୨୦୧୫ ମସିହାର ଏକାଦଶ ସଂସ୍କରଣ ଆଇସିସି ବିଶ୍ବକପ୍କୁ ନ୍ୟୁଜିଲାଣ୍ଡ୍ ଏବଂ ଅଷ୍ଟ୍ରେଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ୧୪ ଦଳୀୟ ଏହି ପ୍ରତିଯୋଗିତାର ଦେଶଗୁଡିକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍ ‘ଏ’ରୁ ନ୍ୟୁଜିଲାଣ୍ଡ୍, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଗ୍ରୁପ୍ ‘ବି’ରୁ ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ କ୍ବାର୍ଟର ଫାଇନାଲ୍କୁ ଉଠିଥିଲେ। କ୍ବାର୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ରେ ଶ୍ରୀଲଙ୍କାକୁ, ଭାରତ ୧୦୯ ରନ୍ରେ ବାଂଲାଦେଶକୁ, ଅଷ୍ଟ୍ରେଲିଆ ୬ ୱିକେଟ୍ରେ ପାକିସ୍ତାନକୁ ଏବଂ ନ୍ୟୁଜିଲାଣ୍ଡ୍ ୧୪୩ ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା। ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ୍ ୪ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ଏବଂ ଅଷ୍ଟ୍ରେଲିଆ ୯୫ ରନ୍ରେ ଭାରତକୁ ହରାଇ ଦେଇଥିଲା। ନ୍ୟୁଜିଲାଣ୍ଡ୍ର ଅପରାଜେୟ ବିଶ୍ବକପ୍ ଅଭିଯାନ କିନ୍ତୁ ଫାଇନାଲରେ ଅଟକି ଯାଇଥିଲା। ସାତ ୱିକେଟ୍ ପରାଜୟ ସହିତ ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିଲା। ଅଷ୍ଟ୍ରେଲିଆ ପଞ୍ଚମ ଥର ବିଶ୍ବ ମୁକୁଟ ଜିତିଥିଲେ ମଧ୍ୟ ଘରୋଇ ମାଟିରେ ପ୍ରଥମ ଥର ସଫଳ ହୋଇଥିଲା। ମିଚେଲ ଷ୍ଟାର୍କ ବିଶ୍ବକପ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।
ମାର୍ଟିନ୍ ଗପ୍ଟିଲ୍ (୫୪୭) ସର୍ବାଧିକ ରନ୍ ଏବଂ ମିଚେଲ୍ ଷ୍ଟାର୍କ, ଟ୍ରେଣ୍ଟ୍ ବୋଲଟ ମିଳିତ ଭାବେ ସର୍ବାଧିକ ୱିକେଟ୍ (୨୨ ଲେଖାଏଁ) ନେଇଥିଲେ। ଦଳଗତ ଭାବେ ଦେଖିଲେ ଅଷ୍ଟ୍ରେଲିଆର ୪୧୭/୬ (ବନାମ ଆଫଗାନିସ୍ତାନ) ଏହି ସଂସ୍କରଣର ସର୍ବୋଚ୍ଚ ସ୍କୋର୍ ଥିଲା। ମାର୍ଟିନ୍ ଗପ୍ଟିଲ୍ (୨୩୭* ବନାମ ୱେଷ୍ଟଇଣ୍ଡିଜ୍) ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋରର୍ ଥିଲେ। ମୋଟ ୩୮ ଶତକ ଏହି ବିଶ୍ବକପ୍ରେ ସ୍କୋର୍ ହୋଇଥିଲା। ଯାହାକି ବିଶ୍ବକପ୍ ଇତିହାସରେ ସର୍ବାଧିକ ଶତକ ଥିଲା। ସେହି ସଂସ୍କରଣରେ ଶ୍ରୀଲଙ୍କାର ୱିକେଟରକ୍ଷକ ବ୍ୟାଟସମ୍ୟାନ୍ କୁମାର ସାଙ୍ଗାକାରା ବ୍ୟକ୍ତିଗତ ଭାବେ ୪ ଶତକ ମାରିଥିଲେ। ଷ୍ଟିଭେନ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ସିନ୍ ୱିଲିୟମ୍ସ (ଜିମ୍ବାୱେ), ମିସବା ଉଲ୍ ହକ୍ (ପାକିସ୍ତାନ) ଏବଂ ବ୍ରେଣ୍ଡନ୍ ମ୍ୟାକଲମ୍ (ନ୍ୟୁଜିଲାଣ୍ଡ୍) ୪ ଲେଖାଏଁ ଅର୍ଧଶତକ ମାରି ମିଳିତ ଭାବେ ଆଗରେ ରହିଥିଲେ। ଇଂଲଣ୍ଡ ବିପକ୍ଷରେ ୭/୨୨ ବୋଲିଂ ଚିତ୍ର ପାଇଥିବା ଟିମ୍ ସାଉଦି (ନ୍ୟୁଜିଲାଣ୍ଡ) ଆଗରେ ରହିଥିବା ବେଳେ ୫ କିମ୍ବା ତଦୁର୍ଧ୍ବ ୱିକେଟ୍ ସଫଳତା ୭ ଥର ନଜରକୁ ଆସିଥିଲା। ଅନ୍ୟମାନେ ଥିଲେ ମିଚେଲ ଷ୍ଟାର୍କ (୬/୨୮), ଟ୍ରେଣ୍ଟ୍ ବୋଲଟ (୫/୨୭), ମିଚେଲ୍ ମାର୍ସ (୫/୩୩), ଇମ୍ରାନ୍ ତାହିର (୫/୪୫), ସୋହେଲ୍ ଖାନ (୫/୫୫) ଏବଂ ଷ୍ଟିଭେନ୍ ଫିନ୍ (୫/୭୧)। ୱିକେଟ୍ ପଛପଟେ ମୋଟ ୧୬ ଆଉଟ୍ (କ୍ୟାଚ୍ ଓ ଷ୍ଟମ୍ପିଂ) କରିବା ଏବଂ କ୍ଷେତ୍ରରକ୍ଷକ ଭାବେ ଦକ୍ଷିଣ ଆଫ୍ରିକାର ରିଲି ରୋସେୟୁ ମୋଟ ୯ କ୍ୟାଚ୍ ନେବା ମଧ୍ୟ ସର୍ବାଧିକ ରହିଥିଲା।
ବିବାଦ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ଜେମ୍ସ ଆଣ୍ଡରସନ୍ଙ୍କୁ ଡେଡ୍ ବଲରେ ରନ୍ ଆଉଟ କରାଯିବା ବିବାଦ ସୃଷ୍ଟି କରିଥିଲା। ଜେମ୍ସ ଟେଲରଙ୍କ ଏଲବିଡବୁଲ୍ୟ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟାର୍ ଖାରଜ କରିଦେବା ପରେ ଆଣ୍ଡରସନ୍କୁ ରନ୍ ଆଉଟ୍ କରାଯିବା ଘଟଣା ବେଶ ଚର୍ଚାରେ ରହିଥିଲା। ଭାରତ-ବାଂଲାଦେଶ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ରୁବେଲ ହାସନଙ୍କ ଫୁଲ ଟସ୍କୁ ରୋହିତ ଶର୍ମା ଖେଳିବା ପରେ ସ୍କୋୟାର ଲେଗ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅମ୍ପାୟାର୍ କିନ୍ତୁ ଭୁଲକ୍ରମେ ଏହାକୁ ନୋ ବଲ୍ ଦେବାରୁ ବାଂଲାଦେଶରେ ପ୍ରବଳ ବିରୋଧ ହୋଇଥିଲା। ରିପ୍ଲେ ମଧ୍ୟ ଏହାକୁ ଏକ ବୈଧ ବଲ୍ ଥିବା ଦେଖାଇଥିଲା। ଆଇସିସିର ତତ୍କାଳୀନ ବାଂଲାଦେଶୀ ସଭାପତି ମୁସ୍ତାଫା କମଲ ଅମ୍ପାୟାରିଂ ତ୍ରୁଟିକୁ ସ୍ବୀକାର କରିଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ ହାସିନା କହିଥିଲେ ଭାରତ ଅମ୍ପାୟାରିଂ ତ୍ରୁଟି ବଳରେ ବିଜୟୀ ହେଲା।