ୍‌ ‌ଜୋନ୍ସ ୧୨୮ ପାଳିରେ ଏହି ରନ୍‌ କରିଥିଲେ।

୬: ଧଳା ବଲ୍‌ରେ ବିରାଟ କୋହଲିଙ୍କୁ ସର୍ବାଧିକ ୬ ଥର ଆଉଟ୍‌ କରିବାରେ ଆଦମ ଜାମ୍ପା ୱେଷ୍ଟ୍‌ଇଣ୍ଡିଜ୍‌ର ରବି ରାମପାଲ୍‌ଙ୍କ ସମକକ୍ଷ ହୋଇଛନ୍ତି।

ସମ୍ବନ୍ଧିତ ଖବର