ମେଲ୍ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ନୂଆ ବିଜୟିନୀଙ୍କୁ ଦେଖିବାକୁ ପାଇଲା। ଶନିବାର ମହିଳା ଏକକ ଫାଇନାଲ୍ରେ ଆମେରିକାର ସୋଫିଆ କେନିନ୍ ସ୍ପେନ୍ ଲଳନା ଗାର୍ବିନେ ମୁଗୁରୁଜାଙ୍କୁ ପରାସ୍ତ କରି ଟ୍ରଫି ଜିତିନେଲେ। ସେମିଫାଇନାଲ୍ରେ ପ୍ରଥମ ସେଟ୍ ପଛୁଆ ରହିବା ସତ୍ତ୍ବେ ବିଶ୍ବ ମାନ୍ୟତାର ଏକ ନମ୍ବର ଆସ୍ଲେ ବାର୍ଟିଙ୍କୁ ପରାସ୍ତ କରି ଦୃଢ଼ ମନୋବଳ ସହ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ ୨୧ ବର୍ଷ ବୟସ୍କା କେନିନ୍। ଶେଷରେ ପ୍ରଥମ ଥର ପାଇଁ ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ ପ୍ରବେଶରେ ହିଁ କେନିନ୍ ମୁକୁଟ ପିନ୍ଧିବାର ଗୌରବ ବହନ କଲେ। ଆଉ ମାରିଆ ସାରାପୋଭା (୨୦୦୮, ୨୦ ବର୍ଷ ବୟସ)ଙ୍କ ପରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବାରେ ସର୍ବକନିଷ୍ଠ ମହିଳା ବିବେଚିତ ହେଲେ। ଚତୁର୍ଦଶ ମାନ୍ୟତାପ୍ରାପ୍ତ କେନିନ୍ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଲଢ଼ିବା ପରେ ୨ ଥର ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ମୁଗୁରୁଜାଙ୍କୁ ୪-୬, ୬-୨ ଓ ୬-୨ ସେଟ୍ରେ ପରାସ୍ତ କରିଦେଇଥିଲେ। ପ୍ରଥମ ସେଟ୍କୁ ହାରିଯିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ ଏହି ମସ୍କୋ ଜନ୍ମିତ ଆମେରିକୀୟ ଲଳନା କେନିନ୍। ଏପରିକି ୨୦୧୬ରେ ଫ୍ରେଞ୍ଚ୍ ଓପନ୍ ଏବଂ ୨୦୧୭ରେ ୱିମ୍ବିଲଡନ୍ ଟ୍ରଫି ଜିତିଥିବା ମୁଗୁରୁଜାଙ୍କୁ ଶନିବାର ଫାଇନାଲ୍ର ଦ୍ବିତୀୟ ଓ ତୃତୀୟ ସେଟ୍ରେ ବିଶେଷ ସୁଯୋଗ ଦେଇନଥିଲେ। ମୁଖ୍ୟତଃ ଯୁଗଳ ଅନିଛାକୃତ ତ୍ରୁଟି ହିଁ ମୁଗୁରୁଜାଙ୍କୁ ପରାଜୟ ପାଇଁ ବାଧ୍ୟ କରିଥିଲା। ଅନ୍ୟପକ୍ଷରେ କେନିନ୍ ଫାଇନାଲ୍ ଭଳି ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଉନ୍ନତ ଟେନିସ୍ ଖେଳିଥିଲେ ବୋଲି ମୁଗୁରୁଜା କହିଥିଲେ। ପ୍ରଥମ ଥର ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ଜିତିବା ପରେ କେନିନ୍ ଖୁସିରେ କାନ୍ଦି ପକାଇଥିଲେ। ମୋ ସ୍ବପ୍ନ ବାସ୍ତବ ରୂପ ନେଇଛି ବୋଲି ମୁଁ କହିବାକୁ ଚାହେଁ। ଗତ ଦୁଇ ସପ୍ତାହ ମୋ ଜୀବନର ଶ୍ରେଷ୍ଠ ସମୟ ଥିଲା। ମୁଁ ଆସନ୍ତାବର୍ଷ ମଧ୍ୟ ମେଲ୍ବର୍ନ ପାର୍କକୁ ଖେଳିବା ପାଇଁ ଆସିବି ବୋଲି ଟ୍ରଫି ତୋଳିଧରିବା ପରେ କହିଥିଲେ କେନିନ୍।
କେନିନ୍ଙ୍କ କ୍ୟାରିୟର
ବିଶ୍ବ ମାନ୍ୟତାର ପଞ୍ଚଦଶ କେନିନ୍ ଶନିବାର ମେଲ୍ବର୍ନ ପାର୍କରେ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବା ପୂର୍ବରୁ ଆଇଟିଏଫ୍ ସର୍କିଟ୍ରେ ୨୦୧୩ରେ ପେସାଦାର ଜୀବନ ଆରମ୍ଭ କରିଥିଲେ।
୧୪ ବର୍ଷ ବୟସରେ ନିଜର ପ୍ରଥମ ଦୁଇଟି ପେସାଦାର ମ୍ୟାଚ୍ ଜିତିଥିଲେ।
୨୦୧୫ ୟୁଏସ୍ ଓପନ୍ରେ ପ୍ରଥମ ଥର ଗ୍ରାଣ୍ଡ୍ସ୍ଲାମ୍ ମୁଖ୍ୟ ଡ୍ର’ରେ ସାମିଲ ହୋଇଥିଲେ। ହେଲେ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଥିଲେ।
୨୦୧୮ରେ ନିଜର ପ୍ରଥମ ଡବ୍ଲୁଟିଏ (ମାଲୋର୍କା ଓପନ୍) ସେମିଫାଇନାଲ୍ରେ ପ୍ରବେଶ କରିଥିଲେ।
୨୦୧୯ରେ ପ୍ରଦର୍ଶନରେ ଉନ୍ନତି। ପ୍ରଥମ ଥର ଡବ୍ଲୁଟିଏ ଏକକ ଟ୍ରଫି (ହୋବାର୍ଟ ଇଣ୍ଟରନ୍ୟାସ୍ନାଲ) ଜିତିଥିଲେ।
କ୍ଲେ କୋର୍ଟ (ଫ୍ରେଞ୍ଚ୍ ଓପନ୍)ରେ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଚତୁର୍ଥ ରାଉଣ୍ଡ୍କୁ ଉନ୍ନୀତ।
ମାଲୋର୍କାରେ ଦ୍ବିତୀୟ ଡବ୍ଲୁଟିଏ ଏକକ ଟ୍ରଫି ପରେ ଗୁଆଙ୍ଗ୍ଜୁରେ ମଧ୍ୟ ଆଉ ଏକ ଟ୍ରଫି।
୨୦୧୯ରେ ଡବ୍ଲୁଟିଏ ଦ୍ବାରା ବର୍ଷର ସର୍ବଶ୍ରେଷ୍ଠ ଉନ୍ନତ ଖେଳାଳି ପୁରସ୍କାର। ଯାହାକି ସେରେନା ୱିଲିୟମ୍ସ (୧୯୯୯)ଙ୍କ ପରେ ଏହି ପୁରସ୍କାର ଜିତିବାରେ ପ୍ରଥମ ଆମେରିକୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/fh54fs6h54fs65h4sf65h4fs65h4fs654hsf654hsf564h65sf4hsf654h65sfh4sf56h4sf65h465sfh.jpg)