ଅଷ୍ଟ୍ରେଲିଆ ୩ୟ ଟି-୨୦ ଜିତିଲା, ୨-୧ରେ ଶୃଙ୍ଖଳା ଅକ୍ତିଆର କଲା ଭାରତ

ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନିରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଟି-୨୦କୁ କଙ୍ଗାରୁ ଦଳ ଜିତିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲେ। ଆୟୋଜକ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଉଇକେଟ୍‌ ହରାଇ ୧୮୬ ରନ୍‌ କରିଥିଲା ଏବଂ ଭାରତକୁ ବିଜୟ ପାଇଁ ୧୮୭ ରନ୍‌ର ଲକ୍ଷ ଦେଇଥିଲା। ଭାରତୀୟ ଟିମ୍‌ ବିରାଟ କୋହଲି (୮୫)ଙ୍କ ଚମକପ୍ରଦ ପ୍ରଦର୍ଶନ ପରେ ବି ୭ ଉଇକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିପାରିଛି ଏବଂ ୧୨ ରନ୍‌ରେ ମ୍ୟାଚ୍‌ ହାରିଯାଇଛି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ୩ୟ ଟି-୨୦ ମ୍ୟାଚ୍‌ ହାରିଯାଇଥିଲେ ମଧ୍ୟ ଶୃଙ୍ଖଳାକୁ ୨-୧ରେ ଜିତିଛି। ଅତିଥି ଟିମ୍‌ ଏହି ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ଜିତିଥିଲେ।

ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ପ୍ରଶଂସନୀୟ ବ୍ୟାଟିଂ କରିଥିଲେ। ସେ ୧୨ ନମ୍ବର ଓଭରର ଶେଷ ବଲରେ ଏକ ରନ୍‌ ସଂଗ୍ରହ କରି ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ନିଜର ୨୫ତମ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ କୋହଲି ଶିଖର ଧଓ୍ଵନ (୨୮)ଙ୍କ ସହିତ ୨ୟ ଉଇକେଟ୍‌ ପାଇଁ ୭୪ ରନ୍‌ ଯୋଡ଼ିଥିଲେ। ସେହିପରି କୋହଲି ୫ମ ଉଇକେଟ୍‌ ପାଇଁ ଅଲ୍‌ରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା (୨୦)ଙ୍କ ସହ ୪୪ ରନ୍‌ ଯୋଡ଼ିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୮୦ ରନ୍ କରିଥିଲେ ଓପନର ମାଥ୍ୟୁ ୱେଡ୍। ସେ ୫୩ଟି ବଲ ଖେଳି ୭ଟି ଚୌକା ଓ ୨ଟି ଛକା ଦ୍ବାରା ୮୦ କରିଥିଲେ। ତାଙ୍କ ପଛକୁ ଅଷ୍ଟ୍ରେଲିଆ ପକ୍ଷରୁ ବଡ଼ ସ୍କୋର କରିଥିଲେ ମ୍ୟାକ୍ସୱେଲ୍। ସେ ଟି. ନଟରାଜନଙ୍କ ଦ୍ବାରା ବୋଲ୍ଡ ହେବା ଆଗରୁ ୫୪ (୩୬) ରନ ସଂଗ୍ରହ କରି ନେଇଥିଲେ। ତେବେ ବ୍ୟାଟିଂ ଆରମ୍ଭରୁ ଶୂନରେ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଉଇକେଟ୍ ଯିବା ଦଳ ପାଇଁ ବଡ଼ ଧକ୍କା ଥିଲା। ମାତ୍ର ଉଇକେଟ୍ କିପର ୱେଡ୍ ଓ  ସ୍ମିଥ୍ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ।

ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର ୨ଟି ଉଇକେଟ୍ ପାଇଥିବା ବେଳେ ସାର୍ଦ୍ଦୁଲ୍ ଠାକୁର ଓ ଟି.ନଟରାଜନଙ୍କୁ ଗୋଟିଏ ଗୋଟିଏ ଉଇକେଟ୍ ମିଳିଥିଲା। ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ଅଷ୍ଟ୍ରେଲିଆ ଦଳକୁ କ୍ୟାପଟେନ୍ ଆରୋନ୍ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ମ୍ୟାଚରେ ସେ ଖେଳି ନ ଥିଲେ। ସେହିପରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ ଆହତ ହୋଇଥିବା ହେତୁ ଆଜି ଦଳ ପାଇଁ ଖେଳୁନାହାନ୍ତି।
ସମ୍ବନ୍ଧିତ ଖବର