ସଚିନ, ବିରାଟ ଓ ରୋହିତଙ୍କ କ୍ଲବ୍‌ରେ ଅଷ୍ଟ୍ରେଲୀୟ ଅଧିନାୟିକା ଲାନିଙ୍ଗ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମେଗ୍‌ ଲାନିଙ୍ଗ ନ୍ୟୁଜିଲାଣ୍ଡ୍‌ରେ ଚାଲିଥିବା ବିଶ୍ବକପ୍‌ ଅବସରରେ ମଙ୍ଗଳବାର ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଦିନିକିଆ ଆନ୍ତର୍ଜାତିକରେ ଦଳର ସଫଳ ପିଛା ବେଳେ ସର୍ବାଧିକ ଶତକ ଜମାଇବାରେ ଲାନିଙ୍ଗ ତିନି ଭାରତୀୟ ପୁରୁଷ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଏଲିଟ୍‌ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ଲାନିଙ୍ଗ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ୧୩୦ ବଲ୍‌ରୁ ୧୩୫ ରନ୍‌ର ଅପରାଜିତ ଶତକୀୟ ପାଳି ଖେଳିଥିଲେ। ତାଙ୍କ ଯୋଗୁଁ ଅଷ୍ଟ୍ରେଲିଆ ମଧ୍ୟ ୫ ୱିକେଟ୍‌ର ସହଜ ବିଜୟ ହାସଲ କରିଥିଲା। ଦଳର ସଫଳ ପିଛାରେ ଲାନିଙ୍ଗ୍‌ର ଏହା ଥିଲା ଦଶମ ଶତକ।

ଆଉ ସଂଯୋଗବଶତଃ ଲାନିଙ୍ଗଙ୍କ ଏହି ସଫଳତାରେ ମଧ୍ୟ ଅଷ୍ଟ୍ରେଲିଆ ସବୁତକ ମ୍ୟାଚ୍‌ ଜିତିଛି। କେବଳ କୋହଲି (୨୨), ତେନ୍ଦୁଲକର (୧୪) ଏବଂ ରୋହିତ (୧୧) ଦଳର ସଫଳ ପିଛା ବେଳେ ଲାନିଙ୍ଗ୍‌ଙ୍କଠୁ ଅଧିକ ଶତକ ହାସଲ କରିବା ତାଲିକାରେ ରହିଛନ୍ତି। ମହିଳା କ୍ରିକେଟର୍‌ ଭାବେ ଲାନିଙ୍ଗ୍‌ଙ୍କ ପଛକୁ ଦଳର ସଫଳ ପିଛାରେ ସର୍ବାଧିକ ଶତକ ହାସଲ କରିବାର କୀର୍ତ୍ତି ନ୍ୟୁଜିଲାଣ୍ଡ୍‌ର ଆମି ସଟର୍ଥୱେଟ୍‌ (୫)ଙ୍କ ନାମରେ ରହିଛି। ପୁଣି ଲାନିଙ୍ଗଙ୍କ ଅପରାଜିତ ୧୩୫ ମଧ୍ୟ ମହିଳା ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ସଫଳ ପିଛାରେ ଯୁଗ୍ମ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କୀର୍ତ୍ତି ବହନ କରିଛି। ଏପରିକି ମହିଳା ଦିନିକିଆରେ ସଫଳ ପିଛା ବେଳେ ଶ୍ରେଷ୍ଠ ୩ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ ମଧ୍ୟ ଲାନିଙ୍ଗ୍‌ଙ୍କ ନାମରେ ରହିଛି। ସେ ୨୦୧୭ ବିଶ୍ବକପ୍‌ରେ ଶ୍ରୀଲଙ୍କା‌ ବିପକ୍ଷରେ ଅପରାଜିତ ୧୫୨ ଏବଂ ୨୦୧୪ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅପରାଜିତ ୧୩୫ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର