ଥିମ୍‌ ବିଦା; କ୍ବାର୍ଟରରେ ଜୋକୋଭିକ, ଭେରଭ

ସେରେନା, ହାଲେପ, ଓସାକା ଆଗେଇଲେ; ମୁଗୁରୁଜା ବିଦା

ମେଲ୍‌ବର୍ଣ୍ଣ : ସର୍ବିୟାର ନୋଭାକ ଜୋକୋଭିକ, ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରଭ ଅଷ୍ଟ୍ରେଲିଆନ୍‌‌ ଓପନ୍ କ୍ବାର୍ଟରରେ ପହଞ୍ଚିଛନ୍ତି। ତେ‌ବେ ଡୋମିନିକ ଥିମ୍‌ (ତୃତୀୟ)ଙ୍କ ଅଭିଯାନ ଶେଷ ହୋଇଯାଇଛି। ରବିବାର ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଜୋକୋଭିକ ୭-୬, ୪-୬, ୬-୧, ୬-୪ରେ କାନାଡ଼ାର ମିଲୋସ୍‌ ରାଓନିକ୍‌ଙ୍କୁ ଏବଂ ଜର୍ମାନିର ଭେରଭ ୬-୪, ୭-୬, ୬-୩ରେ ସର୍ବିୟାର ଦୁସାଦ ଲାଜୋଭିକ୍‌ଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ଜୋକୋଭିକ ଓ ଭେରଭ ମୁହାଁମୁହିଁ ହେବେ। ‌ସେହିପରି ବୁଲ୍‌ଗେରିଆର ଗ୍ରିଗୋର ଦିମିତ୍ରୋଭ ସିଧାସଳଖ ୬-୪, ୬-୪, ୬-୦ରେ କାନାଡ଼ାର ଥିମ୍‌ଙ୍କୁ ହରାଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ଦିମିତ୍ରୋଭ ରୁଷିଆର ଆସ୍‌ଲାନ କାରା‌ତ୍ସେଭଙ୍କୁ ଭେଟିବେ। ‌ଗ୍ରାଣ୍ଡ ସ୍ଲାମ୍‌ ପଦାର୍ପଣ କରିଥିବା କାରା‌ତ୍ସେଭ ୩-୬, ୧-୬, ୬-୩, ୬-୩, ୬-୪ରେ ଫେଲିକ୍ସ-ଅଗର ଆଲିଆସିମ୍‌ଙ୍କୁ ମାତ୍‌ ଦେଇଥିଲେ।

ସେରେନା, ହାଲେପ, ଓସାକା ଆଗେଇଲେ; ମୁଗୁରୁଜା ବିଦା
ମହିଳା ଏକକରେ ଆମେରିକାର ସେରେନା ୱିଲିୟମ୍ସଙ୍କ ସହ ସିମୋନା ହାଲେପ ଓ ନାଓମି ଓସାକା କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେରେନା ୬-୪, ୨-୬, ୬-୪ରେ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରି ୨୪ତମ ଗ୍ରାଣ୍ଡ ସ୍ଲାମ୍‌ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ସେ ରୋମାନିଆର ହାଲେପଙ୍କୁ ଭେଟିବେ। ଦୁଇ ଥରର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ହାଲେପ ୩-୬, ୬-୧, ୬-୪ରେ ପୋଲାଣ୍ଡର ଇଗା ସ୍ବିତେକଙ୍କୁ ହରାଇଥିଲେ। ୟୁଏସ୍‌ ଓପନ୍‌ ବିଜୟିନୀ ଜାପାନର ଓସାକା ୪-୬, ୬-୪, ୭-୫ରେ ଗତଥରର ଫାଇନାଲିଷ୍ଟ ସ୍ପେନ୍‌ର ଗାର୍ବି‌‌ନେ ମୁଗୁରୁଜାଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୩ ଗ୍ରାଣ୍ଡ୍ ସ୍ଲାମ୍‌ ବିଜୟିନୀ ଓସାକା ୩୫ ବର୍ଷୀୟା ତାଇୱାନ୍‌ର ସି ସୁ-ୱେଇଙ୍କୁ ଭେଟିବେ। ୱେଇ ୬-୪, ୬-୨ରେ ଚେକ୍‌ ଗଣରାଜ୍ୟର ମାର୍କେଟା ଭୋଣ୍ଡ୍ରୌସୋଭାଙ୍କୁ ହରାଇ ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି।

ସମ୍ବନ୍ଧିତ ଖବର