ମୁମ୍ବାଇ ଦିନିକିଆରେ ଭାରତକୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ, ଅପରାଜିତ ଶତକ ମାରିଲେ ଫିଞ୍ଚ-ଓ୍ଵାର୍ଣ୍ଣର

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଅଷ୍ଟ୍ରେଲିଆ ୧୦ ଓ୍ଵିକେଟ୍‌ରେ ବାଜି ମାରି ନେଇଛି। ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳର ଓପନର ବ୍ୟାଟସ୍‌ମ୍ୟାନ୍‌ ଆରୋନ ଫିଞ୍ଚ (ଅଧିନାୟକ) ଓ ଡେଭିଡ୍‌ ଓ୍ଵାର୍ନର ନିଜର ଦମ୍‌ ଦେଖାଇଛନ୍ତି। ଭାରତ ପକ୍ଷରୁ ମିଳିଥିବା ୨୫୬ ରନ୍‌ ବିଜୟ ଲକ୍ଷ୍ୟକୁ ଫିଞ୍ଚ (ଅପରାଜିତ ୧୧୦ ରନ୍‌, ୧୧୪ ବଲ, ୧୩ ଚୌକା, ୨ ଛକା ) ଓ ଓ୍ଵାର୍ଣ୍ଣର (ଅପରାଜିତ ୧୨୮ ରନ୍‌, ୧୧୨ ବଲ, ୧୭ ଚୌକା, ୩ ଛକା) ସହଜରେ ହାସଲ କରି ନେଇଛନ୍ତି।

ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତର ସମସ୍ତ ଖେଳାଳି ୪୯.୧ ଓଭରରେ ଆଉଟ୍‌ ହୋଇଯାଇ ୨୫୫ ରନ୍‌ ଯୋଗାଡ଼ କରିଥିଲେ। ଫଳରେ ଅଷ୍ଟ୍ରେଲିଆକୁ ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ୩୭.୪ ଓଭରରେ ସହଜରେ ହାସଲ କରିଥିଲା। ଭାରତୀୟ ବୋଲରମାନେ ବହୁ ଉଦ୍ୟମ କରି ମଧ୍ୟ ଅଷ୍ଟ୍ରେଲିଆ ଓପନର ଆରୋନ ଫିଞ୍ଚ ଓ ଡେଭିଡଡ଼ ଓ୍ଵାର୍ନରଙ୍କୁ ଆଉଟ୍‌ କରିପାରି ନ ଥିଲେ।

ସୂଚନା ଅନୁସାରେ ଭାରତର ଇନିଂସ ମନ୍ଥର ଗତିରେ ଆଗକୁ ବଢ଼ିଥିଲା। ଓପନର ରୋହିତ ଶର୍ମା ୧୫ଟି ବଲ ଖେଳି ୧୦ ରନ୍‌ କରିବା ପରେ ମିଚେଲ ଷ୍ଟାର୍କସଙ୍କ ବଲରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ରୋହିତ ଆଉଟ୍‌ ହେବା ବେଳକୁ ଟିମ୍‌ର ସ୍କୋର ୧୩ ରନ୍‌ ଥିଲା। ଏହା ପରେ ତାଙ୍କର ସ୍ଥାନ ନେଇଥିଲେ ଯୁବ ବ୍ୟାଟସ୍‌ମ୍ୟାନ ଲୋକେଶ ରାହୁଲ। ଲୋକେଶ ୬୧ଟି ବଲ ଖେଳି ୪୭ ରନ୍‌ କରିବା ପରେ ଆଷ୍ଟନ ଆଗରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଲୋକେଶଙ୍କ ଏହି ଇନିଂସରେ ୪ଟି ଚୌକା ସାମିଲ ଥିଲା।

ଲୋକେଶଙ୍କ ସ୍ଥାନ ପୂରଣ କରିବାକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ। ମାତ୍ର କୋହଲି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରି ନ ଥିଲେ। ସେ ୧୪ଟି ବଲର ସମ୍ମୁଖୀନ ହୋଇ ୧୬ ରନ୍‌ କରି ଆଦାମ ଜାମ୍ପାଙ୍କ ଶିକାର ବନିଥିଲେ।

Photo: Hindustan Times

ଭାରତର ଇନିଂସକୁ  ଶିଖର ଧାଓ୍ଵନ ସମ୍ଭାଳୁ ଥିବା ବେଳେ ପ୍ୟାଟ୍‌ କମିନ୍‌ସଙ୍କ  ଏକ ବଲ ଆଷ୍ଟନ ଆଗରଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌କୁ ଫେରିଥିଲେ। ଧାଓ୍ଵନ ୯୧ ଟି ବଲ ଖେଳି ୯ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୭୪ ରନ୍‌ କରିଥିଲେ। ଟିମ୍‌ର ସ୍କୋର ୧୪୦ ରନ୍‌ ଥିବା ବେଳେ ସେ ଆଉଟ୍ ହୋଇଥିଲେ।

ବିରାଟ କୋହଲି ଆଉଟ୍‌ ହୋଇ ଫେରିବା ପରେ ଯୁବ ବ୍ୟାଟସ୍‌ମ୍ୟାନ ଶ୍ରେୟସ ଆୟର ପଡ଼ିଆକୁ ପ୍ରବେଶ କରିଥିଲେ କିନ୍ତୁ ସେ ଟିମ୍‌ର ଖାତାରେ ମାତ୍ର ୪ ରନ୍‌ ଯୋଡ଼ିଥିଲେ। ଏହାପରେ ଦଳ ପାଇଁ ଋଷବ ପନ୍ତ ୨୮ ରନ୍‌, ରବୀନ୍ଦ୍ର ଜାଦେଜା ୨୫ ରନ୍‌, ଶାର୍ଦ୍ଦୁଲ ଠାକୁର ୧୩ ରନ୍‌, ମହମ୍ମଦ ସାମି ୧୦ ରନ୍‌ ଓ କୁଲଦୀପ ଯାଦବ ୧୭ ରନ୍‌ ଯୋଡ଼ିଥିଲେ।

ଅପରପକ୍ଷେ ଅଷ୍ଟ୍ରେଲିଆର ସମସ୍ତ ବୋଲର ଆଜି ଭଲ ପ୍ରଦର୍ଶନ କରିଥିଲେ। ଯାହା ଫଳରେ ଭାରତ ଏକ ମଜବୁତ୍‌ ସ୍କୋର କରିବାକୁ ସକ୍ଷମ ହୋଇପାରି ନ ଥିଲା। ମିଚେଲ ଷ୍ଟାର୍କସ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ପ୍ୟାଟ୍‌ କମିନ୍‌ସ ଓ କେନ୍‌ ରିଚାର୍ଡସନ୍‌ ୨-୨ଟି ଓ୍ଵିକେଟ୍‌ ନେଇଥିଲେ। ଆଦାମ ଜାମ୍ପା ଓ ଆଷ୍ଟନ ଆଗରଙ୍କ ଖାତାକୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଯାଇଥିଲା।

ସମ୍ବନ୍ଧିତ ଖବର