ଅବିଶ୍ବସନୀୟ ଆତ୍ମସମର୍ପଣ, ଆଡିଲେଡ୍‌ରେ ଭାରତର ସର୍ବନିମ୍ନ ଟେଷ୍ଟ୍ ସ୍କୋର୍‌

୮ ୱିକେଟ୍‌ର ଆଧିପତ୍ୟଭରା ବିଜୟ ସହ ଅଷ୍ଟ୍ରେଲିଆ ଆଗୁଆ

ଆଡିଲେଡ୍: ଆଡିଲେଡ୍ ‌ଟେଷ୍ଟ୍‌ରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ୮ ୱିକେଟ୍‌ର ଲଜ୍ଜାଜନକ ପରାଜୟ ବରଣ କରିଛି ଭାରତୀୟ କ୍ରିକେଟ୍ ଦଳ। ମୋଟ ଉପରେ ୬୨ ରନ୍‌ରେ ଆଗୁଆ ରହି ଭାରତ ଶନିବାର ଖେଳ ଆରମ୍ଭ କରିଥିଲା। ମାତ୍ର କିଛି ସମୟ ମଧ୍ୟରେ ହିଁ ଜୋସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ଘାତକ ବୋଲିଂରେ ଘାଇଲା ହୋଇ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୯୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ଅତି ସହଜରେ ୨୧ ଓଭରରେ ୨ ୱିକେଟ୍ ବିନିମୟରେ ହାସଲ କରି ନେଇ ଘରୋଇ ଦଳ ସ୍ମରଣୀୟ ବିଜୟ ହାସଲ କରିଥିଲା। ଏଥିସହିତ ଚାରି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଥିଲା କଙ୍ଗାରୁ ଦଳ। ସେହିଭଳି ଗୋଲପି ବଲ୍‌ରେ ନିଜ ଅପରାଜେୟ ଧାରାକୁ ଅତୁଟ ରଖିଥିଲା। ପ୍ରଥମ ପାଳିରେ ୭୩ ରନ୍‌ର ଅପରାଜିତ ପାଳି ଖେଳିଥିବା ଅଷ୍ଟ୍ରେଲିଆର ୱିକେଟ୍ ରକ୍ଷକ ଅଧିନାୟକ ଟିମ୍ ପେନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତେବେ ନିଜ ନିଜ ଭିତରେ ୯ ୱିକେଟ୍ ବାଣ୍ଟିନେଇ ହାଜେଲଉଡ୍ ଓ କମିନ୍ସ ହିଁ ଭାରତୀୟ ପାଳିରେ ଭୀଷଣ ଝଡ଼ ସୃଷ୍ଟି କରିଥିଲେ।

