ଅ‌ଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତା: ଭେରେଭ ବିଦା; କ୍ବାର୍ଟରରେ ନାଦାଲ, ବାର୍ଟି

ମେଲ୍‌ବର୍ଣ୍ଣ : ଚଳିତ ଅ‌ଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାରୁ ତୃତୀୟ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରେଭ ବିଦାୟ ନେଇଛନ୍ତି। ଚତୁର୍ଦଶ ମାନ୍ୟତାପ୍ରାପ୍ତ ଡେନିସ ସାପୋଭାଲୋଭ ୬-୩, ୭-୬, ୬-୩ ସିଧାସଳଖ ସେଟ୍‌ରେ ଏହି ଜର୍ମାନି ତାରକାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। କାନାଡ଼ା ତାରକା ସାପୋଭାଲୋଭ୍‌ କ୍ବାର୍ଟର ଫାଇନାଲ୍‌ରେ ସ୍ପେନ୍‌ ତାରକା ରାଫେଲ ନାଦାଲଙ୍କୁ ଭେଟିବେ। ଷଷ୍ଠ ମାନ୍ୟତାପ୍ରାପ୍ତ ନାଦାଲ ୭-୬, ୬-୨, ୬-୨ ସିଧାସଳଖ ସେଟ୍‌ରେ ଫ୍ରାନ୍ସର ଆଦ୍ରିଆନ୍‌ ମାନାରିନୋଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ନାଦାଲ ନିଜର କୀର୍ତ୍ତିମାନଭରା ୨୧ତମ ଗ୍ରାଣ୍ଡ ସ୍ଲାମ୍‌ଠୁ ୩ ମ୍ୟାଚ୍‌ ଦୂରରେ ରହିଛନ୍ତି। ରବିବାର ଖେଳାଯାଇଥିବା ଅନ୍ୟ ଦୁଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ବିଜୟୀ ହୋଇଥିବା ସପ୍ତମ ମାନ୍ୟତାପ୍ରାପ୍ତ ମାତିଓ ବେରେତିନି ଓ ସପ୍ତଦଶ ମାନ୍ୟତାପ୍ରାପ୍ତ ଗେଲ୍‌ ମନ୍‌ଫିଲ୍ସ ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଇଟାଲିର ବେରେତିିନି ୭-୬, ୭-୬, ୬-୪ ସେଟ୍‌ରେ ସ୍ପେନ୍‌ର ପାବ୍‌ଲୋ କ‌ାରେନୋ ବୁସ୍ତାଙ୍କୁ ଏବଂ ଫ୍ରାନ୍ସର ମନ୍‌ଫିଲ୍ସ ୭-୫, ୭-୬, ୬-୩ ସେଟ୍‌ରେ ସର୍ବିୟ‌ାର ମିଓମର କାସ‌ମାନୋଭିକ୍‌ଙ୍କୁ ହରାଇଥିଲେ।

ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ସହଜ ବିଜୟ ସହ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଏହି ଅଷ୍ଟ୍ରେଲୀୟ ମହିଳା ସିଧାସଳଖ ୬-୪, ୬-୩ ସେଟ୍‌ରେ ଆମେରିକାର ଆମନ୍ଦା ଆନିସିମୋଭାଙ୍କୁ ହରାଇ ଦେଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ସେ ଆମେରିକାର ଜେସିକା ପେଗୁଲାଙ୍କୁ ଭେଟିବେ। ୨୧ ମାନ୍ୟତାପ୍ରାପ୍ତ ପେଗୁଲା ୭-୬, ୬-୩ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଗ୍ରିସ୍‌ର ମାରିଆ ସାକାରିଙ୍କୁ ମାତ୍‌ ଦେଇଥିଲେ। ଅନ୍ୟ ଏକ ମହିଳା କ୍ବାର୍ଟର ଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ର‌ାପ୍ତ ବାର୍ବୋରା କ୍ରେଁସିକୋଭା ଓ ଆମେରିକାର ମାଡିସନ କିଜ୍‌ ମୁହାଁମୁହିଁ ହେବେ। ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଚେକ୍‌ଗଣରାଜ୍ୟର କ୍ରେଁସିକୋଭା ୬-୨, ୬-୨ ସେଟ୍‌ରେ ପୂର୍ବତନ ଏକ ନମ୍ବର ବେଲାରୁଷର ଭିକ୍ଟୋରିଆ ଆଝାରେଙ୍କାଙ୍କୁ ଏବଂ ପୂର୍ବତନ ୟୁଏସ୍‌ ଓପନ୍‌ ବିଜୟିନୀ କିଜ୍‌ ୬-୩, ୬-୧ ସେଟ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ପୌଲୋ ବଦୋସାଙ୍କୁ ପରାସ୍ତ କରିଥିଲେ।

ମିଶ୍ରିତ ଯୁଗଳ କ୍ବାର୍ଟରରେ ସାନିଆ
ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜା ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ରବିବାର ମୁକାବିଲାରେ ସାନିଆ ଓ ତାଙ୍କ ଆମେରିକୀୟ ସାଥୀ ରାଜୀବ ରାମ ୧ ଘଣ୍ଟା ୨୭ ମିନିଟ୍‌‌ ସମୟ ଲଢ଼ିବା ପରେ ୭-୬ (୮/୬), ୬-୪ ସିଧାସଳଖ ସେଟ୍‌ରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଯୋଡ଼ି ଏଲିନ ପେରେଜ ଓ ମାତୱେ ମିଡେଲକୁପଙ୍କୁ ପରାସ୍ତ କରିଥିଲେ। ୬ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସାନିଆ ୨୦୨୧ରେ ଏଠାରେ ଚେକ୍‌ଗଣରାଜ୍ୟର ବର୍ବୋରା କ୍ରେଁସିକୋଭାଙ୍କୁ ସାଥୀ କରି ବିଜେତା ଟ୍ରଫି କରାୟତ୍ତ କରିଥିଲେ। ସେହିପରି ସାନିଆ ମଧ୍ୟ ଏଠାରେ ୨୦୦୯ରେ ମିଶ୍ରିତ ଯୁଗଳ ଏବଂ ୨୦୧୬ରେ ମହିଳା ଯୁଗଳ ଟ୍ରଫି ଜିତିଥିଲେ। ହେଲେ ଚଳିତ ବର୍ଷ ମହିଳା ଯୁଗଳର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର