କ୍ବିତୋଭା, ୱାରିଙ୍କା, ଭେନସ୍‌ ବିଦା, ଜୋକୋଭିକ୍‌, ସେରେନା, ଥିମ୍‌ ଆଗେଇଲେ

ପ୍ରଥମ ରାଉଣ୍ଡ୍‌ ହାରିଲେ ବୋପାନ୍ନା

ମେଲ୍‌ବର୍ଣ୍ଣ: ଦୁଇ ଥର ୱିମ୍ବିଲଡନ୍‌ ବିଜୟିନୀ ‌ପେଟ୍ରା କ୍ବିତୋଭା, ତିନି ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ଷ୍ଟାନ୍‌ ୱାରିଙ୍କା ଏବଂ ୭ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଭେନସ୍‌ ୱିଲିୟମ୍‌ସ ଚଳିତ ଋତୁର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡ୍‌ ପରାଜୟ ସହ ବିଦାୟ ନେଇଛନ୍ତି। ତେବେ ଗତଥରର ବିଜେତା ନୋଭାକ୍‌ ଜୋକୋଭିକ୍‌, କୀର୍ତ୍ତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଲକ୍ଷ୍ୟରେ ଥିବା ସେରେନା ୱିଲିୟମ୍‌ସ ଏବଂ ୟୁଏସ୍‌ ଓପନ୍‌ ବିଜେତା ଡୋମିନିକ୍‌ ଥିମ୍‌ କ୍ରମାଗତ ବିଜୟ ସହ ଆଗକୁ ବଢ଼ିଛନ୍ତି।

ଶୀର୍ଷ ମାନ୍ୟତା ତଥା ସର୍ବିଆ ତାରକା ଜୋକୋଭିକ୍‌ ବୁଧବାର ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡରେ ଆମେରିକାର ଫ୍ରାନ୍‌ସେସ୍‌ ତିଆଫୋଇଙ୍କଠୁ କଡ଼ା ଆହ୍ବାନର ସମ୍ମୁଖୀନ ହୋଇଥିଲେ। ତେବେ ଅଭିଜ୍ଞତାର ଫାଇଦା ଉଠାଇ ସେ ୬-୩, ୬-୭, ୭-୬ ଓ ୬-୩ ସେଟ୍‌ରେ ବିଜୟ ହାସଲ କରି ତୃତୀୟ ରାଉଣ୍ଡ‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏଥି ସହିତ ୨୦୧୮ରେ ଦକ୍ଷିଣ କୋରିଆର ଚୁଙ୍ଗ୍‌ ହ୍ୟୁନ୍‌ଙ୍କଠୁ ଚତୁର୍ଥ ରାଉଣ୍ଡ୍‌ ହାରିବା ପରଠାରୁ ଜୋକୋଭିକ୍‌ ମେଲ୍‌ବର୍ଣ୍ଣ ପାର୍କରେ ଅପରାଜେୟ ରହିଛନ୍ତି। ସେ ମଧ୍ୟ ଏଠାରେ ନବମ ଥର ଏବଂ ମୋଟ ଉପରେ ଅଷ୍ଟାଦଶ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବା ଦିଗରେ ଅଗ୍ରସର ହୋଇଛନ୍ତି।

ପୁରୁଷ ଏକକର ଅନ୍ୟ ଏକ ମୁକାବିଲାରେ ତୃତୀୟ ମାନ୍ୟତାପ୍ରାପ୍ତ ଅଷ୍ଟ୍ରିଆ ତାରକା ଥିମ୍‌ ୯୩ ମିନିଟ୍‌ ସଂଘର୍ଷ କରିବା ପରେ ୬-୪, ୬-୦ ଓ ୬-୨ ସିଧାସଳଖ ସେଟ୍‌ରେ ଜର୍ମାନିର ଡୋମିନିକ୍‌ କୋଏଫରଙ୍କୁ ପରାସ୍ତ କରି ତୃ୍ତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥି ସହିତ ଗତଥର ଜୋକୋଭିକ୍‌ଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିବା ଥିମ୍‌ ଏଥର ଟ୍ରଫି ଲକ୍ଷ୍ୟରେ ଆଗକୁ ବଢ଼ିଛନ୍ତି। ସେହିପରି ଷଷ୍ଠ ମାନ୍ୟତାପ୍ରାପ୍ତ ଜର୍ମାନି ତାରକା ଆଲେକ୍‌ଜାଣ୍ଡର ଭେରେଭ୍‌ ସିଧାସଳଖ ସେଟ୍‌ ବିଜୟ ସହ ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଦ୍ବିତୀୟ ରାଉଣ୍ଡ୍‌ ମୁକାବିଲାରେ ସେ ଆମେରିକାର ଯୋଗ୍ୟତାପର୍ଯ୍ୟାୟ ମାକ୍ସିମେ କ୍ରେସିଙ୍କୁ ୭-୫, ୬-୪ ଓ ୬-୩ରେ ପରାସ୍ତ କରିଛନ୍ତି। ମହିଳା ଏକକରେ ଆମେରିକାର ଶକ୍ତିଶାଳୀ ତାରକା ସେରେନା ୱିଲିୟମ୍‌ସ ଦ୍ବିତୀୟ ରାଉଣ୍ଡ୍‌ରେ ସହଜ ବିଜୟ ସହ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ୧୯ ଥର ପାଇଁ ତୃତୀୟ ରାଉଣ୍ଡ୍‌ ପ୍ରବେଶ କରିଛନ୍ତି। ବୁଧବାର ସେରେନା ସିଧାସଳଖ ୬-୩ ଓ ୬-୦ ସେଟ୍‌ରେ ନିଜ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡ୍‌ ସ୍ଲାମ୍‌ ଖେଳୁଥିବା ୧୫ ବର୍ଷିୟା ସର୍ବିଆ ଲଳନା ନିନା ସୋଜାନୋଭିକ୍‌ଙ୍କୁ ପରାସ୍ତ କରିଥିଲେ।

