ମୁମ୍ବାଇରେ ମହାଝଟ୍‌କା‌: ୱାର୍ନର-ଫିଞ୍ଚ୍‌ଙ୍କ କୀର୍ତ୍ତିମାନଭରା ଭାଗୀଦାରି, ଭାରତ ୧୦ ୱିକେଟ୍‌ରେ ପରାସ୍ତ

ମୁମ୍ବାଇ: ବାଂଲାଦେଶ, ଶ୍ରୀଲଙ୍କା ଆଗରେ ବାଘ। ଅଷ୍ଟ୍ରେଲିଆ ବେଳକୁ ଛେଳି। ଭାରତୀୟ କ୍ରିକେଟ୍ ଦଳ ପାଇଁ ଏହି ଉକ୍ତି ପୂରା ପ୍ରଯୁଜ୍ୟ ହୋଇଛି। ମଙ୍ଗଳବାର ଅଷ୍ଟ୍ରେଲିଆଠାରୁ କୋହଲି ବାହିନୀ ଅତ୍ୟନ୍ତ ଲଜ୍ଜାଜନକ ଭାବେ ୧୦ ୱିକେଟ୍‌ରେ ହାରିଯାଇଛି। ବିଶ୍ବର ଶ୍ରେଷ୍ଠ ବୋଲିଂ ବାହିନୀ ରଖିଥିବାର ଦାବି କରୁଥିବା ଭାରତ ଆଶ୍ଚର୍ଯ୍ୟଜନକ ଭାବେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ିକୁ ହିଁ ଭାଙ୍ଗିପାରିନାହିଁ। ବିଶ୍ବ କ୍ରିକେଟ୍‌ର ଦୁଇ ବାହୁବଳୀଙ୍କ ମଧ୍ୟରେ ବର୍ଷର ପ୍ରଥମ ଏକଦିବସୀୟ ଲଢ଼େଇ ହେଉଥିବାରୁ ପ୍ରଶଂସକ ଏହାକୁ ମହାଲଢ଼େଇର ଆଖ୍ୟା ଦେଇଥିଲେ। ହେଲେ ଭାରତ ପାଇଁ ଏହା ମହାଲଜ୍ଜାରେ ପରିଣତ ହୋଇଛି। କଙ୍ଗାରୁ ଦଳ ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଛି ଭାରତ। ଅଷ୍ଟ୍ରେଲିଆ ଅପେକ୍ଷାକୃତ ଉନ୍ନତ କ୍ରିକେଟ୍ ଖେଳି ଏକତରଫା ବିଜୟ ହାସଲ କରିଛି। ଅନ୍ୟପଟେ ଶୋଚନୀୟ ପରାଜୟରୁ ୨୦୨୦ର ଏକଦିବସୀୟ ଅଭିଯାନ ଆରମ୍ଭ କରିଛି ଭାରତୀୟ କ୍ରିକେଟ୍ ଦଳ। ସେହିଭଳି ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ୧୦ ୱିକେଟ୍‌ ପରାଜୟ ବରଣ କରିଛି। ଅଷ୍ଟ୍ରେଲିଆ ପଞ୍ଚମ ୧୦ ୱିକେଟ୍‌ ବିଜୟ ପାଇଛି।

ଆରମ୍ଭରୁ ଘାଇଲା କଲା ଅଷ୍ଟ୍ରେଲିଆ
ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ବର୍ଷର ପ୍ରଥମ ଶୃଙ୍ଖଳାରେ ବିଜୟୀ ହୋଇଥିଲା ‌କୋହଲି ବାହିନୀ। ହେଲେ ବର୍ଷର ପ୍ରଥମ ଦିନିକିଆରେ ଭାରତୀୟ ଖେଳାଳିଙ୍କ ଚମକ ଯେମିତି ଅଚାନକ ଭାବେ ହରଣ ହୋଇଯାଇଥିଲା। ବ୍ୟାଟିଂ, ବୋଲିଂ ଏବଂ କ୍ଷେତ୍ରରକ୍ଷଣ କୋଉଥିରେ ମଧ୍ୟ ସେମାନେ ଅଷ୍ଟ୍ରେଲିଆର ମୁକାବିଲା କରିପାରିନଥିଲେ। ଫଳରେ ମୁମ୍ବାଇରେ ମହା ଝଟ୍‌କା ପାଇ ତିନି ଟିକିଆ ଶୃଙ୍ଖଳାରେ ୦-୧ରେ ପଛୁଆ ହୋଇଥିଲା। ସେପଟେ ଭାରତୀୟ ବୋଲରଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛେଚି ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର (୧୨୮*) ଓ ଆରୋନ ଫିଞ୍ଚ୍‌ (୧୧୦) ବିନା ୱିକେଟ୍ ବିଜୟର ଅନନ୍ୟ ସଫଳତା ଲାଭ କରିଛନ୍ତି। ଏହି ଦୁଇ ତାରକା ମଧ୍ୟ ଭାରତ ବିପକ୍ଷରେ ଯେ କୌଣସି ୱିକେଟ୍ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିବାର ବିରଳ କୀର୍ତ୍ତିମାନ କରିଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ଭାରତ ବିପକ୍ଷରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ୨୫୦ରୁ ଅଧିକ ରନ୍‌ର ପଶ୍ଚାତଧାବନ କରି କୌଣସି ଦଳ ୧୦ ୱିକେଟ୍ ବିଜୟ ହାସଲ କରିବାର ଏହା ତୃତୀୟ ଘଟଣା ହୋଇଛି।

