ଆଡିଲେଡ୍: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ଆଉ ଏକ ଶୋଚନୀୟ ପରାଜୟ ବରଣ କରିଛି। ଆଡିଲେଡ୍ରେ ଖେଳା ଯାଇଥିବା ଗୋଲାପି ବଲ୍ ଟେଷ୍ଟ୍କୁ ଏହି ଦଳ ଗୋଟିଏ ପାଳି ଏବଂ ୪୮ ରନ୍ରେ ହାରିଯାଇଛି। ଫଳରେ ଲଗାତାର ଦ୍ବିତୀୟ ପାଳି ପରାଜୟ ବରଣ କରିବାର ଲଜ୍ଜା ବହନ କରିଛି। ବ୍ରିସ୍ବନରେ ଖେଳିଥିବା ପ୍ରଥମ ଟେଷ୍ଟ୍କୁ ମଧ୍ୟ ପାକିସ୍ତାନ ଗୋଟିଏ ପାଳି ଏବଂ ୫ ରନ୍ରେ ହାରିଥିଲା। ସେପଟେ ଅଷ୍ଟ୍ରେଲିଆ ତା’ ଘରୋଇ ପ୍ରଦର୍ଶନକୁ ଆହୁରି ସମୃଦ୍ଧ ଏବଂ ଗୌରବମୟ କରିଛି। ଉଭୟ ଟେଷ୍ଟ୍ରେ ପାଳି ବିଜୟ ହାସଲ କରି ୨-୦ରେ ଶୃଙ୍ଖଳା ପୋଛି ନେଇଛି କଙ୍ଗାରୁ ଦଳ। ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଅନ୍ତର୍ଗତ ଖେଳା ଯାଇଥିବା ଏହି ଶୃଙ୍ଖଳାରୁ ବି ଅଷ୍ଟ୍ରେଲିଆ ବହୁମୂଲ୍ୟ ପଏଣ୍ଟ୍ ଅର୍ଜନ କରିଛି। ଆଡିଲେଡ୍ରେ ତ୍ରି-ଶତକୀୟ ପାଳି ଖେଳି ଡନ୍ ବ୍ରାଡମ୍ୟାନ୍ ଏବଂ ମାର୍କ ଟେଲରଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ଟପିଥିବା ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଐତିହାସିକ ଆଡିଲେଡ୍ ପଡ଼ିଆରେ ଅଷ୍ଟ୍ରେଲିଆର ପ୍ରଥମ ପାଳି ସ୍କୋର ୫୮୯/୩ (ପାଳି ଘୋଷଣା) ଜବାବରେ ପାକିସ୍ତାନ ମାତ୍ର ୩୦୨ ରନ୍ କରି ପାରିଥିଲା। ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିଥିବା ୟାସିର ଶାହା (୧୧୩) ଶତକ ଅର୍ଜନ କରି ବ୍ୟକ୍ତିଗତ ଭାବେ ଏକାଧିକ କୀର୍ତ୍ତିମାନ କରିଥିଲେ। ହେଲେ ପାକିସ୍ତାନକୁ ଫଲୋଅନ୍ରୁ ବଞ୍ଚାଇ ପାରି ନଥିଲେ। ଫଲୋଅନ୍ ପରେ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ପାକିସ୍ତାନ ମାତ୍ର ୩୯ ରନ୍ରେ ୩ ୱିକେଟ୍ ହରାଇଥିଲା। ଫଳରେ ତା’ର ପାଳି ପରାଜୟ ଏକ ପ୍ରକାର ପକ୍କା ଥିଲା। ସୋମବାର ଚତୁର୍ଥ ଦିବସରେ ଅଷ୍ଟ୍ରେଲିଆ ବୋଲର ବଳକା ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଆଦୌ ଦୟା ଦେଖାଇ ନଥିଲେ। ବିଶେଷ କରି ସ୍ପିନର ନାଥନ ଲାୟନ (୨୫-୭-୬୯-୫) ପାକିସ୍ତାନ ବିପକ୍ଷରେ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ହାସଲ କରିଥିଲେ। ତାଙ୍କ ସ୍ପିନ ଜାଲରେ ଛନ୍ଦି ହୋଇ ପାକିସ୍ତାନ ତା’ ଦ୍ବିତୀୟ ପାଳିରେ କେବଳ ୨୩୯ ରନ୍ କରି ପାରିଥିଲା। ସାନ୍ ମସୁଦ (୬୮), ଅସଦ ସଫିକ (୫୭) ଏବଂ ମହମ୍ମଦ ରିଜୱାନ (୪୫) ଅବଶ୍ୟ କିଛି ସମୟ ଘରୋଇ ବୋଲରଙ୍କୁ ପ୍ରତିରୋଧ କରିଥିଲେ। ତେବେ ଚତୁର୍ଥ ଦିନର ୬୬.୧ ଓଭର ଖେଳ ଭିତରେ ପାକିସ୍ତାନର ବଳକା ୭ ୱିକେଟ୍ କରାୟତ କରି ଅଷ୍ଟ୍ରେଲିଆ ସହଜ ଶୃଙ୍ଖଳା ବିଜୟର ସ୍ବାଦ ଚାଖିଥିଲା।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୫୮୯/୩, ଘୋଷିତ। ପାକିସ୍ତାନ ପ୍ରଥମ ପାଳି: ୯୪.୪ ଓଭରରେ ୩୦୨। ପାକିସ୍ତାନ ଦ୍ବିତୀୟ ପାଳି (ଫଲୋଅନ୍): ୮୨ ଓଭରରେ ୨୩୯ ( ସାନ୍ ମସୁଦ ୬୮, ଅସଦ ସଫିକ ୫୭, ମହମ୍ମଦ ରିଜୱାନ ୪୫, ନାଥନ ଲାୟନ ୫/୬୯, ଜୋସ୍ ହାଜେଲ୍ଉଡ୍-୩/୬୩, ମିଚେଲ୍ ଷ୍ଟାର୍କ-୧/୪୭)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sfg54fs56g4sf65g4s5g4s5g4sdg4ds53g4sd35g4sdgggggggggggggg.jpg)