ମେଲ୍ବର୍ଣ୍ଣ: ସର୍ବିଆ ତାରକା ନୋଭାକ ଜୋକୋଭିକ ପୁଣି ଥରେ ଏକ ଗ୍ରାଣ୍ଡ୍ ସ୍ଲାମ୍ରେ ନିଜର ଚିର ପ୍ରତିଦ୍ବନ୍ଦ୍ବୀ ସ୍ବିଜରଲାଣ୍ଡର ରୋଜର ଫେଡେରର୍ଙ୍କୁ ପରାସ୍ତ କରି ଅଷ୍ଟମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକ ସେମିଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜୋକୋଭିକ ୭-୬, ୬-୪, ୬-୩ ସେଟ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ଫେଡେରର୍ଙ୍କୁ ହରାଇ ମେଲ୍ବର୍ଣ୍ଣ ପାର୍କରେ କୀର୍ତ୍ତିମାନଭରା ଅଷ୍ଟମ ମୁକୁଟ କରାୟତ୍ତ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ଉଭୟଙ୍କ ମଧ୍ୟରେ ଏହା ୫୦ତମ ମୁକାବିଲା ହୋଇଥିଲା ବେଳେ ୧୬ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ଜୋକୋଭିକ ୨୮ ଓ ୨୦ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ଫେଡେରର୍ ୨୩ ଥର ବିଜୟୀ ହୋଇଛନ୍ତି। ୧୮ ଗ୍ରାଣ୍ଡ୍ ସ୍ଲାମ୍ ଲଢ଼େଇରେ ଜୋକୋଭିକ ୧୨ଟିରେ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ୫ ମୁକାବିଲାରେ ଫେଡେରର୍ ଥରେ ମାତ୍ର ଜୋକୋଭିକ୍ଙ୍କୁ ହରାଇବାକୁ ସମର୍ଥ ହୋଇଛନ୍ତି। ୨୦୧୨ ୱିମ୍ବଲ୍ଡନ୍ ପରଠୁ ଫେଡେରର୍ ଆଉ ବଡ଼ ପ୍ରତିଯୋଗିତାରେ ଜୋକୋଭିକ୍ଙ୍କୁ ହରାଇ ପାରି ନାହାଁନ୍ତି। ଜୋକୋଭିକ୍ ଫାଇନାଲ୍ରେ ଜର୍ମାନିର ଆଲେକଜାଣ୍ଡର ଭେରଭ ଓ ଅଷ୍ଟ୍ରିଆର ଡୋମିନିକ୍ ଥିମ୍ଙ୍କ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ୍ର ବିଜେତାଙ୍କୁ ଭେଟିବେ। ଥିମ୍ କ୍ବାର୍ଟର୍ ଫାଇନାଲ୍ରେ ବିଶ୍ବର ଏକ ନମ୍ବର ସ୍ପେନ୍ର ରାଫେଲ୍ ନାଦାଲ୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲେ।
ମହିଳା ଏକକ ସେମିଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍ଲେ ବାର୍ଟି ଓ ଚତୁର୍ଥ ମାନ୍ୟତାପ୍ରାପ୍ତ ସିମୋନା ହାଲେପ୍ଙ୍କ ଅଭିଯାନ ଶେଷ ହୋଇଛି। ଏହି ଦୁଇ ଜଣଙ୍କୁ ବିଦାୟ ରାସ୍ତା ଦେଖାଇଥିବା ଚତୁର୍ଦଶ ମାନ୍ୟତାପ୍ରାପ୍ତ ସୋଫିଆ କେନିନ୍ ଏବଂ ଅଣମାନ୍ୟତାପ୍ରାପ୍ତ ତଥା ଦୁଇ ଥର ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ଗାର୍ବିନ ମୁଗୁରୁଜା ଶନିବାର ଫାଇନାଲ୍ରେ ମୁହାଁମୁହିଁ ହେବେ। ରଡ୍ ଲାଭର ଏରିନାରେ ଖେଳାଯାଇଥିବା ସେମିଫାଇନାଲ୍ରେ ସ୍ପେନ୍ ଲଳନା ମୁଗୁରୁଜା ୭-୬, ୭-୫ ସେଟ୍ରେ ରୋମାନିଆର ହାଲେପ୍ଙ୍କୁ ମାତ୍ ଦେଇ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ୨୦୧୦ରେ ବେଲ୍ଜିୟମର ଜଷ୍ଟିନ୍ ହେନିନ୍ଙ୍କ ପରେ ପ୍ରଥମ ଅଣମାନ୍ୟତା ଖେଳାଳି ଭାବେ ୨୬ ବର୍ଷୀୟା ମୁଗୁରୁଜା ମହିଳା ଏକକ ଫାଇନାଲ୍ରେ ପହଞ୍ଚିବାର ଗୌରବ ପାଇଛନ୍ତି। ପୂର୍ବତନ ଏହି ଶୀର୍ଷ ମାନ୍ୟତା ଖେଳାଳି ସଂପ୍ରତି ୩୨ତମ ସ୍ଥାନରେ ରହିଛନ୍ତି। ଅନ୍ୟ ଏକ ସେମିଫାଇନାଲ୍ରେ ଆମେରିକାର ୨୧ ବର୍ଷୀୟା କେନିନ୍ ୭-୬, ୭-୫ ସେଟ୍ରେ ସ୍ଥାନୀୟ ତାରକା ବାର୍ଟିଙ୍କୁ ପରାସ୍ତ କରି ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ଟିକେଟ୍ ହାସଲ କରିଥିଲେ। ଅନ୍ୟପକ୍ଷରେ ୧୯୭୮ ପରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ରେ ଅଷ୍ଟ୍ରେଲୀୟ ଭାବେ ଟ୍ରଫି ଜିତିବା ଲକ୍ଷ୍ୟ ରଖିଥିବା ବାର୍ଟିଙ୍କ ଅଶା ମଉଳି ଯାଇଥିଲା।
ଭାରତୀୟଙ୍କ ଅଭିଯାନ ଶେଷ
ଏକ ମାତ୍ର ଭାରତୀୟ ଭାବେ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପ୍ରତିଯୋଗିତାରେ ତିଷ୍ଟି ରହିଥିବା ରୋହନ ବୋପାନ୍ନା ଗୁରୁବାର ମିଶ୍ରିତ ଯୁଗଳ ହାରି ଯାଇଛନ୍ତି। ଫଳରେ ଏହିଠାରେ ଭାରତୀୟଙ୍କ ଅଭିଯାନ ଶେଷ ହୋଇ ଯାଇଛି। ଗୁରୁବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ୟୁକ୍ରେନ୍ର ନାଦିଆ କିଚେନୋକଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ୦-୬, ୨-୬ ସେଟ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ କ୍ରୋଏସିଆ-ଚେକ୍ଗଣରାଜ୍ୟ ଯୋଡ଼ି ନିକୋଲ ମେକଟିକ ଓ ବାର୍ବୋରା କ୍ରେସିକୋଭାଙ୍କଠୁ ପରାଜିତ ହୋଇଥିଲେ। ଏହି ମ୍ୟାଚ୍ ମାତ୍ର ୪୭ ମିନିଟ୍ରେ ଶେଷ ହୋଇଥିଲା। ମଙ୍ଗଳବାର ଭେଟେରାନ ଲିଆଣ୍ଡର ପେସ୍ ଓ ତାଙ୍କ ସାଥୀ ଲାଟଭିଆର ଜେଲିନା ଓସ୍ତାପେଙ୍କୋ ମିଶ୍ରିତ ଯୁଗଳ ଦ୍ବିତୀୟ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।