ଭାରତ ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରି ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ୱାର୍ନର ଏବଂ ଫିଞ୍ଚ୍‌ଙ୍କ ଯୁଗଳ ଶତକ ବଳରେ ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୧୨.୨ ଓଭର ପୂର୍ବରୁ ହାସଲ କରି ନେଇଥିଲା। ୱାର୍ନର ଅଷ୍ଟାଦଶ ଶତକ ହାସଲ କରିଥିଲା ବେଳେ ଫିଞ୍ଚ୍ ଷୋଡ଼ଶ ଶତକ ହାସଲ କରିଥି‌ଲେ। ଦୀର୍ଘ ଚାରି ମାସ ପରେ ଦିନିକିଆ କ୍ରିକେଟ୍‌କୁ ଫେରିଥିବା ଯଶପ୍ରୀତ ବୁମ୍‌ରାଙ୍କ ସାଙ୍ଗକୁ ସବୁ ଭାରତୀୟ ବୋଲର ଶୃଙ୍ଖଳାହୀନ ବୋଲିଂ କରି ୱିକେଟ୍ ଶୂନ୍ୟ ରହିଥିଲେ। ୱାର୍ନର ଏବଂ ଫିଞ୍ଚ୍‌ଙ୍କୁ ଆଉଟ୍ କରିବା ତ ଛାଡ଼ ସେମାନେ ଏହାର ନିକଟତର ବି ହୋଇପାରିନଥିଲେ। ଅଷ୍ଟ୍ରେଲିଆ ଭାରତ ମାଟିରେ ବିରଳ ବିଜୟ ହାସଲ କରିବା ସହ ଏହି ଦଳର ଯୁବ ତାରକା ମାର୍ନସ ଲବୁସାନେଙ୍କ ପଦାର୍ପଣ ସବୁଦିନ ପାଇଁ ସ୍ମରଣୀୟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଜିତିବା ପରେ ରାଜକୋଟରେ ୧୭ ତାରିଖରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଭାରତ ପାଇଁ କର ବା ମର ହୋଇଛି। ଏହି ମ୍ୟାଚ୍ ହାରିଲେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆଠାରୁ ପ୍ରଥମ ଥର ପାଇଁ ଲଗାତାର ଦୁଇଟି ଦିନିକିଆ ଶୃଙ୍ଖଳା ହାରିବ ଟିମ୍ ଇଣ୍ଡିଆ।

