ଅଷ୍ଟ୍ରେଲିଆନ୍‌ ଓପନ୍‌: ମରେ, ମୁଗୁରୁଜା, ରାଡୁକାନୁ ବିଦା

ମିଶ୍ରିତ ଯୁଗଳ ଦ୍ବିତୀୟ ରାଉଣ୍ଡରେ ସାନିଆ

ମେଲ୍‌ବର୍ଣ୍ଣ: ପୂର୍ବତନ ଏକ ନମ୍ବର ଟେନିସ ତାରକା ଆଣ୍ଡି ମରେଙ୍କ ବହୁ ପ୍ରତିକ୍ଷିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରତ୍ୟାବର୍ତ୍ତନ ଦ୍ବିତୀୟ ରାଉଣ୍ଡରେ ଶେଷ ହୋଇଛି। ଗୁରୁବାର ପୁରୁଷ ଏକକ ମୁକାବିଲାରେ ତିନି ଥରର ଏହି ଗ୍ରାଣ୍ଡ ସ୍ଲାମ୍‌ ବିଜେତା ୪-୬, ୪-୬, ୪-୬ ସିଧାସଳଖ ସେଟ୍‌ରେ ବିଶ୍ବର ୧୨୦ ମାନ୍ୟତାପ୍ରାପ୍ତ ତାରୋ ଡାନିଏଲ୍‌ଙ୍କଠୁ ହାରିଯାଇଛନ୍ତି। ଡାନିଏଲ୍‌ ତୃତୀୟ ରାଉଣ୍ଡରେ ଏକାଦଶ ମାନ୍ୟତାପ୍ରାପ୍ତ ଜାନ୍ନିକ ସିନ୍ନରଙ୍କୁ ଭେଟିବେ। ଇଟାଲିର ସିନ୍ନର ୬-୧, ୬-୪, ୬-୩ ସେଟ୍‌ରେ ଆମେରିକାର ଷ୍ଟିଭ୍‌ ଜନସନ୍‌ଙ୍କଠୁ ହାରିଯାଇଥିଲେ। ଅନ୍ୟ ପୁରୁଷ ଏକକ ତୃତୀୟ ରାଉଣ୍ଡରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦଭେଦେଭ, ଚତୁର୍ଥ ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ ସିସିପାସ, ପଞ୍ଚମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ଓ ନବମ ମାନ୍ୟତାପ୍ରାପ୍ତ ଫେଲିକ୍ସ ଅଗର ଅଲିଆସିମ ପହଞ୍ଚିଛନ୍ତି। ରୁଷିଆର ମେଦଭେଦେଭ ୭-୬, ୬-୪, ୪-୬, ୬-୨ ସେଟ୍‌ରେ ସ୍ଥାନୀୟ ତାରକା ନିକ୍‌ କିର୍ଗିସଙ୍କୁ, ଗ୍ରିସ୍‌ର ସିସିପାସ ୭-୬, ୬-୭, ୬-୩, ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ସେବାସ୍ତିଆନ୍‌ ବାଏଜଙ୍କୁ, ରୁଷିଆର ରୁବଲେଭ ୬-୪, ୬-୨, ୬-୦ ସେଟ୍‌ରେ ଲିଥୁନିଆର ରିକାର୍ଡାସ ବେରାଙ୍କିସଙ୍କୁ ଏବଂ କାନାଡ଼ାର ଅଲିଆସିମ ୭-୬, ୬-୭, ୭-୬, ୭-୬ ସେଟ୍‌ରେ ସ୍ପେନ୍‌ର ଆଲେଜାନ୍ଦ୍ରୋ ଡାଭିଡୋଭିକ ଫୋକିନାଙ୍କୁ ପରାସ୍ତ କରିଥିଲେ।

