ଅଷ୍ଟ୍ରେଲିଆର ୧୦୩୩ ୱିକେଟ୍ ବନାମ ଭାରତର ୧୩ ୱିକେଟ୍‌

ବ୍ରିସ୍‌ବେନ୍‌ : ଆହତ ସମସ୍ୟା ଭିତରେ ଜର୍ଜରିତ ଭାରତୀୟ ଦଳ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଲାଗି ସମ୍ପ୍ରସାରିତ ଦଳ ନେଇ ଖେଳିଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା‌ ଶେଷ ଟେଷ୍ଟ୍‌ରେ ପରିସ୍ଥିତି ଏଭଳି ହୋଇଥିଲା ଯେ ଭାରତୀୟ ଦଳ ନିଜ ପ୍ରଥମ ପସନ୍ଦର ଖେଳାଳିଙ୍କୁ ପାଇବାକୁ ସଂଘର୍ଷ କରିବାରୁ ଏକାଧିକ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା। ଏହି ଅବସରରେ ଅନେକ ଅପୂର୍ବ ପରିସ୍ଥିତି ତଥା ସଂଖ୍ୟା ନଜରକୁ ଆସିଥିଲା।

୨୦: ଚଳିତ ଟେଷ୍ଟ୍‌ ଶୃଙ୍ଖଳାରେ ଭାରତର ମୋଟ ୨୦ ଜଣ ଚୂଡାନ୍ତ ଏକାଦଶରେ ଖେଳିଲେଣି। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଯାହାକି ସର୍ବାଧିକ। ଏହା ପୂର୍ବରୁ ୨୦୧୩-୧୪ ଆସେସ୍‌ ଶୃଙ୍ଖଳାରେ ଇଂଲଣ୍ଡ ସର୍ବାଧିକ ୧୮ ଜଣଙ୍କୁ ‌ଖେଳାଇଥିଲା। ୧୯୯୮-୯୯ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ୱେଷ୍ଟଇଣ୍ଡିଜ୍ ମଧ୍ୟ ୧୮ ଜଣଙ୍କୁ ସମ୍ପୂର୍ଣ୍ଣ ଶୃଙ୍ଖଳାରେ ଖେଳାଇଥିଲା। ତେବେ ଏକ ୪ ଟେଷ୍ଟ୍ ଶୃଙ୍ଖଳାରେ ସର୍ବାଧିକ ୧୭ ଜଣଙ୍କୁ ନେଇ ଖେଳିବାର ଦୁଇଟି ଉଦାହରଣ ଇଂଲଣ୍ଡ (ବନାମ ୱେଷ୍ଟଇଣ୍ଡିଜ୍‌, ୧୯୮୦-୮୧) ଏବଂ ୱେଷ୍ଟଇଣ୍ଡିଜ୍ (ବନାମ ଇଂଲଣ୍ଡ, ୨୦୦୪) ନାମରେ ରହିଥିଲା।

୨: ଭାରତୀୟ ଦଳର ମାତ୍ର ୨ ଜଣ ଖେଳାଳି ଏହି ୪ ମ୍ୟାଚ୍‌ ଶୃଙ୍ଖଳାର ସମସ୍ତ ଟେଷ୍ଟ୍‌ ଖେଳିଲେ। ସେମାନେ ହେ‌ଲେ-ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା। ଶେଷ ଥର ପାଇଁ ଏକ ୩ କିମ୍ବା ତଦୁର୍ଦ୍ଧ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ମାତ୍ର ୨ ଜଣ ସବୁ ମ୍ୟାଚ୍‌ ଖେଳିବାର ଉଦାହରଣ ୧୯୯୫ ମସିହାର ୱିଜଡେନ୍ ଟ୍ରଫିରେ ଦେଖିବାକୁ ମିଳିଥିଲା। ଦୁଇ ଇଂଲଣ୍ଡ ଖେଳାଳି ମାଇକ୍ ଆଥରଟନ୍ ଏବଂ ଗ୍ରାହାମ୍ ଥର୍ପ ସମସ୍ତ ୬ ମ୍ୟାଚ୍‌ ଖେଳିଥିଲେ।

୧୦୨୦: ଗାବା ଟେଷ୍ଟ୍ ପୂର୍ବରୁ ଦୁଇ ଦଳର ବୋଲରଙ୍କ ମଧ୍ୟରେ ଏତେ ଅଭିଜ୍ଞତାର ବ୍ୟବଧାନ ନଥିଲା। ଚୂଡାନ୍ତ ଏକାଦଶରେ ଦେଖିଲେ ଗୋଟିଏ ଦଳ ୧୦୦ ତଳେ ଏବଂ ଅନ୍ୟ ଦଳ ୧୦୦୦ରୁ ଊର୍ଧ୍ବ ୱିକେଟ୍ ନେଇଛନ୍ତି। ଭାରତୀୟ ଏକାଦଶର ବୋଲରମାନେ ମିଳିତ ଭାବେ ୧୩ ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆ ବୋଲରମାନେ ୧୦୩୩ ୱିକେଟ୍‌ ନେଇଛନ୍ତି। ଅର୍ଥାତ୍ ଦୁଇ ଦଳ ମଧ୍ୟରେ ବ୍ୟବଧାନ ରହିଛି ୧୦୨୦ ୱିକେଟ୍‌। ଏଭଳି ବ୍ୟବଧାନ ଇତିହାସରେ ସର୍ବାଧିକ।‌‌ କୌଣସି ଯୋଗ୍ୟତା ନରଖି ଦେଖିଲେ ୨୦୦୫-୦୬ ମସିହାର ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍‌ ଆଡିଲେଡ୍ ଟେଷ୍ଟ୍‌ ଏଭଳି ବ୍ୟବଧାନ ଦେଖାଇଥିଲା। ଇଣ୍ଡିଜ୍‌ର ୨୧୫ ୱିକେଟ୍ ଜବାବରେ ଅଷ୍ଟ୍ରେଲିଆ ୧୫୨୧ ୱିକେଟ୍ ଅଭିଜ୍ଞତାରେ‌ ଖେଳିଥିଲା। ୧୯୪୬ ଲର୍ଡସ ଟେଷ୍ଟ୍ ପରଠାରୁ ଏହା ମଧ୍ୟ ଭାରତର ସର୍ବନିମ୍ନ ମୋଟ ୱିକେଟ୍। ଏହି ଟେଷ୍ଟ୍‌ ପୂର୍ବରୁ ଲାଲା ଅମରନାଥଙ୍କ ୪ ଓ ସ‌ିକେ ନାୟୁଡୁଙ୍କ ୧ ୱି‌କେଟକୁ ମିଶାଇ ଭାରତୀୟ ବୋଲିଂ ବିହିନୀ ମାତ୍ର ୫ ୱିକେଟ୍‌ ଦଖଲର ଅଭିଜ୍ଞତା ରଖି ପଡିଆକୁ ଓହ୍ଲାଇଥିଲା।

ସମ୍ବନ୍ଧିତ ଖବର