୧୦୦୦ ମ୍ୟାଚ ଜିତିବା ମାମଲାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ, ଭାରତକୁ ହରାଇଲା ୧୨୨ ଥର

ସିଡନୀ: ଅଷ୍ଟ୍ରେଲିଆ ୨୦୧୯ରେ ପ୍ରଥମ ମ୍ୟାଚ ଜିତିବା ସହିତ ବିଜୟ ଅଭିଯାନ ଆରମ୍ଭ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି। ସିଡନୀରେ ଭାରତ ବିପକ୍ଷରେ ୪ ଦିନିକିଆ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶନିବାର ୩୪ ରନରେ ବିଜୟ ହାସଲ କରିବା ସହିତ ଅଷ୍ଟ୍ରେଲିଆ ୧୦୦୦ ମ୍ୟାଚରେ ଜିତି ରେକର୍ଡ ପ୍ରତିଷ୍ଠା କରିଛି। ଭାରତକୁ ଅଷ୍ଟ୍ରେଲିଆ ୧୨୨ ଥର ପରାସ୍ତ କରିଛି। ଅଷ୍ଟ୍ରେଲିଆ ଏକମାତ୍ର ଟିମ୍‌, ଯିଏକି ୮୦୦ରୁ ଅଧିକ ଅର୍ନ୍ତଜାତୀୟ ମ୍ୟାଚ ଜିତିଛି। ଇଂଲଣ୍ଡ ଟିମ୍‌ ୭୭୪ ମ୍ୟାଚ ଜିତିଛି।

ଅଷ୍ଟ୍ରେଲିଆ ଟିମ ଟେଷ୍ଟ ଓ ଦିନିକିଆ ଫର୍ମାଟରେ ସର୍ବାଧିକ ମ୍ୟାଚ ଜିତିଥିବା ଟିମ୍‌ ଅଟେ। ଏହି ଟିମ ଏପର୍ଯ୍ୟନ୍ତ ୧୮୫୩ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି। ଏଥିରେ ୮୧୮ ଟେଷ୍ଟ, ୯୨୧ ଦିନିକିଆ ଓ ୧୧୪ ଟି-୨୦ ସାମିଲ ଅଛି। ଅଷ୍ଟ୍ରେଲିଆ ୩୮୪ ଟେଷ୍ଟ, ୫୫୯ ଦିନିକିଆ ଓ ୫୮ ଟି-୨୦ ମ୍ୟାଚ ଜିତିଛି। ଟି-୨୦ ମ୍ୟାଚ ଜିତିବା ମାମଲାରେ ଅଷ୍ଟ୍ରେଲିଆର ସ୍ଥାନ ୪ର୍ଥ। ପ୍ରଥମରେ ପାକିସ୍ତାନ (୮୯ ମ୍ୟାଚ), ଦ୍ୱିତୀୟରେ ଭାରତ (୬୯ ମ୍ୟାଚ) ଓ ତୃତୀୟରେ ଦକ୍ଷିଣ ଆଫ୍ରିକା (୬୩ ମ୍ୟାଚ)।

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୩ ଫର୍ମାଟରେ ୨୪୪ ମ୍ୟାଚ ଖେଳାଯାଇଛି। ଏଥିରେ ୧୨୨ ମୁକାବିଲାରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଭାରତ ୮୪ ମ୍ୟାଚ ଜିତିଛି। ଗୋଟିଏ ଟାଇ ଥିବା ବେଳେ, ୨୬ ଟେଷ୍ଟ ଡ୍ର ହୋଇଛି। ସେହିପରି ୧୧ ମ୍ୟାଚ ବାତିଲ ହୋଇଛି। ତିନି ଫର୍ମାଟରେ ଅଷ୍ଟ୍ରେଲିଆ ୨୩୪ଥର ଇଂଲଣ୍ଡକୁ ପରାସ୍ତ କରିଛି। ସେହିପରି ଇଣ୍ଡିଜ ୧୨୮ ଥର, ଦକ୍ଷିଣ ଆଫ୍ରିକା ୧୧୧ ଥର ଓ ପାକିସ୍ତାନ ୧୦୦ ଥର ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି। ଶ୍ରୀଲଙ୍କା ଟିମ ୮୨ ଥର ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି।

ସମ୍ବନ୍ଧିତ ଖବର