କିନ୍ତୁ ସେରେନାଙ୍କ ବଡ଼ ଭଉଣୀ ଭେନସ୍‌ ବୁଧବାର ମହିଳା ଏକକ ଦ୍ବିତୀୟ ରାଉଣ୍ଡରୁ ଯନ୍ତ୍ରଣାଦାୟକ ବିଦାୟ ନେଇଛନ୍ତି। ଆଣ୍ଠୁରେ ଯନ୍ତ୍ରଣା ସତ୍ତ୍ବେ ସେ ମ୍ୟାଚ୍‌ ଖେଳିଥିଲେ। ହେଲେ ଇଟାଲିର ସାରା ଈରାନିଙ୍କ ନିକଟରୁ ସିଧାସଳଖ ୧-୬ ଓ ୦-୬ ସେଟ୍‌ରେ ହାରି ବିଦାୟ ନେଇଛନ୍ତି। ସେହିପରି ଭେନସ୍‌ଙ୍କ ବିଦାୟ କ୍ଲବ୍‌ରେ ସାମିଲ ହୋଇଥିଲେ କ୍ବିତୋଭା। ଦ୍ବିତୀୟ ରାଉଣ୍ଡ୍‌ରେ ତାଙ୍କୁ ୪-୬, ୬-୧ ଓ ୬-୧ ସେଟ୍‌ରେ ପରାସ୍ତ କରି ରୋମାନିଆର ସୋରାନା କିର୍ଷ୍ଟିଆ ବିଦାୟ ରାସ୍ତା ଦେଖାଇଥିଲେ। ଅଷ୍ଟମ ମାନ୍ୟତାପ୍ରାପ୍ତ ବିୟାଙ୍କା ଆନ୍ଦ୍ରେସ୍କ୍ୟୁ ମଧ୍ୟ ପରାଜୟ ସହ ବିଦାୟ ନେଇଛନ୍ତି। ୧୫ ମାସ ବିରତି ପରେ ଫେରିଥିବା ଆନ୍ଦ୍ରେସ୍କ୍ୟୁ ଦ୍ବିତୀୟ ରାଉଣ୍ଡରେ ତାଇୱାନ୍‌ର ସିହ ସୁ ୱି’ଙ୍କ ନିକଟରୁ ୩-୬ ଓ ୨-୬ ସିଧାସଳଖ ସେଟ୍‌ରେ ହାରିଯାଇଥିଲେ। ଅନ୍ୟତମ ମାନ୍ୟତାପ୍ରାପ୍ତ ଖେଳାଳି ଭାବେ ଏଠାରେ ୨୦୧୪ ବିଜେତା ସ୍ବିଜରଲାଣ୍ଡ୍‌ ତାରକା ୱାରିଙ୍କା (ସପ୍ତଦଶ) ତୃତୀୟ ରାଉଣ୍ଡ୍‌ ପୂର୍ବରୁ ବିଦାୟ ନେଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ପ୍ରବଳ ସଂଘର୍ଷ କରିବା ସତ୍ତ୍ବେ ୫ ସେଟ୍‌ ବିଶିଷ୍ଟ ଲଢ଼େଇରେ ତାଙ୍କୁ ହଙ୍ଗେରିର ମାର୍ତନ ଫୁକ୍‌ସୋଭିକ୍‌ ୭-୫, ୬-୧, ୪-୬, ୨-୬ ଓ ୭-୬ରେ ପରାସ୍ତ କରିଦେଇଥିଲେ।

ସମ୍ବନ୍ଧିତ ଖବର