କରୋନା ଆତଙ୍କ: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ବାତିଲ

ଅକ୍‌ଲାଣ୍ଡ୍‌: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ଚାପେଲ-ହାଡ୍‌ଲି ଦିନିକିଆ ଶୃଙ୍ଖଳା କରୋନା ମହାମାରୀ ଆତଙ୍କ ଯୋଗୁଁ ବାତିଲ ହୋଇଯାଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ସିଡ୍‌ନିରେ ବନ୍ଦ ଫାଟକ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୭୧ ରନ୍‌ରେ ବିଜୟୀ ହୋଇ ୧-୦ର ଅଗ୍ରଣୀ ପାଇଥିଲା। ତେବେ ଅକ୍‌ଲାଣ୍ଡ ଓ ଖ୍ରିଷ୍ଟଚର୍ଚ୍ଚରେ ଖେଳାଯିବାକୁ ଥିବା ଅବଶିଷ୍ଟ ୨ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଏଥି ସହିତ ଆସନ୍ତା ମାସରେ ଉଭୟ ଦଳ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶି‌ଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ମଧ୍ୟ ବାତିଲ ହୋଇଛି। ବିଶେଷକରି ନ୍ୟୁଜିଲାଣ୍ଡ ସରକାର ସୀମାରେ ଯାତାୟତ ଉପରେ କଟକଣାକୁ ଜୋର୍‌ଦାର କରିଥିବାରୁ ଏହି ଶୃଙ୍ଖଳା ବାତିଲ ହେଲା ବୋଲି କୁହାଯାଇଛି। ମୁଖ୍ୟତଃ ଅଷ୍ଟ୍ରେଲିଆରୁ ଯେଉଁମାନେ ନ୍ୟୁଜିଲାଣ୍ଡ୍‌ରେ ପ୍ରବେଶ କରିବେ ସେମାନେ ଅତିକମ୍‌ରେ ୧୪ ଦିନ ପାଇଁ ସଂପୂର୍ଣ୍ଣ ଅଲଗା ହୋଇ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି କଟକଣା ରବିବାର ରାତି ୧୦ଟାରୁ କଡ଼ାକଡ଼ି କରାଯିବ ବୋଲି ନ୍ୟୁଜିଲାଣ୍ଡ୍‌ ସରକାର ଘୋଷଣା କରିବା ପରେ ନୂଆ ସୀମା କଟକଣା ଯୋଗୁଁ ଶନିବାର ଅପରାହ୍ନରେ ଶୃଙ୍ଖଳା ବାତିଲ ନିଷ୍ପତ୍ତି ନିଆଯାଇଛି। ଫଳରେ ବିଚ୍ଛିନ୍ନ ହୋଇ ରହିବାକୁ ଏଡାଇବା ପାଇଁ ଦିନିକିଆ ଶୃଙ୍ଖଳା ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ୍‌ ଖେଳାଳିମାନେ ତୁରନ୍ତ ସ୍ବଦେଶ ଫେରିବାକୁ ତତ୍ପର ହୋଇଛନ୍ତି। ଦଳୀୟ କର୍ତ୍ତୃପକ୍ଷ ମଧ୍ୟ ଅଧିକାଂଶ ଖେଳାଳିଙ୍କୁ ଶନିବାର ସଂଧ୍ୟାରେ ସିଡ୍‌ନି ଛାଡ଼ିବାର ବ୍ୟବସ୍ଥା କରିଛନ୍ତି। କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟ ତୁରନ୍ତ ସ୍ବଦେଶ ଫେରିଯିବାକୁ ନ୍ୟୁଜିଲାଣ୍ଡ ଦଳକୁ ପରାମର୍ଶ ଦେଇଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ ତାରକା ଲୋକି ଫର୍ଗୁସନ୍‌ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ରିପୋର୍ଟ ମିଳିବା ପ‌ରେ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇଛି। ଯଦିଓ ତାଙ୍କ ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ, ତଥାପି କରୋନା ଆକ୍ରାନ୍ତର ସମ୍ଭାବନା କମ୍‌ ରହିଛି। ଫର୍ଗୁସନ୍‌ ମଧ୍ୟ ସ୍ବଦେଶ ଫେରିଯିବାକୁ ଅନୁମତି ପାଇଛନ୍ତି ଏବଂ ସେ ମଧ୍ୟ ଶନିବାର ରାତିରେ ସିଡ୍‌ନି ଛାଡ଼ିବେ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର