ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ନୂଆ ବିଜେତା, ନ୍ୟୁଜିଲାଣ୍ଡ ପୁଣି ନିରାଶ

ଦୁବାଇ : ବଛାବଛା ୧୬ ଦଳକୁ ନେଇ ୨୯ ଦିନ ଏବଂ ୪୫ ମ୍ୟାଚ୍‌ର ଘମାଘୋଟ ଲଢ଼େଇ ପରେ ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ମିଳିଛି ନୂଆ ବିଶ୍ୱ ବିଜେତା। ଫଟାଫଟ୍ କ୍ରିକେଟ୍‌ର ହାଇସ୍କୋରିଂ ଏବଂ ଛକା ଚୌକାଭରା ମେଗା ଫାଇନାଲ୍‌ରେ ରବିବାର ନ୍ୟୁଜିଲାଣ୍ଡକୁ ୭ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ହରାଇ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ୱକପ୍ ଜିତି ନେଇଛି ଦୁର୍ଦ୍ଧଷ ଅଷ୍ଟ୍ରେଲିଆ। ତା ସହ ଟ୍ବେଣ୍ଟି-୨୦ ବିଶ୍ୱକପ୍ ଇତିହାସରେ ଯୋଡ଼ି ହୋଇଯାଇଛି ନୂଆ ଅଧ୍ୟାୟ। ଏବେ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ବିଶ୍ୱ ବିଜେତା କ୍ଲବ୍‌ରେ ଭାରତ, ପାକିସ୍ତାନ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା ସହ ସାମିଲ ହୋଇଛି। ଆଉ ସପ୍ତମ ସଂସ୍କରଣରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ମିଳି ଯାଇଛି ଷଷ୍ଠ ବିଜେତା।

ପୂରା ପ୍ରତିଯୋଗିତାରେ ସାହସିକ ବ୍ୟାଟିଂ ଓ ଦୃଢ଼ ଆତ୍ମବଳର ପରିଚୟ ଦେଇଥିଲା ନ୍ୟୁଜିଲାଣ୍ଡ। ହେଲେ ଫାଇନାଲ୍‌ରେ ହିଁ ଫେଲ୍ ମାରିଲା। ଫଳରେ ଉପବିଜେତାରେ ସନ୍ତୁଷ୍ଟ ରହିଲା। କିୱି ଦଳର ଟ୍ବେଣ୍ଟି-୨୦ରେ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ବି ଭାଙ୍ଗି ଚୂରମାର ହୋଇଗଲା। ଅନ୍ୟପକ୍ଷରେ ୧୪ ବର୍ଷର ଅଭିଯାନ ସହ ଦ୍ୱିତୀୟ ଥର ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହୋଇ ଅଷ୍ଟ୍ରେଲିଆ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ୱବିଜେତା ହେବାର ପ୍ରତୀକ୍ଷିତ ସଫଳତା ଲାଭ କରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୦ରେ ଫାଇନାଲ୍ ଖେଳିଥିଲା। ହେଲେ ଇଂଲଣ୍ଡଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ଦୁଇ ପଡ଼ୋଶୀ ଦେଶଙ୍କ ମଧ୍ୟରେ ଖେଳାଯାଇଥିବା ରବିବାରର ଫାଇନାଲ୍‌ରେ ଅଧିନାୟକ କେନ୍ ୱିଲିୟମସନ୍‌ (୮୫ ରନ୍, ୪୮ ବଲ୍, ୧୦ ଚୌକା, ୩ ଛକା)ଙ୍କ ଅତୁଳନୀୟ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ମାତ୍ର ୧୫ ରନ୍‌ରେ ଅଧିନାୟକ ଆରୋନ ଫିଞ୍ଚ୍‌ (୫)ଙ୍କୁ ହରାଇଥିଲା। ହେଲେ ଅଲରାଉଣ୍ଡର ମିଚେଲ ମାର୍ସ (୭୭* ରନ୍, ୫୦ ବଲ୍, ୬ ଚୌକା, ୪ ଛକା) ଏବଂ ଓପନର ଡେଭିଡ୍ ୱାର୍ଣ୍ଣର(୫୩ ରନ୍, ୩୮ ବଲ୍, ୪ ଚୌକା, ୩ ଛକା) ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଅଷ୍ଟ୍ରେଲିଆକୁ ବିଶ୍ବକପ୍ ଉପହାର ଦେଇଥିଲେ। ନ୍ୟୁଜିଲାଣ୍ଡ ଆଜି ପ୍ରଥମେ ବ୍ୟାଟିଂ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଇତିହାସର ସର୍ବୋଚ୍ଚ ଦଳଗତ ସ୍କୋର କରିନେଇଥିଲା। ବିଜେତା ଅଷ୍ଟ୍ରେଲିଆ ଏହାକୁ ୧୮.୫ ଓଭରରେ ‌କେବଳ ୨ ୱିକେଟ୍ ହରାଇ ହାସଲ କରି ନେଇ ବିଶ୍ବକପ୍ ଫାଇନାଲରେ ସର୍ବୋଚ୍ଚ ପଶ୍ଚାତଧାବନର ଅପୂର୍ବ କୀର୍ତ୍ତିମାନ କରିନେଇଥିଲା। ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ବିଜୟ ହାସଲ କରିଥିଲା। ଦୁବାଇ ଫଳାଫଳର ଧାରାକୁ ଜାରି ରଖି ପଶ୍ଚାତଧାବନ କରିଥିବା‌ ଦଳ ହିଁ ବିଜେତା ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଥିଲା। ମାର୍ସ, ମ୍ୟାଚ୍ ଏବଂ ୱାର୍ଣ୍ଣର ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର