ବିଶାଖାପାଟଣା: ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରବିବାର ଆୟୋଜକ ଭାରତକୁ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ହରାଇଛି। ଚତୁର୍ଥ ମ୍ୟାଚ୍‌ରୁ ଭାରତର ଏହା ଦ୍ବିତୀୟ ପରାଜୟ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତି ଆହୁରି ସୁଦୃଢ଼ କରି ନେଇଛି। ଭାରତର ୩୩୦ ରନ୍‌କୁ ପଛରେ ପକାଇ ମହିଳା ଦିନିକିଆରେ ସଫଳ ପଶ୍ଚାତଧାବନ ରେକର୍ଡ କରିଛି ଅଷ୍ଟ୍ରେଲିଆ। ୩୩୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ପାଇଁ ଅଧିନାୟିକା ଆଲିସା ହିଲି ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ୧୪୨ ରନ୍‌ର ସ୍ମରଣୀୟ ପାଳି ଖେଳି ଭାରତ ହାତରୁ ଏକପ୍ରକାର ସେ ହିଁ ମ୍ୟାଚ୍ ଛାଡ଼ାଇ ନେଇଥିଲେ। ଅଧିନାୟିକା ଭାବେ ଏହା ତାଙ୍କର ପ୍ରଥମ ଏବଂ ମୋଟ ଉପରେ ଷଷ୍ଠ ଶତକ ଥିଲା। ଅନ୍ୟଏକ ନାଟକୀୟ ଘଟଣାକ୍ରମେ ତାରକା ବ୍ୟାଟର୍ ଏଲିସ୍ ପେରି (୪୭*) ମାଂଶପେସୀ ଯନ୍ତ୍ରଣା ପାଇଁ ୨୭ତମ ଓଭରରେ ଅବସର ଆହତ ହୋଇଥିଲେ। ତେବେ ପଶ୍ଚାତ୍‌ଧାବନର ଶେଷ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ପିଚ୍‌କୁ ଫେରି କଙ୍ଗାରୁ ଦଳକୁ ଗୋଟିଏ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ସ୍ନେହ ରାଣାଙ୍କୁ ଛକା ମାରି ସେ ହିଁ ଅଷ୍ଟ୍ରେଲିଆର ବିଜୟ ମୁଣ୍ଡି ମାରିଥିଲେ। ଜବରଦସ୍ତ ଆରମ୍ଭ ‌ସତ୍ତ୍ବେ ମଝିରେ ୩୬ ରନ୍‌ରେ ୬ ୱିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିବା ଅଷ୍ଟ୍ରେଲିଆ ଶେଷରେ ପଶ୍ଚାତ୍‌ଧାବନର ନୂଆ ରେକର୍ଡ ସ୍ଥାପନ କରିଥିଲା। ହିଲି ତାଙ୍କ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। 

Advertisment

ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ଅଷ୍ଟ୍ରେଲିଆ ଅଧିନାୟିକା ଆଲିସା ହିଲି ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର୍ ସ୍ମୃତି ମନ୍ଧାନା (୮୦) ଓ ପ୍ରତୀକା ରାୱଲ (୭୫) ପ୍ରଥମ ୱିକେଟ୍‌ରେ ୧୫୫ ରନ୍ ଯୋଡ଼ି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଦ୍ରୁତ ଖେଳୁଥିବା ମନ୍ଧାନାଙ୍କୁ ଶତକର ୨୦ ରନ୍ ପୂର୍ବରୁ ଆଉଟ୍ କରି ଅଷ୍ଟ୍ରେଲିଆର ସଫଳତମ ବୋଲର ଆନାବେଲ ସଦରଲାଣ୍ଡ୍ ଘରୋଇ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ। ସୋଫି ମୋନିଲକ୍ସ ଧୈର୍ଯ୍ୟ ଓ ଦାୟିତ୍ବର ସହ ଖେଳୁଥିବା ରାୱଲଙ୍କୁ ଶିକାର କରି ଅଷ୍ଟ୍ରେଲିଆକୁ ଅଧିକ ଆଶ୍ବସ୍ତ କରିଥିଲେ। ମନ୍ଧାନା-ରାୱଲ ପ୍ୟାଭିଲିୟନ ଫେରିବା ପରେ ଭାରତୀୟ ପାଳି ଯେଉଁ ଗତିରେ ଆଗକୁ ବଢ଼ୁଥିବା ଆଉ ବଢ଼ି ପାରି ନଥିଲା। ଅଧିନାୟିକା ହରମନପ୍ରୀତ୍ କୌର (୨୨)ଙ୍କ ସମେତ ସଂପୂର୍ଣ୍ଣ ଭାରତୀୟ ମଧ୍ୟକ୍ରମ ଭଲ ଆରମ୍ଭ ପାଇଥିଲେ ମଧ୍ୟ ମାତ୍ରାଧିକ ଆତ୍ମବିଶ୍ବାସ ପାଇଁ ନିଜନିଜ ୱିକେଟ୍ ହରାଇ ଚାଲିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ, ସଦରଲାଣ୍ଡଙ୍କ ସଫଳତା ବଳରେ ରନ୍ ଗତି ଉପରେ ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ମଧ୍ୟ ୭ ବଲ୍ ପୂର୍ବରୁ ଅଲଆଉଟ୍ ହୋଇଯାଇଥିଲା। ଭାରତ ତା’ର ‌ଶେଷ ୫ ୱିକେଟ୍ ମାତ୍ର ୨୧ ରନ୍‌ରେ ହରାଇବା ଆଉ ଏକ ଚକିତ କଲା ଭଳି ଘଟଣା ଥିଲା। ସ୍କୋର ବୋର୍ଡରେ ୩୩୦ ରନ୍ ଲାଗି ସାରିଥିଲେ ବି ବିଶାଖାପାଟଣାର ବ୍ୟାଟିଂ ଉପଯୋଗୀ ପିଚ୍ ଏବଂ ଦ୍ବିତୀୟ ବୋଲିଂରେ ବୋଲରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ ଶକ୍ତିଶାଳୀ ବ୍ୟାଟିଂ ବାହିନୀ ଥିବା ଅଷ୍ଟ୍ରେଲିଆ ପାଇଁ ଏହା ପର୍ଯ୍ୟାପ୍ତ ହେବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। ଶେଷରେ ଏହା ସତ ପ୍ରମାଣିତ ହୋଇଥିଲା। 

ସଂକ୍ଷିପ୍ତ ସ୍କୋର୍:ଭାରତ ୪୮.୫ ଓଭରରେ-୩୩୦/୧୦ (ସ୍ମୃତି ମନ୍ଧାନା ୮୦, ପ୍ରତୀକା ରାୱଲ ୭୫, ହର୍ଲିନ ଦେୱଲ ୩୮, ଜେମିମା ରଡ୍ରିଗ୍ବେଜ୍‌ ୩୩, ରିଚା ଘୋଷ ୩୨, ଆନାବେଲ ସଦରଲାଣ୍ଡ ୫/୪୦, ସୋଫି ମୋଲିନକ୍ସ ୩/୭୫)। ଅଷ୍ଟ୍ରେଲିଆ ୪୯ ଓଭରରେ-୩୩୧/୭ (ଆଲିସା ହିଲି ୧୪୨, ଏଲିସ୍ ପେରି ୪୭*, ଆସ୍‌ଲେ ଗାର୍ଡନର ୪୫, ଶ୍ରୀ ଚାରଣୀ ୩/୪୧, ଦୀପ୍ତି ଶର୍ମା ୨/୫୨)।