ଅଷ୍ଟ୍ରେଲିଆନ୍‌ ଓପନ୍‌ : ନାଦାଲ, ୱାରିଙ୍କା ବିଦା

ସେମିରେ ‌‌ଭେରେଭ-ଥିମ୍‌, ହାଲେପ-ମୁଗୁରୁଜା

ମେଲ୍‌ବର୍ଣ୍ଣ : ସ୍ପେନ୍‌ ତାରକା ତଥା ବିଶ୍ବର ଏକ ନମ୍ବର ଟେନିସ୍‌ ଖେଳାଳି ରାଫେଲ୍‌ ନାଦାଲଙ୍କ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଅଭିଯାନ ଶେଷ ହୋଇଛି। ଏହି ୧୯ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତାଙ୍କୁ ବିଦାୟର ବାଟ ଦେଖାଇଛନ୍ତି ପଞ୍ଚମ ମାନ୍ୟତାପ୍ରାପ୍ତ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌। ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ନାଦାଲଙ୍କ ପ୍ରଦର୍ଶନ ଭଲ ନଥିଲା। କେବଳ ୨୦୦୯ରେ ଥରେ ଏହି ଟ୍ରଫି ଜିତିବାରେ ନାଦାଲ ସଫଳ ହୋଇଥିଲେ। ବୁଧବାର ପୁରୁଷ ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ‌ଥିମ୍‌ ୭-୬, ୭-୬, ୪-୬, ୭-୬ ସେଟ୍‌ରେ ନାଦାଲ୍‌ଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ସେମିଫାଇନାଲ୍‌ରେ ସେ ସପ୍ତମ ମାନ୍ୟତାପ୍ରାପ୍ତ ଜର୍ମାନି ତାରକା ଆଲେକ୍‌ଜାଣ୍ଡର ଭେରେଭଙ୍କୁ ଭେଟିବେ। ଭେରେଭ ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ୧-୬, ୬-୩, ୬-୪, ୬-୨ ସେଟ୍‌ରେ ପୂର୍ବତନ ବିଜେତା ସ୍ବିଜରଲାଣ୍ଡର ଷ୍ଟାନିସ୍‌ଲାସ ୱାରିଙ୍କାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ଭେରେଭଙ୍କର କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌‌ ଖେଳିବାର ସ୍ବପ୍ନ ସାକାର ହୋଇଛି।

ମହିଳା ଏକକ ସେମିଫାଇନାଲ୍‌ରେ ଦୁଇ ଥରର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଗାର୍ବିନେ ମୁଗୁରୁଜାଙ୍କୁ ଭେଟିବେ ପୂର୍ବତନ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲିଷ୍ଟ୍‌ ସିମୋନା ହାଲେପ୍‌। ‌ଅଣମାନ୍ୟତାପ୍ରାପ୍ତ ସ୍ପେନ୍‌ ଲଲନା ମୁଗୁରୁଜା ୭-୫, ୬-୩ ସେଟ୍‌ରେ ରୁଷିଆର ଆନାସ୍ତେସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ସେହିଭଳି ଚତୁର୍ଥ ମାନ୍ୟତାପ୍ରାପ୍ତ ରୋମାନିଆର ‌ସିମୋନା ହାଲେପ୍‌ ସିଧାସଳଖ ୬-୧, ୬-୧ ସେଟ୍‌ରେ ଇସ୍ତୋନିଆର ୨୮ ମାନ୍ୟତାପ୍ରାପ୍ତ ଆନେଟ୍‌ କୋଣ୍ଟାଭିଟ୍‌ଙ୍କୁ ହରାଇଥିଲେ। ଦୁଇ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ହାଲେପ୍‌ ଏହି ମ୍ୟାଚ୍‌ ଜିତିବାକୁ ମାତ୍ର ୫୩ ମିନିଟ୍‌ ସମୟ ନେଇଥିଲେ।

ସମ୍ବନ୍ଧିତ ଖବର