ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ବ୍ରିସ୍‌ବନ୍‌ : ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ୱର୍ନରଙ୍କ ପୁଣି ଏକ ଦମ୍‌ଦାର ପାଳି ବଳରେ ଅଷ୍ଟ୍ରେଲିଆ ବୁଧବାର ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ସହଜରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌ରେ ଅପରାଜିତ ଶତକ ଜମାଇଥିବା ୱର୍ନର ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ଅପରାଜିତ ଅର୍ଧଶତକ ହାସଲ କରିଛନ୍ତି। ସେ ୪୧ ବଲ୍‌ରୁ ୯ ଚୌକା ସହାୟତାରେ ୬୦ ରନ୍‌ କରିଥିଲା ବେଳେ ଷ୍ଟିଭେନ୍‌ ସ୍ମିଥ୍‌ (୫୩* ରନ୍‌, ୩୬ ବଲ୍‌, ୬ ଚୌକା) ମଧ୍ୟ ଅପରାଜିତ ଅର୍ଧଶତକ ଜମାଇଥିଲେ। ଉଭୟେ ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ୧୧୭ ରନ୍ ଯୋଡ଼ିବାରୁ ଅଷ୍ଟ୍ରେଲିଆ ୭ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ୧୧୮ରେ ପହଞ୍ଚି ଯାଇଥିଲା। ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ମ୍ୟାଚ୍‌ର ପ୍ରଥମ ଓଭରରେ ହିଁ ଲସିତ୍‌ ମାଲିଙ୍ଗା ତାଙ୍କୁ ଆଉଟ୍‌ କରିଦେଇଥିଲେ। ହେଲେ ୱର୍ନର ଓ ସ୍ମିଥ୍‌ ବିସ୍ଫୋରକ ବ୍ୟାଟିଂ କରିବାରୁ ଅଷ୍ଟ୍ରେଲିଆ ୧୩ ଓଭରରେ ଗୋଟିଏ ୱିକେଟ୍‌ ବିନିମୟରେ ୧୧୮ ରନ୍‌ କରିନେଇଥିଲା। କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ୱର୍ନର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଏଥି ସହିତ ଘରୋଇ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଶେଷ ମ୍ୟାଚ୍‌ ପୂର୍ବରୁ ଜିତି ନେଇଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆସନ୍ତା ୧ ତାରିଖରେ ମେଲ୍‌ବର୍ନରେ ଖେଳାଯିବ।

ବୁଧବାର ମ୍ୟାଚ୍‌ରେ ଟସ୍‌ ଜିତି ଭ୍ରମଣକାରୀ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ବେନ୍‌ ଷ୍ଟାନ୍‌ଲେକ୍‌ (୨/୨୩), ପ୍ୟାଟ୍‌ କମିନ୍ସ (୨/୨୯), ଅଷ୍ଟନ ଅଗର (୨/୨୭) ଏବଂ ଆଦାମ ଜାମ୍ପା (୨/୨୦) ମିଳିତ ଭାବେ ୮ ୱିକେଟ୍‌ ବାଣ୍ଟିନେବାରୁ ଶ୍ରୀଲଙ୍କା ପାଳି ୧୯ ଓଭରରେ ୧୧୭ ରନ୍‌ରେ ସୀମିତ ରହିଯାଇଥିଲା। ଦୁଇ ଜଣ ବ୍ୟାଟ୍‌ସମ୍ୟାନ୍‌ ରନ୍‌ ଆଉଟ୍‌ ହୋଇଥିଲେ। କୁସାଲ ପେରେରା ସର୍ବାଧିକ ୨୭ ରନ୍‌ କରିଥିଲା ବେଳେ ଦନୁଷ୍କା ଗୁଣତିଳକା (୨୧), ଅଭିଷ୍କା ଫର୍ନାଣ୍ଡୋ (୧୭), ହାସରଙ୍ଗା ଡି’ ସିଲ୍‌ଭା (୧୦), ଇସୁରା ଉଡାନା (୧୦) ଓ ଲକ୍ଷ୍ମଣ ସନ୍ଦକନ (୧୦) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ମାଲିଙ୍ଗାଙ୍କ ବ୍ୟତୀତ ଅନ୍ୟ କୌଣସି ସିଂହଳୀ ବୋଲର ଅଷ୍ଟ୍ରେଲିଆ ଉପରେ ପ୍ରଭାବ ପକାଇ ପାରିନଥିଲେ। ଫଳରେ ପ୍ରଥମ ମ୍ୟାଚ୍‌କୁ ୧୩୪ ରନ୍‌ରେ ହାରିଥିବା ଶ୍ରୀଲଙ୍କା ଦ୍ବିତୀୟ ମ୍ୟାଚ୍‌କୁ ୯ ୱିକେଟ୍‌ରେ ହାରିଯାଇଥିଲା।

ସମ୍ବନ୍ଧିତ ଖବର