ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଆୟୋଜନ କରିବ ଭାରତ। ଏହି ଶୃଙ୍ଖଳା ବିଶ୍ବକପ୍ର ପ୍ରସ୍ତୁତି ପର୍ବ ରହିବ। ଟ୍ବେଣ୍ଟି-୨୦ ବିଶ୍ବକପ୍ ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ। ବିଶ୍ବକପ୍ ପରେ ଆସନ୍ତାବର୍ଷ ଫେବ୍ରୁଆରି ଓ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଭାରତରେ ଏକ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଆସିବ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପରେ ଆସନ୍ତାବର୍ଷ ଜୁନ୍ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାର ସୂଚୀ ରହିଛି। ଏହାପରେ ଆୟର୍ଲାଣ୍ଡ ଗସ୍ତ କରି ଦୁଇଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଏହିସବୁ ଶୃଙ୍ଖଳା ଶେଷ କରି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଜୁଲାଇ ୧ ତାରିଖରେ ଗତବର୍ଷର ଅସମାପ୍ତ ଟେଷ୍ଟ୍ ଶୃଙ୍ଖଳାର କୋଭିଡ୍ ପାଇଁ ସ୍ଥଗିତ ଟେଷ୍ଟ୍ଟି ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ। ଏହି ଟେଷ୍ଟ୍ ଶୃଙ୍ଖଳା ନିର୍ଣ୍ଣୟ କରିବାକୁ ଥିଲା ବେଳେ ସେହି ଇଂଲଣ୍ଡ ସହ ୩ ଟ୍ବେଣ୍ଟି-୨୦ ଏବଂ ତିନି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ବିଶିଷ୍ଟ ଦୁଇଟି ସୀମିତ ଓଭର ଶୃଙ୍ଖଳା ଖେଳିବ ଭାରତ।