ଲଣ୍ଡନ୍ : ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ରବିବାର ଅଷ୍ଟ୍ରେଲିଆ ଠାରୁ ଭାରତ ୨୦୯ ରନ୍ରେ ପରାସ୍ତ ହୋଇଛି। ଲଣ୍ଡନ୍ର ଓଭାଲ ଷ୍ଟାଡିୟମରେ ଭାରତ ଦ୍ବିତୀୟ ପାଳିରେ ୨୩୪ ରନ୍ରେ ସମସ୍ତ ୱିକେଟ୍ ହରାଇଛି। ଭାରତ ପ୍ରଥମ ପାଳିରେ ୨୯୬ ରନ୍ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍ କରିଥିଲା ତେଣୁ ୧୭୩ ରନ୍ରେ ଅଗ୍ରଣୀ ଥିଲା। ଦ୍ବିତୀୟ ପାଳିରେ ୨୭୦ ରନ୍ କରି ପାଳି ଘୋଷଣା କରିଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୪୪୪ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା।
ଭାରତର ଦ୍ବିତୀୟ ପାଳି ଆରମ୍ଭରୁ ଭଲ ଥିଲା। ପ୍ରଥମ ୱିକେଟରେ ଅଧିନାୟକ ରୋହିତ ଶର୍ମା (୪୩) ଓ ଶୁବମନ୍ ଗିଲ୍ ୩୧ ରନ୍ର ଭାଗିଦାରୀ ହୋଇପାରିଥିଲେ। ଶୁବମନ ଗିଲ ବ୍ୟକ୍ତିଗତ ଭାବେ ୧୮ ରନ୍ କରିଥିଲେ। ଭାରତ ୯୨ ରନ୍ରେ ଦ୍ବିତୀୟ ୱିକେଟ୍ ହରାଇଥିଲା। ଦ୍ବିତୀୟ ୱିକେଟ୍ ଭାବେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ବିରାଟ କୋହଲି ୪୯, ଆଜିଙ୍କ୍ୟ ରାହାଣେ ୪୬ ରନ୍ କରିଥିଲେ। ସେହିପରି ଶ୍ରୀକର ଭରତ ୨୩ ରନ୍ ଯୋଡ଼ିଥିଲେ। ମଧ୍ୟକ୍ରମର ଖେଳାଳିମାନେ ନିୟନ୍ତ୍ରଣ ହରାଇଥିବା ବେଳେ ଶେଷ କ୍ରମରେ ବ୍ୟାଟିଂ କରିଥିବା ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ନାଥାନ ଲାୟନ ୪ଟି ୱିକେଟ ନେଇଥିଲେ। ସ୍କଟ ବୋଲାଣ୍ଡଙ୍କୁ ୩ଟି, ମିଚେଲ୍ ଷ୍ଟାର୍କସଙ୍କୁ ୨ଟି ଏବଂ ପେଟ୍ କମିନ୍ସଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
ଶନିବାର ଚତୁର୍ଥ ଦିବସର ମଝି ଅଧିବେସନରେ ଅଷ୍ଟ୍ରେଲିଆ ୨୭୦/୮ରେ ପାଳି ଘୋଷଣା କରିବାରୁ ଭାରତ ଆଗରେ ୪୪୪ ରନ୍ର ଆହ୍ବାନଭରା ଲକ୍ଷ୍ୟ ଛିଡ଼ା ହୋଇଥିଲା। ରୋହିତ ଶର୍ମା ଓ ଶୁବମନ ଗିଲ୍ ୭ ଓଭରରେ ୪୧ ରନ୍ ଉଠାଇ ଭଲ ଆରମ୍ଭ କରିଥିଲେ। ରୋହିତ ମଧ୍ୟ ପ୍ରଥମ ପାଳି ଭଳି ଚୌକାରୁ ଅଭିଯାନ ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ଯୋଡ଼ି ବିଜୟୀ ଆଭିମୁଖ୍ୟ ନେଇ ଖେଳୁଥିବାବେଳେ ଗିଲ୍ ବିବାଦୀୟ ଭାବେ ଆଉଟ୍ ହୋଇଯାଇଥିଲେ। ବୋଲାଣ୍ଡଙ୍କ ବୋଲିଂରେ ତୃତୀୟ ସ୍ଲିପ୍ରେ ଗ୍ରିନ୍ ଘାସ ମିଶା କ୍ୟାଚ୍ ନେଇଥିଲେ ମଧ୍ୟ ତୃତୀୟ ଅମ୍ପାୟାର୍ ଏହାକୁ ଆଉଟ୍ ଘୋଷଣା କରିଥିଲେ। ରୋହିତଙ୍କ ସହିତ ଯୋଗ ଦେଇ ଚେତେଶ୍ବର ପୂଜାରା ମଧ୍ୟ ଚୌକାରୁ ଅଭିଯାନ ଆରମ୍ଭ କରିଥିଲେ। ଉଭୟ ଦ୍ରୁତ ଭାବେ ୫୧ ରନ୍ର ଭାଗୀଦାରି କରିଥିଲେ ମଧ୍ୟ ୫ ବଲ୍ ବ୍ୟବଧାନ ଭିତରେ ଉଭୟ ଆଉଟ୍ ହୋଇଯିବାରୁ ଭାରତ ୨୧ ଓଭର ବେଳକୁ ୯୩/୩ରେ ସଂଘର୍ଷ କରିଥିଲା।