ମେଲ୍ବର୍ଣ୍ଣ: ଭାରତୀୟ ଟେନିସ୍ ଖେଳାଳି ଏନ୍ ଶ୍ରୀରାମ ବାଲାଜୀ ଏବଂ ତାଙ୍କ ମେକ୍ସିକାନ୍ ସାଥୀ ମିଗୁଏଲ୍ ଆଞ୍ଜେଲ ରିଜ୍-ଭାରେଲା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡ୍ ମୁକାବିଲାରେ ଏହି ଭାରତ-ମେକ୍ସିକୋ ଯୋଡ଼ି ସିଧାସଳଖ ୬-୪, ୬-୩ ସେଟ୍ରେ ନେଦରାଲାଣ୍ଡ୍ସ ଓ କାଜାଖସ୍ତାନର ରବିନ ହାସେ ଓ ଆଲେକ୍ଜାଣ୍ଡର ନେଦୋଭିସୋଭ୍ଙ୍କୁ ହରାଇଛନ୍ତି। ତେବେ ଭାରତୀୟ ଯୋଡ଼ି ବିଜୟ ସୁନ୍ଦର ପ୍ରଶାନ୍ତ ଓ ଜୀବନ ନେନ୍ଦୁଚେଝିଆନ୍ ୨-୬, ୨-୬ ସେଟ୍ରେ ବ୍ରାଜିଲ୍ର ଓର୍ଲାଣ୍ଡୋ ଲୁଜ୍ ଓ ଫ୍ରାନ୍ସର ଗ୍ରିଗୋରି ଜାକ୍ଙ୍କଠୁ ହାରି ବିଦାୟ ନେଇଛନ୍ତି। ବିଦେଶୀ ସାଥୀଙ୍କୁ ନେଇ ଖେଳୁଥିବା ଭାରତୀୟ ଖେଳାଳି ରିତିକ୍ ବୋଲିପାଲି ଓ ଅନିରୁଦ୍ଧ ଚନ୍ଦ୍ରଶେଖରଙ୍କ ଅଭିଯାନ ଶେଷ ହୋଇଛି। ରିତିକ୍ ଓ ଆମେରିକାର ସେଗେରମାନ୍ ୧-୭, ୧-୬ ସେଟ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଫିନ୍ଲାଣ୍ଡ-ବ୍ରିଟେନ୍ ଯୋଡ଼ି ହାରି ହେଲିଓଭାରା-ହେନରି ପାଟେନ୍ଙ୍କଠୁ ଏବଂ ଅନିରୁଦ୍ଧ ଓ ପୋଲାଣ୍ଡର କାରୋଲ ଜ୍ବିସ୍କି ୬-୭, ୬-୨, ୬-୭ ସେଟ୍ରେ ବୋସନିଆର ଡାମିର ଜୁମୁର ଓ ଗ୍ରିସ୍ର ପେଟ୍ରୋସ ସିସିପାସ୍ଙ୍କଠୁ ହାରି ଯାଇଥିଲେ। ପୂର୍ବରୁ ରୋହନ ବୋପାନ୍ନା ଓ ୟୁକି ଭାମ୍ବ୍ରି ନିଜ ନିଜ ସାଥୀଙ୍କ ସହ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ତେଣୁ ବାଲାଜୀ ଏକାକୀ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳରେ ଭାରତର ଆଶା ଉଜ୍ଜୀବିତ ରଖିଛନ୍ତି।
ତୃତୀୟ ରାଉଣ୍ଡରେ ସିନ୍ନର, ସ୍ବିତେକ୍
ବିଶ୍ବର ଏକ ନମ୍ବର ପୁରୁଷ ଖେଳାଳି ୟାନିକ୍ ସିନ୍ନର ଓ ଦୁଇ ନମ୍ବର ମହିଳା ଖେଳାଳି ଇଗା ସ୍ବିତେକ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକ ମୁକାବିଲାରେ ଇଟାଲି ତାରକା ସିନ୍ନର ୪-୬, ୬-୪, ୬-୧, ୬-୩ ସେଟ୍ରେ ଅଷ୍ଟ୍ରେଲୀୟ ୱାଇଲ୍ଡ କାର୍ଡ ତ୍ରିଷ୍ଟାନ ସ୍କୁଲ୍କାଟେଙ୍କୁ ହରାଇଛନ୍ତି। ଲଗାତାର ୧୬ ବିଜୟ ସହ ସିନ୍ନର ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ବଜାୟ ରଖିବା ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଅନ୍ୟ ପୁରୁଷ ଏକକ ତାରକା ଖେଳାଳି ଆମେରିକାର ଟେଲର ଫ୍ରିଜ୍, ଡେନ୍ମାର୍କର ହୋଲଗର ରୁନେ ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଫ୍ରିଜ୍ ସିଧାସଳଖ ୬-୨, ୬-୧, ୬-୦ ସେଟ୍ରେ ଚିଲିର କ୍ରିଷ୍ଟିଆନ୍ ଗାରିନ୍ଙ୍କୁ ଏବଂ ରୁନେ ୭-୬, ୨-୬, ୬-୩, ୭-୬ ସେଟ୍ରେ ଇଟାଲିର ମାତିଓ ବେରେତିନିଙ୍କୁ ହରାଇଛନ୍ତି।
ମହିଳା ଏକକରେ ୫ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ପୋଲାଣ୍ଡ ଲଳନା ସ୍ବିତେକ ସିଧାସଳଖ ୬-୦, ୬-୨ ସେଟ୍ରେ ସ୍ଲୋଭାକିଆର ରେବିକା ସ୍ରାମକୋଭାଙ୍କୁ ହରାଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ୨୦୨୧ ୟୁଏସ୍ ଓପନ୍ ବିଜୟିନୀ ଇମ୍ମା ରାଡ଼ୁକାନୁଙ୍କୁ ଭେଟିବେ। ବ୍ରିଟିସ୍ ଲଲନା ୨୨ ବର୍ଷୀୟା ରାଡ଼ୁକାନୁ ୬-୦, ୬-୩ ସେଟ୍ରେ ଆମେରିକାର ଇଭା ଜୋଭିକ୍ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଚତୁର୍ଥ ମାନ୍ୟତାପ୍ରାପ୍ତ ଯସ୍ମିନ ପାଓଲିନ୍, ୩ ଗ୍ରାଣ୍ଡ ସ୍ଲାମ୍ ଫାଇନାଲିଷ୍ଟ ଓନ୍ସ ଜାବିଉର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଟାଲିର ପାଓଲିନ୍ ୬-୨, ୬-୩ ସେଟ୍ରେ ମେକ୍ସିକୋର ରେନାଟା ଜାରାଜୁଆଙ୍କୁ ଏବଂ ବିଶ୍ବର ପୂର୍ବତନ ଦୁଇ ନମ୍ବର ଜାବିଉର ୭-୫, ୬-୩ ସେଟ୍ରେ କଲମ୍ବିଆର କାମିଲା ଓସୋରିଓଙ୍କୁ ହରାଇଛନ୍ତି।