ମେଲ୍ବର୍ନ: ପଞ୍ଚମ ମାନ୍ୟତାପ୍ରାପ୍ତ ଡୋମିନିକ୍ ଥିମ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଏକକ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଶୁକ୍ରବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ରେ ଅଷ୍ଟ୍ରିଆ ତାରକା ଥିମ୍ ୩-୬, ୬-୪, ୭-୬ ଓ ୭-୬ ସେଟ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ଜର୍ମାନି ତାରକା ଆଲେକ୍ଜାଣ୍ଡର ଭେରେଭ୍ଙ୍କୁ ପରାସ୍ତ କରି ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏହା ମଧ୍ୟ ଅଷ୍ଟ୍ରେଲିଆନ୍ ଓପନ୍ରେ ଥିମ୍ଙ୍କ ପ୍ରଥମ ଥର ଫାଇନାଲ୍ ପ୍ରବେଶ। ରବିବାର ଫାଇନାଲ୍ରେ ଥିମ୍ଙ୍କ ମୁକାବିଲା ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ୍ ଜୋକୋଭିକ୍ଙ୍କ ସହ ହେବ। ଗ୍ରାଣ୍ଡ୍ସ୍ଲାମ୍ର ପୁରୁଷ ବର୍ଗରେ ବର୍ଷ ବର୍ଷ ଧରି ‘ବିଗ୍ ଥ୍ରି’ କୁହାଯାଉଥିବା ଜୋକୋଭିକ୍, ନାଦାଲ ଓ ଫେଡେରର୍ଙ୍କ ଆଧିପତ୍ୟ ରହିଆସିଥିଲା ବେଳେ ଏବେ ୧୯୯୦ରେ ଜନ୍ମଗ୍ରହଣ କରିଥିବା ପ୍ରଥମ ଖେଳାଳି ଭାବେ ଥିମ୍ ବୃହତ୍ ଟ୍ରଫି ଜିତିବାର ଦାବିଦାର ହୋଇଛନ୍ତି। ଅନ୍ୟପକ୍ଷରେ ଥିମ୍ଙ୍କ ନିକଟରୁ ହାରିବା ପରେ ଭେରେଭ୍ଙ୍କର ମଧ୍ୟ ମେଲ୍ବର୍ନ ପାର୍କରେ ପ୍ରଥମ ଥର ଫାଇନାଲ୍ ଖେଳିବା ଆଶା ପୂରଣ ହୋଇପାରିନାର୍ହି।
କ୍ରିଷ୍ଟିନା-ତିମିଆଙ୍କୁ ମହିଳା ଯୁଗଳ ଟ୍ରଫି
ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିକ୍ ଓ ହଙ୍ଗେରିର ତିମିଆ ବାବୋସ୍ ଯୋଡ଼ି ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ୩ ବର୍ଷ ପରେ ପୁଣି ଥରେ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଯୁଗଳ ଟ୍ରଫି ଫେରିପାଇଛନ୍ତି। ଶୁକ୍ରବାର ଚଳିତ ବର୍ଷର ଏହି ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କ୍ରିଷ୍ଟିନା-ତିମିଆ ଯୋଡ଼ି ପ୍ରାୟ ୧ ଘଣ୍ଟା ୧୨ ମିନିଟ୍ ଲଢ଼ିବା ପରେ ଶୀର୍ଷ ମାନ୍ୟତାପ୍ରାପ୍ତଯୋଡ଼ି ସିହ ସୁ ୱି ଓ ବାର୍ବୋରା ଷ୍ଟ୍ରାଇକୋଭାଙ୍କୁ ସିଧାସଳଖ ୬-୨ ଓ ୬-୧ ସେଟ୍ରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ମେଲ୍ବର୍ନ ପାର୍କରେ ବିଜୟବାନା ଉଡାଇଲେ। ୱିମ୍ବିଲଡନ୍ ବିଜୟିନୀ ଯୋଡ଼ି ୱି-ଷ୍ଟ୍ରାଇକୋଭାକୁ ପରାସ୍ତ କରି କ୍ରିଷ୍ଟିନା-ତିମିଆ ସେମାନଙ୍କର ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ଏବଂ ମୋଟ ୧୦ମ ଟ୍ରଫି କରାୟତ କରିନେଲେ। ଗତ ନଭେମ୍ବରରେ ପର୍ଥଠାରେ ଫେଡ୍ କପ୍ ଜିତିଥିବା କ୍ରିଷ୍ଟିନା ମଧ୍ୟ ଗତବର୍ଷ ବାବୋସ୍ଙ୍କୁ ସାଥୀ କରି ମେଲ୍ବର୍ନରେ ଯୁଗଳ ଫାଇନାଲ୍ରେ ପହଞ୍ଚିଥିଲେ। ହେଲେ ଗତବର୍ଷ ସାମନ୍ଥା ସ୍ତୋସୁର ଓ ଝାଙ୍ଗ୍ ସୁଆଇଙ୍କ ନିକଟରୁ ହାରି ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ। ଗତବର୍ଷ ୱିମ୍ବିଲଡନ୍ ଫାଇନାଲ୍ରେ କ୍ରିଷ୍ଟିନା-ତିମିଆ ଯୋଡ଼ି ପ୍ରଥମ ଥର ପାଇଁ ସୁହ-ଷ୍ଟ୍ରାଇକୋଭା ଯୋଡ଼ିକୁ ଭେଟିଥିଲେ ମଧ୍ୟ ପରାସ୍ତ ହୋଇଥିଲେ।