ଶେଷ ଓଭରରେ ବିଜୟ ଖସିଲା: ବିଶାଖାପାଟଣା ମୁକାବିଲାକୁ ୩ ୱିକେଟ୍‌ରେ ଜିତି ଅଷ୍ଟ୍ରେଲିଆ ଆଗୁଆ

ବିଶାଖାପାଟଣା: ବିଶାଖାପାଟଣା ଟ୍ବେଣ୍ଟି-୨୦କୁ ଅଷ୍ଟ୍ରେଲିଆ ‌ରୋମାଞ୍ଚକର ଭାବେ ୩ ୱିକେଟ୍‌ରେ ଜିତି ନେଇଛି। ଭାରତ ୧୨୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଅଷ୍ଟ୍ରେଲିଆ ଏହାକୁ ମ୍ୟାଚ୍‌ର ଶେଷ ବଲ୍‌ରେ ୭ ୱିକେଟ୍ ବିନିମୟରେ ହାସଲ କରି ନେଇଛି। ରବିବାରର ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇର ଊନ୍ନବିଂଶ ଓଭର ପର୍ଯ୍ୟନ୍ତ ଭାରତ କବ୍‌ଜାରେ ମ୍ୟାଚ୍ ଥିଲା। ହେଲେ ଶେଷ ଓଭରରେ ଉମେଶ ଯାଦବଙ୍କ ଲକ୍ଷ୍ୟହୀନ ବୋଲିଂ ପାଇଁ ରୋମାଞ୍ଚକର ବିଜୟରୁ ବଞ୍ଚିତ ହୋଇଥିଲା। କୋହଲି ବାହିନୀ ତା ସହିତ ଦୁଇ ଟିକିଆ ଶୃଙ୍ଖଳାରେ ୦-୧ରେ ପଛୁଆ ହୋଇ ଯାଇଥିଲା। ସେପଟେ ଅଷ୍ଟ୍ରେଲିଆ ଜବରଦସ୍ତ ବିଜୟରୁ ଭାରତ ଗସ୍ତ ଆରମ୍ଭ କରିଥିଲା।

ଅଷ୍ଟ୍ରେଲିଆ ଆଜି ୫ ରନ୍ ଭିତରେ ମାର୍କସ ଷ୍ଟୋଇନିସ୍ (୧) ଓ ଅଧିନାୟକ ଆରୋନ୍ ଫିଞ୍ଚ (୦)ଙ୍କୁ ହରାଇଥିଲା। ଏହାସତ୍ତ୍ବେ ଛୋଟ ବିଜୟ ଲକ୍ଷ୍ୟ ସହ ଗ୍ଲେନ୍ ମ୍ୟାକ୍ସୱେଲ୍ (୫୬ ରନ୍, ୪୩ ବଲ୍, ୬ ଚୌକା, ୨ ଛକା) ଧୂଆଁଧାର ବ୍ୟାଟିଂ କରୁଥିବାରୁ କଙ୍ଗାରୁ ଦଳ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ତେବେ ପ୍ରଥମେ ସ୍ପିନର ଏବଂ ପରେ ଯଶ୍‌ପ୍ରୀତ ବୁମରା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଊନ୍ନବିଂଶ ଓଭରର ଶେଷ ଦୁଇ ବଲ୍‌ରେ ଦୁଇଟି ୱିକେଟ୍ ନେଇ ବୁମରା ହିଁ ଭାରତ ପଲ୍ଲା ଭାରି କରି ଦେଇଥିଲେ। ଶେଷ ଓଭରରୁ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୧୪ ରନ୍‌ର ଦରକାର ଥିଲା। ଯାହା କଷ୍ଟକର ପିଚ୍‌ରେ ଅଷ୍ଟ୍ରେଲିଆ ପାଇଁ ଏକପ୍ରକାର ଅସମ୍ଭବ ମନେ ହେଉଥିଲା। ହେଲେ ଉମେଶ ଅତ୍ୟନ୍ତ ଖରାପ ବୋଲିଂ କରିଥିଲେ। ଦ୍ବିତୀୟ ଓ ପଞ୍ଚମ ବଲ୍‌ରେ ସେ ଦୁଇଟି ଚୌକା ବ୍ୟୟ କରିଥି‌ଲେ। ଫଳରେ ଶେଷ ବଲ୍‌ରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୨ ରନ୍‌ ଦରକାର ଥିଲା। ପ୍ୟାଟ୍ କମିନ୍ସ କୌଶଳର ସହ ଏହି ରନ୍‌ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ରୋମାଞ୍ଚକର ବିଜୟ ଉପହାର ଦେଇଥିଲେ। ଅଷ୍ଟ୍ରେଲିଆର ଅଷ୍ଟମ ଓ ନବମ ସ୍ଥାନ ଖେଳାଳି କମିନ୍ସ (୭*) ଓ ଝେ ରିଚାର୍ଡସନ୍ (୭*) ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବା ବିଶାଖାପାଟଣା ଦର୍ଶକଙ୍କୁ ନିରାଶ କରିଥିଲା। ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୫)ଙ୍କୁ ତୃତୀୟ ଓଭରରେ ହରାଇବା ପରେ ଭାରତ ପ୍ରଥମ ୬ ଓଭରର ପାୱାର ପ୍ଲେରୁ ମାତ୍ର ୪୯ ରନ୍ କରିଥିଲା। ଅଧିନାୟକ ବିରାଟ କୋହଲି (୨୪) ବି ବଡ଼ ପାଳି ଖେଳି ପାରି ନଥିଲେ। ହେଲେ ସଂଘର୍ଷରତ ବାମହାତୀ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ (୫୦ ରନ୍, ୩୬ ବଲ୍, ୬ ଚୌକା, ୧ ଛକା)ଙ୍କ ଦ୍ରୁତ ଅର୍ଧଶତକ ହିଁ ଭାରତ ପାଳିର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ରାହୁଲଙ୍କର ଏହା ପଞ୍ଚମ ଟ୍ବେଣ୍ଟି-୨୦ ଅର୍ଧଶତକ ଥିଲା। ପିଚ୍ ଧିରେ ଧିରେ ଧିମା ହୋଇଯିବା ସହ ସଟ୍ ଖେଳିବା ଅତି କଷ୍ଟକର ହୋଇ ଯାଇଥିଲା। ଫଳରେ ମଝି ଓଭରଗୁଡ଼ିକରେ ଭାରତ ରନ୍ ସଂଗ୍ରହ କରିବାକୁ ପୂରା ସଂଘର୍ଷ କରିଥିଲା। ନାଥନ କୁଲଟର ନାଇଲ୍ ତ୍ରୟୋଦଶ ଓଭରରେ ଦୁଇଟି ଏବଂ ପଞ୍ଚଦଶ ଓଭରରେ ଗୋଟିଏ ୱି‌କେଟ୍ ନେଇ ଭାରତକୁ ଲଗାତାର ତିନିଟି ଝଟ୍‌କା ଦେଇଥିଲେ। ଫଳରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଭାରତ ଶେଷ ୧୨ ଓଭରରେ ୬୧ ରନ୍ ହିଁ ସଂଗ୍ରହ କରି ପାରିଥିଲା। ଶେଷ ଆଡ଼କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୯ ରନ୍, ୩୭ ବଲ୍, ୧ ଛକା) ଏକାକି ଲଢ଼ିଥିଲେ। ତେବେ ହାତଖୋଲା ସଟ୍ ଖେଳିବାକୁ କଙ୍ଗାରୁ ବୋଲର ତାଙ୍କୁ ଆଦୌ ସୁଯୋଗ ଦେଇ ନଥିଲେ। ଭାରତ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୨୬ ରନ୍ କରି ପାରିଥିଲା। ଶାଣିତ ବୋଲିଂ କରି ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିବା କୁଲଟର ନାଇଲ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ପୁଲ୍‌ୱାମା ସହିଦଙ୍କ ପାଇଁ କଳାପଟି, ନିରବ ପ୍ରାର୍ଥନା
ବିଶାଖାପାଟଣା ଟ୍ବେଣ୍ଟି-୨୦ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଭାରତୀୟ ଏବଂ ଅଷ୍ଟ୍ରେଲିଆ ଖେଳାଳିମାନେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫର ୪୪ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉଭୟ ଦଳ ନିରବ ପ୍ରାର୍ଥନା କରି ବୀର ସହିଦଙ୍କୁ ସମ୍ମାନ ଜଣାଇଥିଲେ। ଭାରତୀୟ ଖେଳାଳିମାନେ ଏହି ବର୍ବରକାଣ୍ଡକୁ ବିରୋଧ କରି ମ୍ୟାଚ୍‌ ସାରା କଳାପଟି ପିନ୍ଧି ମ୍ୟାଚ୍ ଖେଳିଥିଲେ। ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବା ଲାଗି ଦାବି ଭାରତରେ ଜୋର ଧରିଥିଲା ବେଳେ ପାକିସ୍ତାନକୁ ଏକଘରିକିଆ କରିବା ଲାଗି ବିସିସିଆଇ ମଧ୍ୟ ଉଦ୍ୟମ ମଧ୍ୟ ଆରମ୍ଭ କରି ଦେଇଛି। ପାକିସ୍ତାନ ସହ କ୍ରିକେଟ୍ ନଖେଳିବା ଲାଗି ମଧ୍ୟ ବିସିସିଆଇ ଅନ୍ୟ‌ ଦେଶଗୁଡ଼ିକୁ ଆହ୍ବାନ କରିଛି।

ସମ୍ବନ୍ଧିତ ଖବର