ଦୁବାଇ : ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଅଷ୍ଟ୍ରେଲିଆ । ଆଜି ଅନୁଷ୍ଠିତ ୨ୟ ସେମି-ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଚଳିତ ବିଶ୍ବକପରେ ପାକିସ୍ତାନ ଏ ପର୍ଯ୍ୟନ୍ତ ଅପରାଜେୟ ରହିଆସିଥିଲା । କିନ୍ତୁ ଆଜି ଅଷ୍ଟ୍ରେଲିଆ ପାକିସ୍ତାନର ବିଜୟ ରଥକୁ ଧୂଳିସାତ କରିଦେଇଛି ।

Advertisment

ପାକିସ୍ତାନ ଦ୍ବାରା ରଖାଯାଇଥିବା ୧୭୭ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୯ ତମ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଛି । ଇନିଂସ ଆରମ୍ଭରୁ ଆରନ ଫିଞ୍ଚଙ୍କ ଓ୍ବିକେଟ ହରାଇ ଅଷ୍ଟ୍ରେଲିଆ ସଂକଟରେ ପଡ଼ିଥିଲେ ବି ଡେଭିଡ ଓ୍ବାର୍ନର ଓ ମିଚେଲ ମାର୍ସ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ । କିନ୍ତୁ ମାର୍ସ ଆଉଟ ହେବା ପରେ ଅଳ୍ପ ଅଳ୍ପ ରନ ବ୍ୟବଧାନରେ କଙ୍ଗାରୁ ଦଳ ଷ୍ଟିଭ ସ୍ମିଥ, ଗ୍ଲେନ ମାକ୍ସଓ୍ବେଲ ଓ ଓ୍ବାର୍ନରଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ମାର୍କସ ଷ୍ଟଇନିସ ଓ ମ୍ୟାଥ୍ୟୁ ଓ୍ବେଡ୍ ବିସ୍ଫୋରକ ବ୍ୟାଟିଂ କରି ପାକିସ୍ତାନ ହାତରୁ ବିଜୟକୁ ଛଡ଼ାଇ ଆଣିଥିଲେ । ବିଶେଷ କରି ଓ୍ବେଡ୍ ୧୭ ବଲରେ ୪ ଛକା ୨ ଚୌକା ସହ ୪୧ ରନ କରି ଦଳକୁ ବିଜୟ ଦେଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ଦେବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ମହମ୍ମଦ ରିଜଓ୍ବାନ ଓ ବାବର ଆଜମ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋରର ମୂଳଦୂଆ ପକାଇଥିଲେ । ରିଜଓ୍ବାନ ବିସ୍ଫୋରକ ବ୍ୟାଟିଂ କରି ୬୭ ରନ କରିଥିଲେ । ବାବର ଆଜମ ୩୯ ରନ କରିଥିବାବେଳେ ଫକର ଜମାନ ବିସ୍ଫୋରକ ୫୪ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୨ଟି ଓ୍ବିକେଟ ନେଇଥିବାବେଳେ ପାଟ କମିନ୍ସ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।