ମୋବାଇଲ୍ ନମ୍ବର ସ୍କୋରକାର୍ଡ ୪୯୨୦୪୦୮୪୦୧
ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହୋଇଥିବାରୁ ବିଜୟର ଆତ୍ମବଳ ନେଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଥିଲା ଭାରତ। ସେଥିପାଇଁ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥି‌ଲେ। ଅନ୍ୟମାନେ ଆଖିଦୃଶିଆ ସ୍କୋର କରିନଥିଲେ ମଧ୍ୟ ନିଜେ କୋହଲି ଲଢ଼ୁଆ ଅର୍ଧଶତକ ଅର୍ଜନ କରି ଭାରତ ସ୍କୋରକୁ ୨୪୪ରେ ପହଞ୍ଚାଇ ଦେଇଥିଲେ। ସେହିଭଳି ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ନେତୃତ୍ବରେ ଭାରତୀୟ ବୋଲିଂ ବାହିନୀ ଅଷ୍ଟ୍ରେଲିଆ ପାଳିକୁ ୧୯୧ ରନ୍‌ରେ ରୋକି ଦେଇଥିଲା। ଫଳରେ ଭାରତ ପ୍ରଥମ ପାଳି ଭିତ୍ତିରେ ୫୩ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ଲାଗ କରିଥିଲା। ତେବେ ଶୁକ୍ରବାର ଖେଳ ଶେଷ ବେଳକୁ ଦ୍ବିତୀୟ ପାଳିରେ ଗୋଟିଏ ୱିକେଟ୍ ହରାଇ ୯ ରନ୍ କରିଥିଲା। ଶନିବାର ଏକ ସୁନ୍ଦର ଚୌକା ସହ ମୟଙ୍କ ଅଗ୍ରୱାଲ ଟେଷ୍ଟ୍ କ୍ରିକେଟ୍‌ରେ ୧,୦୦୦ ରନ୍ ପୂରଣ କରିଥିଲେ। ରାତ୍ର ଜଗୁଆଳି ଯଶପ୍ରୀତ ବୁମ୍‌ରାଙ୍କ ଆଉଟ୍ ପରେ କିନ୍ତୁ ଅସ୍ବାଭାବିକ ଭାବେ ଭାରତ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନାଟକୀୟ ଭାବେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରାଙ୍କ ବ୍ୟତୀତ ଅଧିନାୟକ କୋହଲି, ଉପଅଧିନାୟକ ଅଜିଙ୍କ୍ୟ ରାହାଣେ, ହନୁମା‌ ବିହାରୀ, ୱିକେଟ୍ ରକ୍ଷକ ଋଦ୍ଧିମାନ ସାହ ସମେତ ଭାରତ ତା’ର ବଳକା ୯ ୱିକେଟ୍ ମାତ୍ର ୨୭ ରନ୍‌ରେ ହରାଇଥିଲା। ହାଜେଲଉଡ୍ ଏବଂ କମିନ୍ସଙ୍କ ପେସ୍ ଓ ବା‌ଉନ୍ସକୁ ମୁକାବିଲା କରିବାକୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯେମିତି କୌଶଳଶୂନ୍ୟ ଥିଲେ। ଦ୍ବିତୀୟ ପାଳିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରନ୍ କରିବା ଧାରା (୪ ,୯, ୨, ୦, ୪, ୦, ୮, ୪, ୦, ୧) ଯାହା କୌଣସି ୧୦ ଟିକିଆ ମୋବାଇଲ ନମ୍ବର ଭଳି ଲାଗୁଥିଲା। ମୟଙ୍କ କରିଥିବା ୯ ରନ୍ ଭାରତ ଦ୍ବିତୀୟ ପାଳିର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା।

ସେହବାଗଙ୍କ ଓଟିପି ଟ୍ବିଟ୍
ଭାରତର ଲଜ୍ଜାଜନକ ପରାଜୟ ପରେ ପ୍ରଶଂସକମାନଙ୍କୁ ଏହି ଦୃଦୟ ବିଦାରକ ଦୁଃଖ ଭୁଲିବା ଲାଗି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଚିରାଚରିତ ଭାବେ କୌତୁକିଆ ଟ୍ବିଟ୍ ମାଧ୍ୟମରେ ବାଟ ବତାଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ସ୍କୋରକାର୍ଡ ହିଁ ଏହି ଦୁଃଖକୁ ଭୁଲିବାର ଓଟିପି ବା ୱାନ୍ ଟାଇମ୍ ପାର୍ସୱାର୍ଡ ବୋଲି ସେ ଉଲ୍ଲେଖ କରିଥିଲେ। ଯାହା ସାମାଜିକ ଗଣମାଧ୍ୟମରେ ସଙ୍ଗେସଙ୍ଗେ ଭାଇରାଲ ହୋଇଯାଇଥିଲା। ବହୁ କ୍ରିକେଟ୍‌ପ୍ରେମୀ ମଧ୍ୟ ତାଙ୍କ ଟ୍ବିଟ୍‌କୁ ରି ଟ୍ବିଟ୍ କରିଥିଲେ। ଏଭଳି କରି ପ୍ରଶଂସକ ନିଜ ମନର ରାଗ ଶୁଝାଇଥିଲେ। କେହି କେହି ପୃଥ୍ବୀ ସ’ଙ୍କୁ ଗାଳି କରିଥିଲା ବେଳେ ଆଉ କେତେକ ରୋହିତ ଶର୍ମାଙ୍କୁ ମନେ ପକାଇଥିଲେ। ଅନେକ ପ୍ରଶଂସକ ଭାରତର ଲଜ୍ଜାଜନକ ପରାଜୟ ଓ ବ୍ୟାଟିଂ ବିପର୍ଯ୍ୟୟ ନେଇ ମଜାଦାର ମିମ୍ ପ୍ରକାଶ କରିଥିଲେ। ପଡ଼ିଆରେ ଅଗ୍ନିବର୍ଷୀ ବୋଲିଂ ‌ହେଉଥିଲା। ଏଣୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ନିନ୍ଦା କରିବା ଠିକ୍ ହେବନି ବୋଲି ମହାନ କ୍ରିକେଟର୍‌ ସୁନିଲ ଗାଭାସ୍କର ନିଜ ପ୍ରତିକ୍ରିୟାରେ କହିଥିଲେ।

ଡିସେମ୍ବର ୧୯: ସର୍ବୋଚ୍ଚ-ସର୍ବନିମ୍ନ ସ‌ଂଯୋଗ
ଦ୍ବିତୀୟ ପାଳିରେ ଭାରତର ୩୬ ରନ୍ ନିଆରା ସଂଯୋଗ ସୃଷ୍ଟି କରିଥିଲା। ଗୋଟିଏ ଦିନରେ ହିଁ ସର୍ବନିମ୍ନ ଓ ସର୍ବୋଚ୍ଚ ସ୍କୋର କରିବାର ଦୁଃଖ ଓ ସୁଖକୁ ଅନୁଭବ କରିଥିଲା ଟିମ୍ ଇଣ୍ଡିଆ। କାରଣ ଆଜକୁ ଠିକ୍ ୪ ବର୍ଷ ତଳେ ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟ୍ କ୍ରିକେଟ୍‌ରେ ନିଜର ସର୍ବୋଚ୍ଚ ଦଳଗତ ସ୍କୋର ଅର୍ଜନ କରିଥିଲା। ସେହି ଡିସେମ୍ବର ୧୯, ୨୦୧୬ରେ ଚେନ୍ନାଇଠାରେ ଇଂଲଣ୍ଡ ବିପକ୍ଷରେ ଭାରତ ୭୫୯/୭ କରି ପାଳି ଘୋଷଣା କରିଥିଲା। ଯାହା ଏବେ ବି ଟିମ୍ ଇଣ୍ଡିଆର ସର୍ବୋଚ୍ଚ ଦଳଗତ ସ୍କୋର ହୋଇ ରହିଛି। ଏହି ମ୍ୟାଚ୍‌ରେ ଭାରତ ମାତ୍ର ଗୋଟିଏ ପାଳି ବ୍ୟାଟିଂ କରି ଇଂଲଣ୍ଡକୁ ପାଳି ଓ ୭୫ ରନ୍‌ରେ ପରାସ୍ତ କରିଥିଲା।

ଶାସ୍ତ୍ରୀଙ୍କୁ ବିଦା କରିବା ଦାବି, ଲକ୍ଷ୍ମଣ, ଦ୍ରାବିଡ଼ଙ୍କୁ ସ୍ମରଣ
ଭାରତର ଲଜ୍ଜାଜନକ ପରାଜୟରେ କ୍ଷୁବ୍ଧ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମିମ୍ ପ୍ରକାଶ କରି କୋହଲି ବାହିନୀକୁ କଟାକ୍ଷ କରିଥିଲେ। ତେବେ ଅଧିକାଂଶ ନିଜ ରାଗ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଉପରେ ଶୁଝାଇଥିଲେ। ଶାସ୍ତ୍ରୀଙ୍କୁ ତୁରନ୍ତ ବିଦା କରିବାକୁ ସେମାନେ ଦାବି କରିଥିଲେ। ଆଉ କେତେକ ପ୍ରଶଂସକ ଭାରତୀୟ କ୍ରିକେଟର୍‌ ଦୁଇ ମହାନ ତାରକା ଭିଭିଏସ୍ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ଼ଙ୍କୁ ମନେ ପକାଇଥିଲେ। ଦ୍ରାବିଡ଼ ଓ ଲକ୍ଷ୍ମଣଙ୍କ ଫଟୋ ପ୍ରକାଶ କରି ସେହି ସୁନେଲି ଦିନକୁ ମନେ ପକାଇଥିଲେ ସେମାନେ। ସେହିଭଳି ଆଉ କେତେକ ମଜାଳିଆ ପ୍ରଶଂସକ ବିଭିନ୍ନ ବଲିଉଡ୍ ଚଳଚ୍ଚିତ୍ରର ଦୃଶ୍ୟ ଓ ଫଟୋ ପ୍ରକାଶ କରି ଭାରତୀୟ ଖେଳାଳିଙ୍କୁ ଟାହି ଟାପରା କରିଥିଲେ।

ସମ୍ବନ୍ଧିତ ଖବର