ମହିଳା ଆସେସ୍‌ ବଜାୟ ରଖିଲା ଅଷ୍ଟ୍ରେଲିଆ

ସିଡ୍‌ନି: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଆସେସ୍‌ ଟ୍ରଫି ବଜାୟ ରଖିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଘରୋଇ ଦଳ ୬ ଓ୍ଵିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଏହି ଗୌରବ ପାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଓ୍ଵାଟ୍‌ (୫୦)ଙ୍କ ଅର୍ଧଶତକ ସତ୍ତ୍ୱେ ୯ ଓ୍ଵିକେଟ୍‌ ବିନିମୟରେ ୧୩୨ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ସ୍କୁଟ୍‌ ୨୨ ରନ୍‌ରେ ୪ ଓ ପେରି ୨୬ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ମୁନିଙ୍କ ଅପରାଜିତ ୮୬ (୫୬ ବଲ୍‌, ୧୧ ଚୌକା ଓ ୨ ଛକା) ରନ୍‌ ବଳରେ ଅଷ୍ଟ୍ରେଲିଆ ୧୫.୫ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୩୪ ରନ୍‌ କରିନେଇଥିଲା। ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୨ ପଏଣ୍ଟ୍‌ ପାଇଲା। ଫଳରେ ଆଉ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍‌ (୪ ପଏଣ୍ଟ୍‌) ବାକି ଥିଲା ବେଳେ ଅଷ୍ଟ୍ରେଲିଆ ୮-୪ରେ ଅଗ୍ରଣୀ ହାସଲ କରିସାରିଛି। ଏବେ ଇଂଲଣ୍ଡ ପରବର୍ତୀ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଜିତି ପଏଣ୍ଟ୍‌ (୮-୮) ଶୃଙ୍ଖଳା ଟାଇ କଲେ ମଧ୍ୟ ଅଷ୍ଟ୍ରେଲିଆଠୁ ଆସେସ୍‌ ଟ୍ରଫି ଛଡ଼ାଇ ନେଇପାରିବନି। ଯେହେତୁ ଆସେସ୍‌ ଏବେ ବି ଅଷ୍ଟ୍ରେଲିଆ ପାଖରେ ରହିଛି, ତେଣୁ ପଏଣ୍ଟ୍‌ ସମାନ ହେଲେ ମଧ୍ୟ ଏହି ଦଳ ଟ୍ରଫି ନିଜ ପାଖରେ ରଖିବ।

ସମ୍ବନ୍ଧିତ ଖବର