ମେଲବର୍ଣ୍ଣ: ପ୍ରଭାବଶାଳୀ ଟେନିସ୍‌ର ଜବରଦସ୍ତ ପରାକାଷ୍ଠା ଦେଖାଇ ଶନିବାରର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌‌ରେ ଗତଥର ବିଜୟିନୀ ଆରିନା ସାବାଲେଙ୍କାଙ୍କୁ ୬-୩, ୨-୬, ୭-୫ ସେଟ୍‌ରେ ପରାସ୍ତ କରି ଆମେରିକୀୟ ତାରକା ମାଡିସନ୍ କିଜ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ୍ ‌ଟେନିସ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି।  ୨୯ବର୍ଷୀୟା କିଜ୍‌ଙ୍କର ଏହା ହେଉଛି ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ବିଜୟ। ପୁଣି ପେସାଦାର ଯୁଗ ଆରମ୍ଭ ହେବା ପରଠାରୁ କୌଣସି ଗ୍ରାଣ୍ଡ ସ୍ଲାମ୍ ପ୍ରତିଯୋଗିତା‌ ଜିତିବାରେ ଚତୁର୍ଥ ବୟୋଜ୍ୟେଷ୍ଠା ଖେଳାଳି ହୋଇଛନ୍ତି ସେ। ତାଙ୍କର ଏହି ବିଜୟ ପରେ ଆମେରିକୀୟ କ୍ରୀଡ଼ା ଜଗତରେ ଖୁସିର ଲହରି ଖେଳି ଯାଇଛି। ଟେନିସ୍ ଦୁନିଆ ମଧ୍ୟ ଜଣେ ନୂଆ ଅଷ୍ଟ୍ରେଲିଆ ଓ ଗ୍ରାଣ୍ଡସ୍ଲାମ୍ ବିଜୟିନୀ ପାଇଛି। ବେଲାରୁଷ୍ ତାରକା ସାବାଲେଙ୍କାଙ୍କୁ କିନ୍ତୁ ଉପବିଜୟିନୀ ସିଲ୍ଡରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। 

Advertisment

 ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ବିଶ୍ବମାନ୍ୟତାର ନଂ ୧ରେ ଥିବା ଟପ୍ ସିଡ୍ ସାବାଲେଙ୍କା ସମସ୍ତଙ୍କ ପସନ୍ଦର ଖେଳାଳିଭାବେ ଫାଇନାଲ୍‌ରେ ଅବତୀର୍ଣ୍ଣ ହୋଇଥିଲେ। ତେବେ ପ୍ରଥମ ସେଟ୍‌କୁ ଜିତି ନେଇ କିଜ୍ ତାଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। ଏକତରଫା ଭାବେ ଦ୍ବିତୀୟ ସେଟ୍ ଜିତି ଲଗାତାର ତୃତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବା ଲକ୍ଷ୍ୟରେ ଥିବା ସାବାଲେଙ୍କା ଅବଶ୍ୟ  ସ୍ଥିତି ବରାବର କରି ନେଇଥିଲେ। ନିର୍ଣ୍ଣାୟକ ତୃତୀୟ ସେଟ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତେବେ ଏହାକୁ ଦୁଇ ପଏଣ୍ଟ୍‌ ବ୍ୟବଧାନରେ ଜିତି ନେବା ସହ ରଡ୍ ଲେଭର୍ ଏରିନାରେ କିଜ୍ ନୂଆ ଇତିହାସ ରଚିଥିଲେ। ନିଜ ପ୍ରଥମ ଫାଇନାଲ୍ ପଦାର୍ପଣରେ ହିଁ ଟ୍ରଫି ଜିତିବାର ଅନନ୍ୟ ସଫଳତା ହାସଲ କରିଥଲେ ସେ। ସାବାଲେଙ୍କାଙ୍କ ପାଇଁ ତୃତୀୟ ସେଟ୍‌ରେ ଯୁଗଳ ଡବଲ୍ ଫଲ୍ଟ କରିବା ମହଙ୍ଗ‌ା ସାବ୍ୟସ୍ତ ହୋଇଥିଲା। ଏହି କାରଣରୁ ତାଙ୍କଠାରୁ ୧୮ ମାନ୍ୟତା କମ୍ ପାଇଥିବା ଊନ୍ନବିଂଶ ସିଡ୍ କିଜ୍ ରୋମାଞ୍ଚକର ବିଜୟ ପାଇ ଟାଇଟଲ୍ ଜିତି ନେଇଥିଲେ। ମହିଳାଙ୍କ ଭଳି ପୁରୁଷ ଏକକରେ ମଧ୍ୟ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍ ଦେଖିବାକୁ ମିଳିବ ବୋଲି ‌ଟେନିସ୍ ପ୍ରେମୀ ଆଶା ରଖିଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ଟପ୍ ସିଡ୍ ଜାନେକ ସିନ୍ନର ଓ  ଦ୍ବିତୀୟ ସିଡ୍ ଆଲେକଜାଣ୍ଡାର ଜେରେଭ୍ ମୁହାଁମୁହିଁ ହେବେ। ସର୍ବିୟାର କିଂବଦନ୍ତି ଖେଳାଳି ନୋଭାକ ଜୋ‌କୋଭିକ୍ ସେମିଫାଇନାଲ୍ ମୁକାବିଲାରୁ ଓହରି ଯିବା ପରେ ପ୍ରଥମ ଥର ଅଷ୍ଟ୍ରେଲିଆ ଓପନ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିବା ଜେରେଭ୍ ଆସନ୍ତାକାଲି ଯଦି ବିଜୟୀ ହୁଅନ୍ତି, ତାହେଲେ ପୁରୁଷ ଏକକରେ ମଧ୍ୟ ନୂଆ ବିଜେତାଙ୍କୁ ଦେଖିବାକୁ ମିଳିବ।