ଟାଉନ୍ସଭିଲ୍ଲେ : ଜିମ୍ବାୱେ ଗସ୍ତରେ ଅଷ୍ଟ୍ରେଲିଆ ଦଳ ସହଜ ବିଜୟ ସହ ଦିନିକିଆ ଶୃଙ୍ଖଳା ଅଭିଯାନ ଆରମ୍ଭ କରିଛି। କାମେରନ୍ ଗ୍ରିନ୍ଙ୍କ ୫ ୱିକେଟ୍ ସଫଳତା ବଳରେ ଭ୍ରମଣକାରୀ ଦଳ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାୱେକୁ ୫ ୱିକେଟ୍ରେ ପରାସ୍ତ କରିଦେଇଛି। ଏଥିସହିତ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି। ଗ୍ରିନ୍ ମଧ୍ୟ ଘାତକ ବୋଲିଂ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରାୟ ୧୮ ବର୍ଷ ପରେ ଉଭୟ ଦଳ ମଧ୍ୟରେ ଜିମ୍ବାୱେରେ ଶୃଙ୍ଖଳା ଆୟୋଜନ ହୋଇଛି। ଶେଷଥର ପାଇଁ ୨୦୦୪ରେ ଉଭୟ ଦଳ ଶୃଙ୍ଖଳା ଖେଳିଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ଜିମ୍ବାୱେକୁ ଆମନ୍ତ୍ରଣ କରିଥିଲା। ହେଲେ ଭ୍ରମଣକାରୀ ଦଳର ବୋଲରଙ୍କ ଆଗରେ ତିଷ୍ଠିନପାରି ଘରୋଇ ଦଳ ୪୭.୩ ଓଭରରେ ୨୦୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଗ୍ରିନ୍ ୩୩ ରନ୍ରେ ୫ ୱିକେଟ୍ ଦଖଲ କରିଥିଲା ବେଳେ ଆଦାମ ଜାମ୍ପା ୫୭ ରନ୍ରେ ୩, ମିଚେଲ ଷ୍ଟାର୍କ ଓ ମିଚେଲ ମାର୍ଶ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଜିମ୍ବାୱେ ପକ୍ଷରୁ ୱେସ୍ଲି ମାଧେଭେରେ (୭୨) ଏକମାତ୍ର ଅର୍ଦ୍ଧଶତକ ଜମାଇଥିଲା ବେଳେ ତାଦିୱାନେସେ ମରୁମାନି (୪୫), ରେଗିସ ଚକଭା (୩୧) ଓ ଇନୋସେଣ୍ଟ କାଇଆ (୧୭) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ଡେଭିଡ୍ ୱର୍ଣ୍ଣର (୫୭)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଷ୍ଟିଭେନ୍ ସ୍ମିଥ୍ (ଅପରାଜିତ ୪୮), ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୯ ବଲ୍ରୁ ବିସ୍ଫୋରକ ଅପରାଜିତ ୩୨, ମାର୍କୋସ୍ ଷ୍ଟୋଇନିସ୍ (୧୯), ଆରୋନ୍ ଫିଞ୍ଚ୍ (୧୫) ଏବଂ ଆଲେକ୍ସ କାରି (୧୦)ଙ୍କ ଦ୍ରୁତ ରନ୍ ବଳରେ ଅଷ୍ଟ୍ରେଲିଆ ୩୩.୩ ଓଭରରେ ୫ ୱିକେଟ୍ ବିନିମୟରେ ୨୦୧ ରନ୍ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଜିମ୍ବାୱେ ପକ୍ଷରୁ ରୢାନ୍ ବୁର୍ଲ ୩, ରିଚାର୍ଡ ଏନ୍ଗାରାଭେ ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/28cameron-green.jpg)