କାମ ଦେଲାନି ନୂଆ ଯୋଜନା
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ତିନି ବିଶେଷଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଶିଖର ଧାୱନ ଓ ଲୋକେଶ ରାହୁଲଙ୍କୁ ଚୂଡ଼ାନ୍ତ ଦଳରେ ରଖିଥିଲା। ଏଥିଲାଗି ମାତ୍ର ୪ ଜଣ ବିଶେଷଜ୍ଞ ବୋଲରଙ୍କୁ ନେବା ସହ ଅଧିନାୟକ ବିରାଟ କୋହଲି ନିଜ ପ୍ରିୟ ତୃତୀୟ ସ୍ଥାନ ଛାଡ଼ି ଚତୁର୍ଥରେ ବ୍ୟାଟିଂ କରିଥିଲେ। ହେଲେ ଏହି ଯୋଜନା ସେତେଟା ଫଳପ୍ରଦ ହୋଇ ନଥିଲା। ଅଷ୍ଟ୍ରେଲିଆ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ନେବା ଯୋଗୁ ଧାୱନ ଓ ରାହୁଲଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍‌ରେ ହୋଇଥିବା ୧୨୧ ରନ୍‌ର ଭାଗୀଦାରି ଛଡ଼ା ଅନ୍ୟ କୌଣସି ବଡ଼ ଭାଗୀଦାରି କରିବାକୁ ଭାରତକୁ ସୁଯୋଗ ଦେଇ ନଥିଲେ। ବିଶେଷ କରି ମିଚେଲ ଷ୍ଟାର୍କ ୨୦୧୦ ମସିହା ପରେ ‌ଭାରତରେ ଖେଳିଥିବା ନିଜ ପ୍ରଥମ ଦିନିକିଆରେ କୋହଲି ବାହିନୀକୁ ଘାଇଲା କରିଥିଲେ। ତିନିଟି ପର୍ଯ୍ୟାୟରେ ବୋଲିଂ କରିବାକୁ ଆସି ସେ ହିଁ ଭାରତର ରନ୍ ଗତିରେ ଅଙ୍କୁଶ ଲଗାଇ ଦେଇଥିଲେ। ଗତ ଗସ୍ତରେ କୋହଲିଙ୍କୁ ଏକାଧିକ ବାର ଚକ୍‌ମା ଦେଇଥିବା ସ୍ପିନର ଆଦାମ ଜାମ୍ପା ମଧ୍ୟ ପୁଣି ଥରେ ତାଙ୍କ କାମଲ ଦେଖାଇଥିଲେ। ଉପରେ ରୋହିତ ଶର୍ମା (୧୦) ଏବଂ ମଧ୍ୟକ୍ରମରେ କୋହଲି ବିଫଳ ହେବା ପରେ ଭାରତ ବ୍ୟାଟିଂ ଉପଯୋଗୀ ପିଚ୍‌ରେ ମାତ୍ର ୨୫୫ ରନ୍ କରି ପାରିଥିଲା। ଘରୋଇ ପରିବେଶରେ ଦଳ ୫ ବଲ୍ ପୂର୍ବରୁ ଅଲଆଉଟ୍ ହୋଇ ଯାଇଥିଲା।

ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୧୦) ଓ ଶିଖର ଧା‌ୱନ (୭୪) ଅତ୍ୟନ୍ତ ଧିମା ଆରମ୍ଭ କରିଥିଲେ। ରୋହିତ ପଞ୍ଚମ ଓଭରରେ ଆଉଟ୍ ହେବା ବେଳକୁ ସ୍କୋର ବୋର୍ଡରେ ମାତ୍ର ୧୩ ରନ୍ ଥିଲା। ତେବେ ଧାୱନ ଏବଂ ଲୋକେଶ ରାହୁଲ (୪୭) ଦ୍ରୁତ ଏବଂ ଦାୟିତ୍ବବାନ ବ୍ୟାଟିଂ କରି ସ୍ଥିତି ସୁଧାରି ନେଇଥିଲେ। ଧାୱନ ନିଜ ୨୮ତମ ଅର୍ଧଶତକ ପୂରଣ କରି ନେଇଥିଲେ। ରାହୁଲ କିନ୍ତୁ ଅର୍ଧଶତକର ୩ ରନ୍ ପୂର୍ବରୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତେବେ ଏହି ଦୁଇ ଜଣ ୬ ରନ୍ ଭିତରେ ଆଉଟ୍ ହେବା ସହ ଭାରତ ୩୦ ରନ୍‌ରେ ୪ ୱିକେଟ୍ ହରାଇ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କୋହଲିଙ୍କୁ ଜାମ୍ପା କଟ୍ ଆଣ୍ଡ ବୋଲ୍ଡ କରିବା ସହ ଶ୍ରେୟସ୍ ଆୟର (୪) ଷ୍ଟାର୍କଙ୍କ ଶିକାର ହୋଇଥିଲେ। ଏହା ପରେ ଭାରତ ଏକ ଭଲ ଭାଗୀଦାରି ପାଇଁ ସଂଘର୍ଷ କରିଥିଲା। ଋଷବ ପନ୍ତ‌୍ (୨୮), ରବୀନ୍ଦ୍ର ଜାଦେଜା (୨୫) ଭଲ ଆରମ୍ଭ ପାଇଥିଲେ ମଧ୍ୟ କଙ୍ଗାରୁ ବୋଲର ସେମାନଙ୍କୁ ବଡ଼ ସ୍କୋର କରାଇ ଦେଇନଥିଲେ। ଶେଷ ଆଡ଼କୁ ଶାର୍ଦୁଲ ଠାକୁର (୧୩), ମହମ୍ମଦ ସାମି (୧୦) ଓ କୁଲ୍‌ଦୀପ ଯାଦବ (୧୭) ଅପେକ୍ଷାକୃତ ଦ୍ରୁତ ବ୍ୟାଟିଂ କରିବାରୁ ଭାରତ କଷ୍ଟେମଷ୍ଟେ ଅଢ଼େଇ ଶହ ରନ୍ ଟପିଥିଲା।

ସମ୍ବନ୍ଧିତ ଖବର