ତେବେ ଚତୁର୍ଥ ଦିବସରେ ମହିଳା ଏକକରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମଳିଛି। ତୃତୀୟ ମାନ୍ୟତାପ୍ରାପ୍ତ ଗାର୍ବିନେ ମୁଗୁରୁଜା, ୟୁଏସ୍‌ ଓପନ୍‌ ବିଜୟନୀ ଇମା ରାଡୁକାନୁ, ଷଷ୍ଠ ମାନ୍ୟତାପ୍ରାପ୍ତ ଆନେଟ କୋଣ୍ଟାଭିଟ ଓ ପୂର୍ବତନ ୟୁଏସ୍‌ ଓପନ୍‌ ବିଜୟିନୀ ସାମ ସ୍ତୋସୁରଙ୍କ ଅଭିଯାନ ଦ୍ବିତୀୟ ରାଉଣ୍ଡରେ‌ ଶେଷ ହୋଇଛି। ପୂର୍ବତନ ୱିମ୍ବଲଡନ୍‌ ବିଜୟିନୀ ସ୍ପେନ୍‌ର ମୁଗୁରୁଜା ୩-୬, ୩-୬ ସେଟ୍‌ରେ ଫ୍ରାନ୍ସର ଆଲିଜ୍‌ କୋର୍ନେଟଙ୍କଠୁ, ସପ୍ତଦଶ ମାନ୍ୟତାପ୍ରାପ୍ତ ୧୯ ବର୍ଷୀୟା ଆମେରିକା କିଶୋରୀ ରାଡୁକାନୁ ୪-୬, ୬-୪, ୩-୬ ସେଟ୍‌ରେ ‌ମଣ୍ଟେନେଗ୍ରୋର ଡାଙ୍କା କୋଭିନିକଙ୍କଠୁ, ଇସ୍ତୋନିଆର କୋଣ୍ଟାଭିଟ ୨-୬, ୪-୬ ସେଟ୍‌ରେ କ୍ଲାରା ଟସନଙ୍କଠୁ ଏବଂ ୩୭ ବର୍ଷୀୟା ସ୍ତୋସୁର ୨-୬, ୨-୬ ସେଟ୍‌ରେ ରୁଷିଆର ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କଠୁ ପରାସ୍ତ ହୋଇଥିଲେ। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବେଲାରୁଷର ଆରିନା ସାବଲେଙ୍କା ୧-୬, ୬-୪, ୬-୨ ସେଟ୍‌ରେ ଚୀନ୍‌ର ୱାଙ୍ଗ ଜିନ୍ୟୁଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

ମିଶ୍ରିତ ଯୁଗଳ ଦ୍ବିତୀୟ ରାଉଣ୍ଡରେ ସାନିଆ
ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜା ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ମୁକାବିଲାରେ ସାନିଆ ଓ ତାଙ୍କ ଆମେରିକୀୟ ସାଥୀ ରାଜୀବ ରାମ ୬-୩, ୭-୬ ସିଧାସଳଖ ସେଟ୍‌ରେ ସର୍ବିୟା ଯୋଡ଼ି ଆଲେକସାଣ୍ଡ୍ରା କ୍ରୁନିକ ଓ ନିକୋଲା କାସିକଙ୍କୁ ପରାସ୍ତ କରିଥିଲେ। ରାଜୀବ ୨୦୨୧ରେ ଏଠାରେ ଚେକ୍‌ ଗଣରାଜ୍ୟର ବର୍ବୋରା କ୍ରେଁସିକୋଭାଙ୍କୁ ସାଥୀ କରି ବିଜେତା ଟ୍ରଫି କରାୟତ୍ତ କରିଥିଲେ। ସାନିଆ ଏଠାରେ ୨୦୦୯ରେ ମିଶ୍ରିତ ଯୁଗଳ ଏବଂ ୨୦୧୬ରେ ମହିଳା ଯୁଗଳ ଟ୍ରଫି ଜିତିଥିଲେ। ହେଲେ ଚଳିତ ବର୍ଷ ମହିଳା ଯୁଗଳର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର