ନୂଆଦିଲ୍ଲୀ: ଲଣ୍ଡନ୍ର ଦ ଓଭାଲ୍ରେ ଜୁନ୍ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହାକୁ ନେଇ ଦୁଇ ଦଳର ପୂର୍ବତନ ଖେଳାଳି ଏବଂ କ୍ରିକେଟ୍ ପଣ୍ଡିତମାନେ ବାକ୍ୟ ବିନିମୟରେ ଲାଗି ପଡ଼ିଛନ୍ତି। ଦୁଇ ଦଳର ଶକ୍ତି ଓ ସାମର୍ଥ୍ୟକୁ ନେଇ ନେଇ ଆକଳନ କରି ଚାଲିଛନ୍ତି ସଭିଏଁ। ସମାନ ସମୟରେ ଅଷ୍ଟ୍ରେଲିଆ ଦଳ କିନ୍ତୁ ନିଜର ଦ ଓଭାଲ୍ ରେକର୍ଡକୁ ନେଇ ଅଧିକ ଚିନ୍ତିତ। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଅଷ୍ଟ୍ରେଲିଆ ପାଇଁ ଏହି ପଡ଼ିଆ ସବୁବେଳେ ଦୁର୍ଭାଗ୍ୟ ହୋଇ ରହିଛି। କଙ୍ଗାରୁ ଦଳକୁ ଏଠାରେ ବହୁ ଆହ୍ବାନ ମିଳିଛି। ୧୮୮୦ ମସିହାରେ ଇଂଲଣ୍ଡରେ ପ୍ରଥମ ଟେଷ୍ଟ୍ ଖେଳିବା ପରଠାରୁ ଅଷ୍ଟ୍ରେଲିଆ ଦକ୍ଷିଣ ଲଣ୍ଡନ୍ର ଏହି ଭେନ୍ୟୁ ଦ ଓଭାଲରେ ୩୮ ଟେଷ୍ଟ୍ ଖେଳି ମାତ୍ର ୭ଟି ଜିତିଛି। ଯାହାର ବିଜୟ ପ୍ରତିଶତ ରହିଛି ୧୮.୪୨। ଇଂଲଣ୍ଡର ସମସ୍ତ ପଡ଼ିଆ ତୁଳନାରେ ଦଳର ଏହା ସବୁଠାରୁ ଖରାପ। ଏହି ଧାରାକୁ କାମେରନ୍ ଗ୍ରିନ୍ଙ୍କ ଦଳ ଭାଙ୍ଗିବା ଆଶାରେ ରହିଛି। ସବୁଠାରୁ ବଡ଼ କଥା ହେଲା ବିଗତ ୫୦ ବର୍ଷ ଭିତରେ ଅଷ୍ଟ୍ରେଲିଆ ଦ ଓଭାଲରେ ମାତ୍ର ଦୁଇ ଥର ଜିତିଛି। ଅନ୍ୟପକ୍ଷରେ ଲର୍ଡସରେ ୨୯ ମ୍ୟାଚ୍ରୁ ୧୭ ଜିତି ୪୩.୫୯ ପ୍ରତିଶତ ସଫଳତା ରଖିଛି। ଏହା ମଧ୍ୟ ଘରୋଇ ଇଂଲଣ୍ଡର ସଫଳତା ପ୍ରତିଶତ (୩୯.୭୨) ଆଗରେ ରହିଛି। ଦକ୍ଷିଣ ଅଫ୍ରିକା ୩୩.୩୩ ପ୍ରତିଶତ ସହିତ ଏହି ପଡ଼ିଆରେ ତୃତୀୟ ସଫଳତମ ଦଳ ହୋଇଛି। ସେହିଭଳି ଅଷ୍ଟ୍ରେଲିଆ ହେଡିଙ୍ଗଲେରେ ୩୪.୬୨, ଟ୍ରେଣ୍ଟ୍ ବ୍ରିଜ୍ରେ ୩୦.୪୩, ଓଲ୍ଡ ଟ୍ରାଫୋର୍ଡରେ ୨୯.୦୩, ଏବଂ ଏଜବାଷ୍ଟନ୍ରେ ୨୬.୬୭ ପ୍ରତିଶତ ସଫଳତା ରଖିଛି।
ଭାରତ ପାଇଁ ମଧ୍ୟ ଦ ଓଭାଲ୍ ରେକର୍ଡ ବିଶେଷ ଭଲ ନୁହେଁ। ଏଠାରେ ଟିମ୍ ଇଣ୍ଡିଆ ୨ ବିଜୟ, ୭ ଅମୀମାଂସିତ ଓ ୫ ପରାଜୟ ବରଣ କରିଛି। ରୋହିତ ଶର୍ମାଙ୍କ ଦଳ ପାଇଁ କିନ୍ତୁ ଆତ୍ମବିଶ୍ବାସର କାରଣ ହେଉଛି ୨୦୨୧ ଶେଷ ଗସ୍ତରେ ଓଭାଲରେ ଇଂଲଣ୍ଡକୁ ୧୫୭ ରନ୍ରେ ପରାସ୍ତ କରିଥିଲା। ୪୦ ବର୍ଷରେ ଭାରତ ପାଇଁ ଏହି ପଡ଼ିଆରେ ଥିଲା ପ୍ରଥମ ବିଜୟ। ଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (୨୦୨୧-୨୩)ରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହି ଫାଇନାଲ୍ ଆସିଥିବା ବେଳେ ରୋହିତ ଶର୍ମାଙ୍କ ଦଳ ଦ୍ବିତୀୟରେ ରହିଥିଲା। ଅଷ୍ଟ୍ରେଲିଆର ଏକମାତ୍ର ଶୃଙ୍ଖଳା ପରାଜୟ ଚଳିତ ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ଭାରତ ଗସ୍ତରେ (୧-୨) ବରଣ କରିଥିଲା। ୮ ବର୍ଷ ଧରି ଭାରତକୁ ଅଷ୍ଟ୍ରେଲିଆ ଘରୋଇ କି ବିଦେଶରେ ଟେଷ୍ଟ୍ ଶୃଙ୍ଖଳାରେ ହରାଇ ନାହିଁ।
ନୂଆଦିଲ୍ଲୀ: ଡବଲ୍ୟୁଟିସି ଫାଇନାଲ୍ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଅରୋନ୍ ଫିଞ୍ଚ୍। ବିଗତ ୩ଟି ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସଫଳତା ଏହି ଦଳର ଗଭୀରତାକୁ ଦେଖାଇଛି। ଘରୋଇ ପରିବେଶ ହେଉ କି ବିଦେଶ ପଡ଼ିଆ ନିର୍ବିଶେଷରେ ଭାରତ ଭଲ ଖେଳିଛି। ଦୁଇ କ୍ରିକେଟ୍ ମହାଶକ୍ତି ମଧ୍ୟରେ ଅନେକ ମଜାଦାର ଲଢ଼େଇ ମଧ୍ୟ ଅତୀତରେ ହୋଇଛି। ଏଥର ଦୁଇ ବ୍ୟାଟିଂ ମାଷ୍ଟର୍ ବିରାଟ କୋହଲି ଓ ଷ୍ଟିଭେନ୍ ସ୍ମିଥଙ୍କ ମଧ୍ୟରେ ତୁଳନା କରିଛନ୍ତି ଫିଞ୍ଚ୍। କୌଣସି ଦଳ ପ୍ରାରମ୍ଭିକ ଫାଇଦା ନେବାକୁ ହେଲେ ପ୍ରତିପକ୍ଷର ଏହି ବ୍ୟାଟରଙ୍କୁ ଆଉଟ୍ କରିବାକୁ ପଡ଼ିବ। ଭାରତ-ଅଷ୍ଟ୍ରେଲିଆ ଲଢ଼େଇର ନୂଆ ଅଧ୍ୟାୟକୁ ମୁଁ ବ୍ୟାକୁଳତା ସହ ଅପେକ୍ଷା କରିଛି ବୋଲି ଫିଞ୍ଚ୍ କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ନିଶ୍ଚିତ ଭାରତ ଉନ୍ନତ ଦଳ। ଯେଉଁଠି ବି ଖେଳନ୍ତୁ ଏହାର କିଛି ପ୍ରଭାବ ରହିବ ନାହିଁ, କିନ୍ତୁ ଆକର୍ଷଣୀୟ ଲଢ଼େଇ ନିଶ୍ଚିତ ଦେଖିବାକୁ ମିଳିବ। ଉଭୟ କୋହଲି ଏବଂ ସ୍ମିଥ୍ ୪ ନମ୍ବରରେ ବ୍ୟାଟିଂ କରୁଛନ୍ତି। ଉଭୟ ନିଜ ନିଜ ଦଳ ପାଇଁ ଚାବିକାଠି ଭଳି ବୋଲି ପ୍ରକାଶ କରିଥିଲେ ଏହି ପୂର୍ବତନ ବ୍ୟାଟର୍।
ଅଷ୍ଟ୍ରେଲିଆ ପାଇଁ ପୂଜାରା ଓ କୋହଲି ବିପଦଜ୍ଜନକ
ଅଷ୍ଟ୍ରେଲିଆର କିଂବଦନ୍ତି କ୍ରିକେଟର୍ ରିକି ପଣ୍ଟିଂଙ୍କ ବିଶ୍ବାସ ଡବଲ୍ୟୁଟିସି ଫାଇନାଲରେ ଅଷ୍ଟ୍ରେଲିଆ ପାଇଁ ଦୁଇ ଅଭିଜ୍ଞ ଭାରତୀୟ ବ୍ୟାଟର୍ ଚେତେଶ୍ବର ପୂଜାରା ଓ ବିରାଟ କୋହଲି ବିପଜ୍ଜନକ ହେବେ ବୋଲି ପୂର୍ବାନୁମାନ କରିଛନ୍ତି। ଭାରତର ଆହ୍ବାନକୁ ପ୍ରତିହତ କରିବା ଲାଗି ଅଷ୍ଟ୍ରେଲିଆକୁ ଏହି ଦୁଇ ବ୍ୟାଟରଙ୍କୁ ସତର୍କ ରହିବାକୁ ହେବ। ଫାଇନାଲ୍ ପୂର୍ବରୁ ଚେତେଶ୍ବର ପୂଜାରା ସସେକ୍ସ ପାଇଁ କାଉଣ୍ଟି ଖେଳି ନିଜକୁ ପ୍ରସ୍ତୁତ କରିବା ନିଶ୍ଚିତ ନିର୍ଣ୍ଣାୟକ ହେବ। ବିରାଟ କୋହଲି ମଧ୍ୟ ଆଇପିଏଲ୍ରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ହାସଲ କରି ସମ୍ପୂର୍ଣ୍ଣ ଲୟରେ ଥିବାର ପ୍ରମାଣିତ କରିଛନ୍ତି। ଅଷ୍ଟ୍ରେଲିଆ ଦଳ ଭଲ ପ୍ରସ୍ତୁତି କରିଛି ତେବେ ପୂଜାରା ଓ କୋହଲିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଟେଷ୍ଟ୍ ରନ୍ ଓ ଶତକ ହାସଲ କରିଥିବାରୁ ନିଶ୍ଚିତ ପ୍ରଚୁର ଅଭିଜ୍ଞତା ରଖିଛନ୍ତି। ଏହି ଦୁଇ ବ୍ୟାଟରଙ୍କଠାରୁ ରୋହିତ ଶର୍ମା ମଧ୍ୟ ନିଶ୍ଚିତ ଭଲ ଆଶା ରଖିଥିବେ। କୋହଲି ଗତ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୬ ରନ୍ର ପାଳି ଖେଳିଥିବାରୁ ଏହା ମଧ୍ୟ ତାଙ୍କ ଆତ୍ମବିଶ୍ବାସ ପାଇଁ ଢେର ହେବ।
ମାନସିକତା ଗୁରୁତ୍ବପୂର୍ଣ୍ଣ: ହେଡେନ୍
ଉଭୟ ଦଳ ନିକଟରେ ଦକ୍ଷତାକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ କିନ୍ତୁ ମାନସିକ ଅବସ୍ଥା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଫଳାଫଳକୁ ଭୁଲି ଖେଳିବାକୁ ଉଭୟ ଦଳକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ବ୍ୟାଟର୍ ମାଥ୍ୟୁ ହେଡେନ୍। ଭାରତ ପ୍ରାୟ ଗୋଟିଏ ଦଶନ୍ଧି ଧରି କୌଣସି ଆଇସିସି ଟ୍ରଫି ଜିତିନଥିବାରୁ ଏହା ଚାପ ସୃଷ୍ଟି କରିପାରେ। ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ପରଠାରୁ ନକ୍ ଆଉଟ୍ ମ୍ୟାଚ୍ରେ ହାରି ଆଉ ଟ୍ରଫି ଜିତିପାରି ନାହିଁ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ, ୨୦୧୯ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡଠାରୁ, ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରେ ଇଂଲଣ୍ଡ ନିକଟରୁ ଭାରତ ହାରି ଟ୍ରଫି ମୁରୁଡ଼ି ଦେଇ ଗତି କରୁଛି। ଏଠାରେ ଦକ୍ଷତାର ପ୍ରଶ୍ନ ଉଠୁନାହିଁ। ସୁଯୋଗର ସଦ୍ବ୍ୟବହାର କରିବା ଏବଂ ମାନସିକତା କିଭଳି ଚାଲୁଛି ବଡ଼ କଥା ହେବ ବୋଲି ହେଡେନ୍ ପ୍ରକାଶ କରିଛନ୍ତି। ଭାରତରେ କ୍ରିକେଟ୍ର ଲୋକପ୍ରିୟତା ଅତୁଳନୀୟ, ସେହି ଦୃଷ୍ଟିରୁ ଦଳ ଉପରେ ଅଧିକ ଚାପ ରହୁଛି। ଫଳାଫଳକୁ ଭୁଲି ଖେଳିବାକୁ ଭାରତୀୟ ଦଳକୁ ଏହି ବିଗତ ଦିନର ବିସ୍ଫୋରକ ବ୍ୟାଟର୍ ପରାମର୍ଶ ଦେଇଛନ୍ତି।