ମେଲ୍‌ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଯୁଗଳ ଟ୍ରଫିଠୁ ଗୋଟିଏ ପାଦ ଦୂରରେ ରହିଛନ୍ତି ଭାରତୀୟ ଭେଟେରାନ ରୋହନ ବୋପାନ୍ନା। ବୁଧବାର ସବୁଠୁ ବୟସ୍କ ଭାବେ ପୁରୁଷ ଯୁଗଳର ଶୀର୍ଷ ସ୍ଥାନ ଦଖଲ କରିଥିବା ବୋପାନ୍ନା ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ସେମିଫାଇନାଲ୍‌ରେ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନ୍‌ ୬-୩, ୩-୬, ୭-୬ (୧୦-୭) ସୁପର ଟାଇବ୍ରେକର୍ସରେ ଚୀନ୍‌ ଓ ଚେକ୍‌ଗଣରାଜ୍ୟ ଯୋଡ଼ି ଝାଙ୍ଗ ଝିଝେନ ଓ ତୋମାସ ମାଚାକଙ୍କୁ ମାତ୍‌ ଦେଇଥିଲେ। ଏହି ବିଜୟ ସହ ୪୩ ବର୍ଷୀୟ ବୋପାନ୍ନା ମେଲ୍‌ବର୍ଣ୍ଣରେ ପ୍ରଥମ ଥର ଲାଗି ପୁରୁଷ ଯୁଗଳ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପୂର୍ବରୁ‌ ଦୁଇ ଥର ଗ୍ରାଣ୍ଡସ୍ଲାମ୍‌ (ୟୁଏସ୍‌ ଓପନ୍‌) ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତି ପାରିନାହାନ୍ତି। ଶନିବାର ଫାଇନାଲ୍‌ରେ ଏହି ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ଇଟାଲିର ସିମୋନ ବୋଲେଲି ଓ ଆନ୍ଦ୍ରିଆ ଭାଭାସୋରିଙ୍କୁ ଭେଟିବେ।