ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍‌ ଦଳ ୩ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୦-୨ରେ ହାରି ଯାଇଛି। ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା ବେଳେ ଦ୍ବିତୀୟକୁ ୭ ୱିକେଟ୍‌ରେ ଜିତି ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଅଗୁଆ ରହିଥିଲା। ଶୁକ୍ରବାର ଶେଷ ମ୍ୟାଚ୍‌କୁ ଘରୋଇ ଦଳ ୧୦ ୱିକେଟ୍‌ରେ ଜିତି ଶୃଙ୍ଖଳା କବ୍‌ଜା କରି ନେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ୮ ୱିକେଟ୍‌ ହରାଇ ୧୦୬ ରନ୍‌ କରିଥିଲା। ଇଫ୍‌ତିକାର ଅହମ୍ମଦ ୪୫ ଓ ଇମାମ ଉଲ୍‌ ହକ୍‌ ୧୪ ରନ୍‌ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ। କେନ୍‌ ରିଚାର୍ଡସନ୍‌ (୪-୦-୧୮-୩), ମିଚେଲ ଷ୍ଟାର୍କ (୪-୦-୨୯-୨) ଏବଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କୃତ ସିନ୍‌ ଆବୋଟ (୪-୦-୧୪-୨) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ଜବାବରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ନର ୪୮* (୩୫ ବଲ୍‌, ୪ ‌ଚୌକା, ୨ ଛକା) ଏବଂ ଆରୋନ ଫିଞ୍ଚ୍‌ ୫୨* (୩୬ ବଲ୍‌, ୪ ଚୌକା, ୩ ଛକା) ଅପରାଜିତ ରହି ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ। ଅସମାପ୍ତ ପ୍ରଥମ ୱିକେଟ୍‌ରେ ୱର୍ନର ଓ ଫିଞ୍ଚ୍‌ (୧୧.୫ ଓଭର) ୧୦୯ ରନ୍‌ ଯୋଡ଼ିଥିଲେ। ଷ୍ଟିଭେନ୍‌ ସ୍ମିଥ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।