ଅକ୍ଲାଣ୍ଡ୍,: ଆୟୋଜକ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରି ଅଷ୍ଟ୍ରେଲିଆ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତି ନେଇଛି। ଅପରାଜେୟ ଅଷ୍ଟ୍ରେଲିଆ ବୁଧବାର ବର୍ଷା ବାଧାପ୍ରାପ୍ତ ଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ୧୯ ରନ୍ରେ ହରାଇ ଟ୍ରାନ୍ସ-ଟାସ୍ମାନ୍ ଟ୍ରଫି କବ୍ଜା କରିନେଇଛି। ବିଶେଷକରି ଅଷ୍ଟନ୍ ଅଗର ମଧ୍ୟକ୍ରମରେ ୩ଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍ ଦଖଲ କରିବା ପରେ ସର୍ଟଙ୍କ ଅର୍ଧଶତକୀୟ ପାଳି ସାଙ୍ଗକୁ ଗ୍ଲେନ୍ ମାକ୍ସେଓ୍ଵଲ ଓ ଆରୋନ୍ ଫିଞ୍ଚ୍ ଅପରାଜିତ ରହି ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ। ଆଉ ଏହି ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ଗୋଟିଏ ଗୁଳିରେ ଦୁଇଟି ଶିକାର କରିନେଇଛି। ପ୍ରଥମେ ଟ୍ରଫି ଜିତିଥିଲା ବେଳେ ଦ୍ୱିତୀୟରେ ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନକୁ ଲମ୍ଫ ଦେଇଛି। ଏବେ ପାକିସ୍ତାନ ସହ ସମାନ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛି। ଟସ୍ ଜିତି ନ୍ୟୁଜିଲାଣ୍ଡ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାର୍ଟିନ୍ ଗପ୍ଟିଲ (୨୧) ଓ କଲିନ୍ ମୁନ୍ରୋ (୨୯) ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ଓ୍ଵିକେଟ୍ରେ ୨୬ ବଲ୍ରୁ ୪୮ ରନ୍ ଯୋଡ଼ି ଦଳକୁ ବଡ଼ ସ୍କୋର୍ ସମ୍ଭାବନା ଦେଇଥିଲେ। ହେଲେ ୬ ବଲ୍ ବ୍ୟବଧାନରେ ଉଭୟେ ଗପ୍ଟିଲ ଓ ମୁନ୍ରୋ ପାଭିଲିୟନ୍ ଫେରିଯିବା ପରେ ନ୍ୟୁଜିଲାଣ୍ଡ୍ ବିପର୍ଯ୍ୟୟ ମୁହାଁ ହୋଇଥିଲା। ଷ୍ଟାନ୍ଲେକ୍ ଓ ରିଚାର୍ଡସନ୍ ଦୁଇ ପ୍ରାରମ୍ଭିକ ଖେଳାଳିଙ୍କୁ ଆଉଟ୍ କରିଦେବା ପରେ ଅଗର ତାଙ୍କ ସ୍ପିନ୍ ଜାଲରେ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ (୯), ଚାମ୍ପ୍ମାନ୍ (୮) ଓ ଗ୍ରାଣ୍ଡ୍ହୋମେ (୧୦)ଙ୍କୁ ପାଭିଲିୟନ୍ ପଠାଇ ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହାପରେ ରସ୍ ଟେଲର ୪୩ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଅନ୍ୟପଟେ ଓ୍ଵିକେଟ୍ ଝଡ଼ି ଚାଲିଥିଲା। ଶେଷରେ ଦଳ ୯ ଓ୍ଵିକେଟ୍ ବିନିମୟରେ ୧୫୦ ରନ୍ କରିଥିଲା। ଅଗର୍ (୩/୨୭)ଙ୍କ ବ୍ୟତୀତ ରିଚାର୍ଡସନ୍ (୨/୩୦) ଓ ଆଣ୍ଡରୁ ଟାଇ (୨/୩୦) ପ୍ରଭାବୀ ବୋଲିଂ କରିଥିଲା ବେଳେ ଷ୍ଟାନ୍ଲେକ୍ (୧/୩୭) ଓ ଷ୍ଟୋଇନିସ୍ (୧/୨୩) ଉପଯୋଗୀ ଅବଦାନ ଛାଡ଼ିଥିଲେ। ଜବାବରେ ଡେଭିଡ୍ ଓ୍ଵର୍ନର (୨୫) ଓ ସର୍ଟ (୫୦) ଆରମ୍ଭରୁ ଦ୍ରୁତ ରନ୍ ସଂଗ୍ରହରେ ଲାଗି ପଡ଼ିଥିଲେ। ଦୁହେଁ ୮ ଓଭରରେ ୭୨ ରନ୍ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ଏହାପରେ ଅଗର (୨) ବ୍ୟାଟିଂରେ ନିରାଶ କରିଥିଲେ। ତେବେ ଓଭର ପିଛା ରନ୍ ହାରରେ ନ୍ୟୁଜିଲାଣ୍ଡ୍ ବୋଲର ଅଙ୍କୁଶ ଲଗାଇ ପାରିନଥିଲେ। ୬ ଓଭରରେ ୫୫ ରନ୍ କରିଥିଲା ବେଳେ ବର୍ଷା ହୋଇଥିଲା। ଏହାପରେ ବର୍ଷା ଛାଡ଼ିବାରୁ ପୁଣି ଖେଳ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆ ୧୪.୪ ଓଭରରେ ୩ ଓ୍ଵିକେଟ୍ ବିନିମୟରେ ୧୨୧ ରନ୍ କରିଥିଲା ବେଳେ ଦ୍ୱିତୀୟ ଥର ପାଇଁ ବର୍ଷା ହୋଇଥିଲା। ସେତେବେଳକୁ ମାକ୍ସେଓ୍ଵଲ ୨୦ ଓ ଫିଞ୍ଚ୍ ୧୮ ରନ୍ରେ ଅପରାଜିତ ରହିଥିଲେ। ଏହାପରେ ଆଉ ଖେଳ ସମ୍ଭବ ହୋଇନଥିଲା। ତେବେ ବର୍ଷା ନିୟମ (ଡକ୍ଓ୍ଵର୍ଥ ଲୁଇସ୍) ଅନୁଯାୟୀ ୧୪.୪ ଓଭର ବେଳକୁ ଅଷ୍ଟ୍ରେଲିଆ ସମ୍ମୁଖରେ ୧୦୩ ରନ୍ର ଲକ୍ଷ୍ୟ ରହିଥିଲା। ସେତେବେଳକୁ ୧୨୧ ରନ୍ କରିଥିବାରୁ ଅଷ୍ଟ୍ରେଲିଆ ୧୯ ରନ୍ରେ ମ୍ୟାଚ୍ ଜିତି ନେଇଥିଲା। ଅଷ୍ଟନ୍ ଅଗର ଫାଇନାଲ୍ର ଶ୍ରେଷ୍ଠ ଏବଂ ଗ୍ଲେନ୍ ମାକ୍ସେଓ୍ଵଲ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ
ଫାଇନାଲ୍ରେ ନ୍ୟୁଜିଲାଣ୍ଡ୍ ୧୯ ରନ୍ରେ ପରାସ୍ତ
/sambad/media/post_attachments/wp-content/uploads/2018/02/6-Australia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)