-ଭାରତର ଆଉ ଏକ ପାଳି ବିଜୟ ଭିତରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ନିଜ ସର୍ବନିମ୍ନ ୯୧ ରନ୍ କରିଛି। ପୂର୍ବରୁ ୨୦୦୪ରେ ଅଷ୍ଟ୍ରେଲିଆ ମୁମ୍ବାଇରେ ୯୩ ରନ୍‌ ଏବଂ ୧୯୫୯ରେ କାନପୁରରେ ୧୦୫ ରନ୍ କରିଥିଲା। ୯୧ ରନ୍‌ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ଭାରତ ବିପକ୍ଷରେ ଦ୍ବିତୀୟ ସର୍ବନିମ୍ନ। ୧୯୮୧ରେ ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର ୮୩ ରନ୍‌ରେ ଅଲଆଉଟ୍ କରିଥିଲେ। ଉଭୟ ପାଳିରେ ଅଲଆଉଟ୍‌ ହୋଇ ଅଷ୍ଟ୍ରେଲିଆ ସଂଗ୍ରହ କରିଥିବା ୨୬୮ ରନ୍ (୧୭୭ ଓ ୯୧) ମଧ୍ୟ ଦଳ ପାଇଁ ସର୍ବନିମ୍ନ। ୨୦୦୪ ମୁମ୍ବାଇ ଟେଷ୍ଟରେ ଅଷ୍ଟ୍ରେଲିଆ ୨୯୬ ରନ୍ (୨୦୩ ଓ ୯୩) କରିଥିଲା।

Advertisment

-ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଞ୍ଚମ ଥର ପାଇଁ ପାଳି ବିଜୟ ସଫଳତା ପାଇଛି। ଶେଷ ଥର ପାଇଁ ଭାରତ ୨୦୧୩ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆକୁ ଏକ ଘରୋଇ ଟେଷ୍ଟରେ ପାଳି ବ୍ୟବଧାନରେ ହରାଇଥିଲା।

-ରବିଚନ୍ଦ୍ରନ ଅଶ୍ବିନ୍ ଶନିବାର ନିଜ ୩୧ତମ ୫ ୱିକେଟ୍ ସଫଳତା ପାଇଥିଲେ। ଭାରତରେ କିନ୍ତୁ ଏହା ତାଙ୍କ ୨୫ତମ ୫ ୱିକେଟ୍ ଦଖଲ। ଏଥି ସହିତ ସେ ଅନିଲ କୁମ୍ବଲେଙ୍କ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ନିଜ ଘରୋଇ ମାଟିରେ ଏହି ଦୁଇ ଜଣଙ୍କ ଛଡ଼ା କେବଳ ମୁଥୟା ମୁରଲୀଧରନ (୪୫) ଏବଂ ରଙ୍ଗନା ହେରାଥ (୨୬) ଅଧିକ ଥର ୫ ୱିକେଟ୍ ସଫଳତା ପାଇଛନ୍ତି।

-ଅଷ୍ଟ୍ରେଲିଆର ୫ ଜଣ ବାମହାତୀ ବ୍ୟାଟର୍‌ ଉଭୟ ପାଳିରୁ ମିଳିତ ଭାବେ ୬୭ ରନ୍ ସଂଗ୍ରହ କରିଛନ୍ତି। ଭାରତର ଦୁଇ ବାମହାତୀ (ରବୀନ୍ଦ୍ର ଜାଦେଜା-ଅକ୍ଷର ପଟେଲ୍‌) ବ୍ୟାଟର୍‌ ମିଳିତ ଭାବେ ୧୫୪ ରନ୍‌ କରିଥିଲେ ଗୋଟିଏ ପାଳିରୁ।

-ନାଗପୁର‌ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମୋଟ ୧୦ ଏଲବିଡବ୍‌ଲ୍ୟୁ ଆଉଟ୍ ମିଳିଥିଲା। କଙ୍ଗାରୁ ଦଳ ପାଇଁ ଏହା ସର୍ବାଧିକ। ଭାରତ ବିପକ୍ଷରେ ପୂର୍ବ ସର୍ବାଧିକ ୯ ଥିଲା ୨୦୦୧ କୋଲକାତା ଟେଷ୍ଟରୁ। ଗତବର୍ଷ ଗଲ୍‌ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ୯ ଏଲବିଡବଲ୍ୟୁର ଶିକାର ହୋଇଥିଲା। ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ୬ ଏଲବିଡବଲ୍ୟୁ ମଧ୍ୟ ଭାରତ ପାଇଁ ଏକ ଯୁଗ୍ମ ସର୍ବୋଚ୍ଚ।