ମେଲ୍ବର୍ଣ୍ଣ: ୨୪ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିୟା ତାରକା ନୋଭାକ ଜୋକୋଭିକ୍, ବିଶ୍ବର ୨ ନମ୍ବର ଆଲେକ୍ଜାଣ୍ଡର ଭେରଭ୍, ୪ ଗ୍ରାଣ୍ଡ ସ୍ଲାମ୍ ବିଜେତା କାର୍ଲୋସ ଅଲ୍କାରାଜ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ପୁରୁଷ ଏକକ ତୃତୀୟ ରାଉଣ୍ଡରେ ଏଠାରେ ୧୦ ଥରର ବିଜେତା ୩୭ ବର୍ଷୀୟ ଜୋକୋଭିକ୍ ୬-୧, ୬-୪, ୬-୪ ସେଟ୍ରେ ୨୬ ମାନ୍ୟତାପ୍ରାପ୍ତ ଚେକ୍ଗଣରାଜ୍ୟର ତୋମସ ମାଚାକ୍ଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ୨୭ ବର୍ଷୀୟ ଜର୍ମାନିର ଭେରଭ ୬-୩, ୬-୪, ୬-୪ ସେଟ୍ରେ ବ୍ରିଟିସ୍ ଖେଳାଳି ଜାକବ ଫିଅର୍ନଲିଙ୍କୁ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍ର ଅଲ୍କାରାଜ ୬-୨, ୬-୪, ୬-୭, ୬-୨ ସେଟ୍ରେ ବିଶ୍ବର ୩୩ ନମ୍ବର ପର୍ତ୍ତୁଗାଲ୍ର ନୁନୋ ବୋର୍ଗେସଙ୍କୁ ହରାଇଛନ୍ତି। ଆମେରିକାର ଟମି ଫଲ୍ ୭-୬, ୬-୨, ୬-୦ ସେଟ୍ରେ ସ୍ପେନ୍ର ରୋବର୍ତୋ କାର୍ବାଲେସ୍ ବାଏନାଙ୍କୁ ହରାଇ ପ୍ରିକ୍ବାର୍ଟରରେ ପହଞ୍ଚିଛନ୍ତି।
ଓହରିଲେ ଓସାକା, ପେଗୁଲା ବିଦା
/sambad/media/media_files/2025/01/18/VvubURqROg2zB2ir6Ksr.jpg)
ଦୁଇ ଥର ଅଷ୍ଟ୍ରେଲିଆନ୍ ଓପନ୍ ବିଜୟିନୀ ଜାପାନ ତାରକା ନାଓମି ଓସାକା ଆହତ ଯୋଗୁଁ ଶୁକ୍ରବାର ଏକ ତୃତୀୟ ରାଉଣ୍ଡ ମ୍ୟାଚ୍ ଅଧାରୁ ଓହରି ଯାଇଛନ୍ତି। ବେଲିନ୍ଦା ବେନସିକ୍ ବିପକ୍ଷ ଏହି ମ୍ୟାଚ୍ର ପ୍ରଥମ ସେଟ୍ରେ ୬-୫ରେ ଆଗୁଆ ଥିଲା ବେଳେ ଓସାକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲ୍ ସେବା ନେଇଥିଲେ। ଏହାପରେ ସେ ଖେଳି ଏହି ସେଟ୍ ଟ୍ରାଇବ୍ରେକ୍ରେ ସ୍ବିଜରଲାଣ୍ଡ ଖେଳାଳିଙ୍କଠୁ ୬-୭ରେ ହାରିଯାଇଥିଲେ। ହେଲେ ପରବର୍ତ୍ତୀ ସେଟ୍ ଖେଳିବା ପୂର୍ବରୁ ଅଧିକ ଯନ୍ତ୍ରଣା ହେବାରୁ ଓସାକା ଓହରିବାକୁ ନିଷ୍ପତ୍ତି ନେଇଥିଲେ। ସପ୍ତମ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲାଙ୍କ ଅଭିଯାନ ତୃତୀୟ ରାଉଣ୍ଡରେ ଶେଷ ହୋଇଛି। ୟୁଏସ୍ ଓପନ୍ ଉପବିଜୟିନୀ ଏହି ଆମେରିକୀୟ ଖେଳାଳି ୬-୭, ୧-୬ ସେଟ୍ରେ ସର୍ବିୟାର ଓଲଗା ଡାନିଲୋଭିକ୍ଙ୍କଠୁ ହାରିଯାଇଛନ୍ତି। ତେବେ ବିଶ୍ବର ଏକ ନମ୍ବର ଆରିନା ସାବାଲେଙ୍କା ଏବଂ ୩ ନମ୍ବର କୋକୋ ଗଫ୍ ସହଜ ବିଜୟ ସହ ପ୍ରିକ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। ଗତ ଦୁଇ ସଂସ୍କରଣ ବିଜୟିନୀ ବେଲାରୁଷ ଲଳନା ସାବାଲେଙ୍କା ୭-୬, ୬-୪ ସେଟ୍ରେ ଡେନ୍ମାର୍କର କ୍ଲାରା ତୌସନ୍ଙ୍କୁ ଏବଂ ୨୦୨୩ ୟୁଏସ୍ ଓପନ୍ ବିଜୟିନୀ ୨୦ ବର୍ଷୀୟା ଆମେରିକୀୟ ଯୁବତୀ ଗଫ୍ ୬-୪, ୬-୨ ସେଟ୍ରେ ୩୦ ମାନ୍ୟତାପ୍ରାପ୍ତ କାନାଡ଼ାର ଲିଲା ଫର୍ଣ୍ଣାଣ୍ଡିଜ୍ଙ୍କୁ ପରାସ୍ତ କରିଛନ୍ତି।
ଆଗେଇଲେ ବୋପାନ୍ନା-ଝାଙ୍ଗ
ପୁରୁଷ ଯୁଗଳରୁ ବିଦାୟ ନେଇଥିବା ଭାରତୀୟ ଭେଟେରାନ୍ ରୋହନ ବୋପାନ୍ନା ମିଶ୍ରିତ ଯୁଗଳରେ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଶୁକ୍ରବାର ସେ ଓ ତାଙ୍କ ଚୀନ୍ ସାଥୀ ସୁଆଇ ଝାଙ୍ଗ ୬-୪, ୬-୪ ସେଟ୍ରେ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିକ ଓ କ୍ରୋଏସିଆର ଇଭାନ ଡୋଡିଗ୍ଙ୍କୁ ହରାଇଛନ୍ତି। ଏହି ଭାରତ-ଚୀନ୍ ଯୋଡ଼ି ପରବର୍ତ୍ତୀ ରାଉଣ୍ଡରେ ଆମେରିକା-ମୋନାକୋ ଯୋଡ଼ି ଟେଲର ଟାଉନସେଣ୍ଡ ଓ ହୁଗୋ ନିସ୍ଙ୍କୁ ଭେଟିବେ।