ରୋହିତ ରୋମାଞ୍ଚ ବେକାର: ଅଷ୍ଟ୍ରେଲିଆର ୧୦୦୦ତମ ବିଜୟ

ସିଡ୍‌ନି: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଆରମ୍ଭରୁ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଶନିବାର ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଖେଳା ଯାଇଥିବା ପ୍ରଥମ ମୁକାବିଲାରେ ଘରୋଇ ଅଷ୍ଟ୍ରେଲିଆ ୩୪ ରନ୍‌ରେ ଭାରତକୁ ହରାଇ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଛି। ୨୮୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ମାତ୍ର ୪ ରନ୍‌ରେ ଶିଖର ଧାୱନ (୦), ବିରାଟ କୋହଲି (୩) ଓ ଅମ୍ବାତି ରାୟୁଡୁ (୦)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଧାୱନଙ୍କୁ ଷଷ୍ଠ ବଲ୍‌ରେ ଏଲବିଡବ୍ଲ୍ୟୁ କରି ପଦାର୍ପଣକାରୀ ଜାସନ ବେହେରେନଡର୍ଫ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ମଧ୍ୟ ତାଙ୍କର ପ୍ରଥମ ୱିକେଟ୍ ଥିଲା। ଲଗାତାର ଦୁଇଟି ବଲ୍‌ରେ କୋହଲି ଓ ରାୟୁଡୁଙ୍କୁ ଆଉଟ୍ କରି ଝେ ରିଚାର୍ଡସନ୍ (୧୦-୨-୨୬-୪) ହିଁ ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ତିନିଟି ପ୍ରାରମ୍ଭିକ ଧକ୍କା ପରେ ରୋହିତ ଶର୍ମା (୧୩୩ ରନ୍, ୧୨୯ ବଲ୍, ୧୦ ଚୌକା ୬ ଛକା) ଓ ମହେନ୍ଦ୍ର ସିଂହ ଧୋନି (୫୧ ରନ୍, ୯୬ ବଲ୍, ୩ ‌ଚୌକା, ୧ ଛକା) ଚତୁର୍ଥ ୱିକେଟ୍‌ରେ ୧୩୭ ରନ୍ ଯୋଡ଼ିବା ପରେ ଭାରତ ପାଇଁ ଅବଶ୍ୟ ଆଶା ସଂଚାର ହୋଇଥିଲା। କିଛି ସମୟ ଭିତରେ କିନ୍ତୁ ଏହି ଆଶା ମଉଳି ଯାଇଥିଲା। ଧୋନି ୩୩ତମ ଓଭରର ଦ୍ବିତୀୟ ବଲ୍‌ରେ ପ୍ୟାଭିଲିୟନ ଫେରିବା ପରେ ଭାରତ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୫୪ ରନ୍‌ରେ ଅଟକି ଯାଇଥିଲା। ଧୋନିଙ୍କ ୱିକେଟ୍ ପତନ ପରେ ଚିତାକର୍ଷକ ବ୍ୟାଟିଂ କରୁଥିବା ରୋହିତ ଷଷ୍ଠ ସ୍ଥାନରେ ଖେଳିବାକୁ ଆସିଥିବା ଦୀନେଶ କାର୍ତିକ (୧୨), ରବୀନ୍ଦ୍ର ଜାଦେଜା (୮) ଓ ଭୁବନେଶ୍ବର କୁମାର (୨୯* ରନ୍, ୨୩ ବଲ୍‌, ୪ ଚୌକା)ଙ୍କ ସହ ମିଶି ଭାରତ ପାଳିକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ। କାର୍ତିକ ଓ ଜାଦେଜା‌ କିନ୍ତୁ ନିରାଶ କରିଥିଲେ। ଉଭୟ ସମର୍ଥନ ଦେବା ପରିବର୍ତେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ରନ୍ ହାର ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ବଡ଼ ସଟ୍ ଖେଳିବା ଲୋଭରେ ରୋହିତ ଶେଷରେ ଡିପ୍ ମିଡ୍‌ୱିକେଟ୍ ଅଞ୍ଚଳରେ ଧରାପଡ଼ିଥିଲେ। ୪୬ତମ ଓଭରରେ ମାର୍କସ ଷ୍ଟୋଇନିସଙ୍କ ତୃତୀୟ ବଲ୍‌କୁ ଚୌକା ମାରିବା ପରେ ଚତୁର୍ଥକୁ ଛକା ମାରିବା ପ୍ରୟାସରେ ସେ ନିଜ ୱିକେଟ୍ ହରାଇଥିଲେ। ପାଳି ଶେଷ ଆଡ଼କୁ ଭୁବନେଶ୍ବର କୁମାର କେତେକ ଦର୍ଶନୀୟ ସଟ୍ ଖେଳି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ତା’ ସହ ଭାରତ ସ୍କୋର କଷ୍ଟେମଷ୍ଟେ ଅଢ଼େଇ ଶହ ଟପି ଯାଇଥିଲା। ଅଷ୍ଟ୍ରେଲିଆ ତା’ ପାଳିର ଶେଷ ୫ ଓଭରରେ ୬୩ ରନ୍ ଯୋଡ଼ିବା ଏବଂ ଭାରତ ତା’ ପାଳିର ପ୍ରଥମ ୫ ଓଭରରେ ୧୧ ରନ୍ କରି ୩ ୱିକେଟ୍ ହରାଇବା ଆଜି ମ୍ୟାଚ୍‌ରେ ଦୁଇ ଦଳ ମଧ୍ୟରେ ପ୍ରମୁଖ ପାର୍ଥକ୍ୟ ଥିଲା। କଙ୍ଗାରୁ ବୋଲିଂ ବାହିନୀ ବିପକ୍ଷରେ ରୋହିତ ସାହସର ସହ ଲଢ଼ିଥିଲେ ମଧ୍ୟ ତାଙ୍କ ଶତକ ବୃଥା ଯାଇଥିଲା। ଅଷ୍ଟ୍ରେଲିଆ ସିଡ୍‌ନି ପଡ଼ିଆରେ ଭାରତ ବିପକ୍ଷରେ ଚତୁର୍ଦଶ ବିଜୟ ହାସଲ କରିଥିଲା। ଏହା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଷ୍ଟ୍ରେଲିଆର ୧,୦୦୦ତମ ବିଜୟ ଥିଲା। ମିତ୍ତବ୍ୟୟୀ ବୋଲିଂରେ ଭାରତକୁ ପୂରା ଘାଇଲା କରି ଦେଇଥିବା ଅଷ୍ଟ୍ରେଲିଆର ୨୩ ବର୍ଷୀୟ ଯୁବ ଦ୍ରୁତ ବୋଲର ରିଚାର୍ଡସନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେପଟେ ୬୮ତମ ଅର୍ଧଶତକ ହାସଲ କରିଥିବା ଧୋନି ଦିନିକିଆ କ୍ରିକେଟ୍‌ରେ ୧୦,୦୦୦ ରନ୍ ପୂରଣ କରିବାର ଗୌରବ ଅର୍ଜନ କରିଥିଲେ। ରୋହିତ ନିଜ ୨୨ତମ ଶତକ ଭିତରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଅଧିନାୟକ ଆରୋନ ଫିଞ୍ଚ (୬) ପୁଣି ଥରେ ବିଫଳ ହୋଇଥିଲେ। ହେଲେ ଉସମାନ ଖୱାଜା (୫୯), ସନ ମାର୍ସ (୫୪) ଓ ପିଟର ହ୍ୟାଣ୍ଡ୍ସକମ୍ବ (୭୩)ଙ୍କ ଅର୍ଧଶତକ ବଳରେ ଅଷ୍ଟ୍ରେଲିଆ ୫ ୱିକେଟ୍ ବିନିମୟରେ ୨୮୮ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। ଶେଷ ଆଡ଼କୁ ମାର୍କସ ଷ୍ଟୋଇନିସ୍ (୪୭*, ୪୩ ବଲ୍, ୨ ଚୌକା, ୨ ଛକା) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୧୧*, ୫ ବଲ୍, ୧ ଚୌକା) ଧୁଆଁଧାର ବ୍ୟାଟିଂ କରିବାରୁ ଘରୋଇ ଦଳ ୩୦୦ ରନ୍‌ର ନିକଟତର ହୋଇ ପାରିଥିଲା। ଯଶ୍‌ପ୍ରୀତ ବୁମରାଙ୍କ ଅନୁପସ୍ଥିତି ପାଇଁ ଶେଷ ଓଭରଗୁଡ଼ିକରେ ଭାରତୀୟ ବୋଲର ରନ୍ ରୋକି ନପାରିବା ‌ଶେଷରେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ଧୋନିଙ୍କୁ ୪ ନମ୍ବରରେ ଖେଳାଇବା ସପକ୍ଷରେ ରୋହିତ
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଶୃଙ୍ଖଳା ସହ ବିଶ୍ବକପ୍‌ରେ ଅଭିଜ୍ଞ ୱିକେଟ୍ ରକ୍ଷକ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୪ ନମ୍ବରରେ ବ୍ୟାଟିଂ ପଠାଇବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରାରମ୍ଭିକ ବ୍ୟା‌ଟ୍ସମ୍ୟାନ୍ ରୋହିତ ଶର୍ମା। ସିଡ୍‌ନିରେ ଆୟୋଜିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ପରେ ଦେଇଥିବା ସାକ୍ଷାତକାରରେ ରୋହିତ କହିଥିଲେ ଯେ ୪ ନମ୍ବର ହେଉଛି ଧୋନିଙ୍କ ପାଇଁ ଆଦର୍ଶ ସ୍ଥାନ। ଏହା ଦ୍ବାରା ଆମ ମଧ୍ୟକ୍ରମ ଅଧିକ ସନ୍ତଳିତ ହୋଇ ପାରିବ। ସୂଚନାଯୋଗ୍ୟ ଯେ ସଂପ୍ରତି ଅମ୍ବାତି ରାୟୁଡୁ ଚତୁର୍ଥ ସ୍ଥାନରେ ଖେଳୁଛନ୍ତି। ଏହି ସ୍ଥାନରେ ରାୟୁଡୁ ୪୫.୭ ହାରରେ ରନ୍ କରିଛନ୍ତି। ସେଥିପାଇଁ ଅଧିନାୟକ ବିରାଟ କୋହଲି ତାଙ୍କୁ ଏହି ସ୍ଥାନରୁ ହଟାଇବାକୁ ଚାହୁଁ ନାହାନ୍ତି। ହେଲେ ଶନିବାରର ମୁକାବିଲାରେ ସେ ଖାତା ଖୋଲି ପାରି ନଥିଲେ। ରୋହିତ କିନ୍ତୁ କୋହଲିଙ୍କ ସହ ଏହି କ୍ଷେତ୍ରରେ ଏକମତ ହୋଇ ନାହାନ୍ତି। ବ୍ୟକ୍ତିଗତ ଭାବେ ମୁଁ ଭାବୁଛି ଧୋନି ଚତୁର୍ଥ ସ୍ଥାନରେ ଖେଳିବା ଦରକାର। ଏବେ ଅବଶ୍ୟ ରାୟୁଡୁ ଏହି ସ୍ଥାନରେ ଭଲ କରୁଛନ୍ତି। ଏଣୁ ଚତୁର୍ଥ ସ୍ଥାନରେ କାହାକୁ ଖେଳାଯିବ ସେ ନିଷ୍ପତ୍ତି ଅଧିନାୟକ ଓ ପ୍ରଶିକ୍ଷକ ନେବେ। ମୋତେ ପଚାରିଲେ କିନ୍ତୁ ମୁଁ ଧୋନିଙ୍କ ସପକ୍ଷରେ ମତ ଦେବି ବୋଲି ରୋହିତ କହିଥିଲେ।

ସମ୍ବନ୍ଧିତ ଖବର